ନୂଆଦିଲ୍ଲୀ: ଆଫ୍ରିକାର କଂଗୋ ଦେଶରେ ଇବୋଲା ମହାମାରୀ ନିଜ କାୟା ବିସ୍ତାର କରିବାରେ ଲାଗିଛି। ଏହି ନୂଆ ମହାମାରୀରେ ଗୁରୁବାର ସୁଦ୍ଧା ୩୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହି ପରିସ୍ଥିତିକୁ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍ (WHO)ର ଦ୍ୱାରା ନିୟନ୍ତ୍ରଣ କରାଯାଉଛି। ଏହା କଂଗୋର ୧୬ତମ ଇବୋଲା ମହାମାରୀ, ଯାହା ୧୯୭୬ ମସିହାରୁ ସମଗ୍ର ଦେଶରେ ତାଣ୍ଡବ ରଚି ଚାଲିଛି।
ଆପଣଙ୍କୁ ଜଣାଇରଖୁ ଯେ, ଗୁରୁବାର ସୁଦ୍ଧା କଂଗୋରେ ୩୧ ଜଣଙ୍କର ଇବୋଲା ସଂକ୍ରମଣରେ ମୃତ୍ୟୁ ହୋଇସାରିଲାଣି। ଚଳିତ ବର୍ଷ ମୋଟ ୪୮ଟି କେସ୍ ରିପୋର୍ଟ୍ ହୋଇଛି, ଯାହା ମଧ୍ୟରୁ ୩୮ଟି ପଜେଟିଭ ଥିବା ଜଣାପଡିଛି। WHO ଏହି ମହାମାରୀ ବିଷୟରେ ସୂଚନା ପ୍ରଦାନ କରି କହିଛି ଯେ ଏହା ଏକ ହେମୋରେଜିକ୍ ଫିଭର୍। ଯାହା ଜ୍ୱର, ବାନ୍ତି, ଝାଡ଼ା, ଶାରୀରିକ ପୀଡା, କ୍ଷୀଣତା ଏବଂ ରକ୍ତସ୍ରାବ ଭଳି ଘାତକ ଲକ୍ଷଣ ସୃଷ୍ଟି କରେ।
ଏହି ମହାମାରୀ କାସାଇ ପ୍ରଦେଶର ବୁଲାପେ ସ୍ୱାସ୍ଥ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଢିବାରେ ଲାଗିଛି। ପୂର୍ବରୁ ଏହି ମହାମାରୀ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଶେଷ ଥର ପାଇଁ କଂଗୋରେ ଦେଖାଦେଇଥିଲା। ନର୍ଥ୍ କିଭୁ ପ୍ରଦେଶରେ ଏହା ଏକ ଏକକ ମାମଲା ଥିଲା। ତେବେ ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ଏହି ମହାମାରୀ ଭୟଙ୍କର ରୂପ ଧାରଣ କରିଥିଲା। ଯେଉଁଥିରେ ପ୍ରାୟ ୨,୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
WHOର ଆଫ୍ରିକା ଅଞ୍ଚଳର ଅଧିକାରୀ ପ୍ୟାଟ୍ରିକ୍ ଓଟିମ୍ କହିଛନ୍ତି ଯେ, ଲୋକମାନଙ୍କୁ ଏହି ମହାମାରୀ ନେଇ ସଚେତନ କରିବା ପରେ ସଂକ୍ରମଣ ଜନିତ ଘଟଣା କମିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସଂକ୍ରମଣର ବେଗ କମିଥିବା ଆମ ନଜରକୁ ଆସିଛି... ଏହା ଏକ ଭଲ ଖବର। ଆମେ ନିଶ୍ଚିତ ଯେ ଭ୍ୟାକ୍ସିନ୍ୟେସନ୍ ସହିତ ଏହାକୁ ଶୀଘ୍ର ନିଜ ନିୟନ୍ତ୍ରଣରେ ଆଣିପାରିବା।" ତେବେ ଟେଷ୍ଟିଂ, ଟ୍ରେସିଂ ଏବଂ ଭ୍ୟାକ୍ସିନ୍ୟେସନ୍ ଆହୁରି ଦ୍ରୁତ ହେବାର ଆବଶ୍ୟକତା ରହିଛି।
WHO ପକ୍ଷରୁ ସମଗ୍ର କଂଗୋ ପ୍ରଦେଶରେ ଭ୍ୟାକ୍ସିନ୍ୟେସନ୍ ଅଭିଯାନ ଆରମ୍ଭ ହୋଇଛି। ୫୦୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଏବଂ ପଜେଟିଭ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନିକଟ ସମ୍ପର୍କୀୟଙ୍କୁ ଏହି ଭ୍ୟାକ୍ସିନ୍ ଦିଆଯାଇଛି। ଅଧିକ ୪୫,୦୦୦ ଡୋଜ୍ କିନଶାସାରେ ପହଞ୍ଚିଥିବା ସୂଚନା ମିଳିଛି। ବୁଲାପେର ଭଳି ଦୂରବର୍ତ୍ତୀ ସ୍ଥାନ ଗୁଡିକୁ ଭ୍ୟକ୍ସିନ ପହଞ୍ଚିବା ନେଇ ଲଜିଷ୍ଟିକ୍ ସମସ୍ୟା ରହିଛି, ବିଶେଷକରି କୋଲ୍ଡ୍-ଚେନ୍ ପରିବହନରେ। ବର୍ତ୍ତମାନ ୧୫ ଜଣ ସଂକ୍ରମିତଙ୍କୁ ବୁଲାପେର ଇବୋଲା କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ୨ ଜଣ ସୁସ୍ଥ ହୋଇ ଡିସଚାର୍ଜ୍ ହୋଇଥିବା ଜଣାପଡିଛି।
ସୂଚନା ମୁତାବକ, ଇବୋଲା ଭାଇରସ ପ୍ରଥମ ଥର ପାଇଁ ୧୯୭୬ ମସିହାରେ ଆବିଷ୍କ୍ରୁତ ହୋଇଥିଲା। କଂଗୋରେ ୨୦୧୮-୨୦୨୦ ମଧ୍ୟରେ ଏହି ମହାମାରୀ ନର୍ଥ୍ କିଭୁ ଏବଂ ଇଟୁରିରେ ସର୍ବାଧିକ ପ୍ରଭାବ ବିସ୍ତାର କରିଥିଲା। ଯେଉଁଥିରେ ୨,୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ମହାମାରୀ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି, କିନ୍ତୁ ସତର୍କତା ଜରୁରୀ ବୋଲି WHO ସୂଚନା ଦେଇଛି।