ଥାନେ: ମହାରାଷ୍ଟ୍ରର ମିରା ରୋଡରେ ଗତ ୩୦ ସେପ୍ଟେମ୍ବର ରାତିରେ ଗର୍ବା ଇଭେଣ୍ଟ ଚାଲୁଥିବା ସମୟରେ ଅଣ୍ଡା ଫୋପାଡିବା ଘଟଣା ଘଟିଛି, ଯାହା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ତୀବ୍ର କ୍ଷୋଭ ସୃଷ୍ଟି କରିଛି। ମିରା ରୋଡ ପୁଲିସ ସ୍ଥାନୀୟ ବାସିନ୍ଦା ମୋହସିନ ଖାନଙ୍କ ବିରୋଧରେ ବିଏନଏସ ୨୦୨୩ର ଧାରା ୩୦୦ ଅନୁଯାୟୀ ଧାର୍ମିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ଅଭିଯୋଗରେ ମାମଲା ଦାଖଲ କରିଛି। ତେବେ, ଏପର୍ଯ୍ୟନ୍ତ ଯାଏଁ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।
ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ରାତି ୧୦ଟା ୩୦ ସମୟରେ ଏହି ଘଟଣା ଆରମ୍ଭ ହୋଇଥିଲା। ମୋହସିନ ଖାନ ଘଟଣାସ୍ଥଳରେ ମୋବାଇଲ ଫୋନ୍ ସହିତ ଉପସ୍ଥିତ ଥିବା ସହ ଡଜେର ଶବ୍ଦ ସ୍ତର (ଡେସିବେଲ୍) ଯାଞ୍ଚ କରୁଥିଲେ ଏବଂ ଅଂଶଗ୍ରହଣକାରୀଙ୍କ ଭିଡିଓ ରେକର୍ଡ କରୁଥିଲେ। ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ଖାନ ପୂର୍ବରୁ ପ୍ରଶାସନକୁ ଫୋନ୍ କରି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ରାତି ୧୦ଟା ୫୦ ସମୟରେ, ଖାନଙ୍କ ସଦୃଶ ଜଣେ ବ୍ୟକ୍ତି ସୋସାଇଟିର ୧୬ତମ ମହଲାରୁ ଏକ ବସ୍ତୁ ଫୋପାଡ଼ିଥିଲେ। ପରେ ଦୁଇ ମହିଳା ପୋଲିସ ଅଧିକାରୀ ଘଟଣାସ୍ଥଳରେ ଯାଞ୍ଚ କରିବାରୁ ଘଟଣାସ୍ଥଳରୁ ଏକ ଭଙ୍ଗା ଅଣ୍ଡା ପାଇଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ହିନ୍ଦୁ ସଂଗଠନ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶିବ ସେନାର ଶାଖା ମୁଖ୍ୟ ମହେଶ ଶିନ୍ଦେ ପୁଲିସ ଷ୍ଟେସନ ପରିଦର୍ଶନ କରିଥିଲେ। ଅନ୍ୟପକ୍ଷରେ, ମୋହସିନ ଖାନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, "ମୁଁ କିଛି କରି ନାହିଁ। ମୋ ଘରକୁ ଆସି ଦେଖନ୍ତୁ, ସମସ୍ତ ଝରକାରେ ମଶାରି ଲାଗିଛି, ଏପରିକି ଏକ ପଥର ମଧ୍ୟ ଫୋପାରି ହେବ ନାହିଁ। ଏହା ଏକ ରାଜନୈତିକ ଚକ୍ରାନ୍ତ। ଏଫଆଇଆରରେ ଘଟଣାର ସମୟ ୧୦ଟା ୫୦ ରାତି ଉଲ୍ଲେଖ ଅଛି। ସିସିଟିଭି ଫୁଟେଜ ଯାଞ୍ଚ କରନ୍ତୁ, ମୁଁ ଘଟଣାସ୍ଥଳ ନିକଟରେ ହିଁ ନଥିଲି।" ସେ ଦାବି କରିଛନ୍ତି ଯେ ଏହି ଘଟଣାକୁ ସାମ୍ପ୍ରଦାୟିକ ଓ ରାଜନୈତିକ ରଙ୍ଗ ଦିଆଯାଉଛି।
ଏହା ପୂର୍ବରୁ ମଧ୍ୟ ଖାନଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ବକ୍ରି ଈଦ ସମୟରେ ବିବାଦ ହୋଇଥିଲା। ମିରା ରୋଡ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରି ଦୃଶ୍ୟ ରେକର୍ଡ କରିଛି। ଡିସିପି ରାହୁଲ ଚବାନ କହିଛନ୍ତି, "ମାମଲା ଦାଖଲ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ। ବିସର୍ଜନ ଉତ୍ସବ ଶେଷ ହେବା ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ।"ନବରାତ୍ରି ଉତ୍ସବ ସମୟରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ତଦନ୍ତ ଜାରି ରଖିଛି।