ନୂଆଦିଲ୍ଲୀ: ୟୁରୋପୀୟ ସଂଘର ସର୍ବୋଚ୍ଚ ମାନବାଧିକାର ସମ୍ମାନ, ସାଖାରୋଭକୁ ନେଇ ଆନୁଷ୍ଠାନିକ ଭାବେ ବିଜେତାଙ୍କ ନାମ ଘୋଷଣା ହୋଇଛି। ୟୁରୋପୀୟ ସଂସଦର ଅଧ୍ୟକ୍ଷ ରୋବର୍ଟା ମେଟସୋଲା ବୁଧବାର ଏନେଇ ଘୋଷଣା କରି କହିଛନ୍ତି ଯେ ବେଲାରୁଷ ଏବଂ ଜର୍ଜିଆର ଦୁଇ ଜଣ ଜେଲ ଦଣ୍ଡାଦେଶ ଭୋଗୁଥିବା ସାମ୍ବାଦିକ ଏହି ସମ୍ମାନୀୟ ପୁରସ୍କାର ଜିତିଛନ୍ତି।

ସୂଚନା ମୁତାବକ, ଏହି ପୁରସ୍କାର ଜିତିଥିବା ପ୍ରଥମ ସାମ୍ୱାଦିକ ହେଉଛନ୍ତି ଆଣ୍ଡ୍ରେଜ ପୋକଜୋବୁଟ। ସେ ପ୍ରଭାବଶାଳୀ ପୋଲିଶ୍ ଖବରକାଗଜ Gazeta Wyborczaରେ ଜଣେ ସମ୍ବାଦିକ ଭାବେ କାମ କରୁଥିଲେ। ତେବେ ବେଲାରୁସର ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଠ ବର୍ଷ ଜେଲଦଣ୍ଡାଦେଶ ଦିଆଯାଇଥିଲା। ସେ ବର୍ତ୍ତମାନ ନୋଭୋପୋଲୋଟସ୍କ କଲୋନୀରେ ସଜା କାଟୁଥିବା ଜଣାପଡିଛି।

ଅନ୍ୟପଟେ ଜର୍ଜିଆର ଦୁଇଟି ନିରପେକ୍ଷ ଗଣମାଧ୍ୟମର ପ୍ରତିଷ୍ଠାତା ତଥା ବିଶିଷ୍ଟ ସାମ୍ବାଦିକ ମଜିଆ ଆମାଘଲୋବେଲିଙ୍କୁ ଅଗଷ୍ଟ ମାସରେ ଜେଲ ଦଣ୍ଡାଦେଶ ହୋଇଛି। ଏକ ସରକାର ବିରୋଧୀ ପ୍ରତିବାଦ ସମୟରେ ସେ ଜଣେ ପୋଲିସ ମୁଖ୍ୟଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗଣମାଧ୍ୟମ ସ୍ୱାଧୀନତାକୁ ଅପବ୍ୟବହାର କରିବା ପାଇଁ ମାନବାଧିକାର ଗୋଷ୍ଠୀଗୁଡ଼ିକ ଦ୍ୱାରା ଏହି ମାମଲାର କଡା ନିନ୍ଦା କରାଯାଇଥିଲା। ପରେ ତାଙ୍କୁ ସ୍ଥାନୀୟ ନ୍ୟାୟାଳୟ ଦ୍ୱାରା ଦୁଇ ବର୍ଷର ଜେଲଦଣ୍ଡାଦେଶ ଦିଆଯାଇଥିଲା।

ଇୟୁର ଅନ୍ୟ ଜଣେ ସାଂସଦ ମେଟସୋଲା ଷ୍ଟ୍ରାସବର୍ଗରେ, ଫରାସୀ ସଂସଦକୁ କହିଥିଲେ ଯେ "ଉଭୟ ସାମ୍ବାଦିକ ବର୍ତ୍ତମାନ କେବଳ ସେମାନଙ୍କର କାମ ଏବଂ ଅନ୍ୟାୟ ବିରୁଦ୍ଧରେ କହିବା ପାଇଁ ମିଥ୍ୟା ଅଭିଯୋଗରେ ଜେଲରେ ଅଛନ୍ତି। ସେମାନଙ୍କ ସାହସ ସେମାନଙ୍କୁ ସ୍ୱାଧୀନତା ଏବଂ ଗଣତନ୍ତ୍ର ପାଇଁ ସଂଘର୍ଷର ପ୍ରତୀକ ଭାବେ ସାମ୍ନାକୁ ଆଣିଛି।"

ଉଲ୍ଲେଖଯୋଗ୍ୟ ଯେ, ବାର୍ଷିକ ୟୁରୋପୀୟ ୟୁନିଅନ୍ ପୁରସ୍କାର ସୋଭିଏତ୍ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ଆଣ୍ଡ୍ରେଇ ସାଖାରୋଭଙ୍କ ନାମରେ ନାମିତ। ମାନବାଧିକାର ଏବଂ ମୌଳିକ ସ୍ୱାଧୀନତାର ରକ୍ଷା କରୁଥିବା ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ୧୯୮୮ ମସିହାରୁ ଏହି ପୁରସ୍କାର ବିତରଣ ହୋଇଆସୁଛି।