ନୂଆଦିଲ୍ଲୀ,୦୧/୧୧: ମୋବାଇଲରେ ରିଲ୍ସ ଦେଖିବା, ଗେମ୍‌ ଖେଳିବା ନିଶା ବଢ଼ିବା ଚିନ୍ତାଜନକ ହୋଇଛି । ଏହା ସେମାନଙ୍କ ସ୍ୱାସ୍ଥ୍ୟକୁ  ଗମ୍ଭୀର ଭାବେ ପ୍ରଭାବିତ କରୁଛି । ମୋବାଇଲ  ନିଶା ଯୋଗୁ ସେମାନଙ୍କ ମାନସିକ ସ୍ଥିତି ବିଗୁଡ଼ୁଛି । 

ଉତ୍ତରାଖଣ୍ଡରେ ଏହାର ଜ୍ୱଳନ୍ତ ଉଦାହରଣ  ଦେଖିବାକୁ ମିଳିଛି । ଏଠାରେ ଥିବା ସୁଶୀଲା ତିୱାରୀ  ହସ୍ପିଟାଲ(ଏସ୍‌ଟିଏଚ୍‌)ର ମାନସିକ ରୋଗ ଡାକ୍ତର  ଯୁବରାଜ ପନ୍ତ କହିଛନ୍ତି, ରିଲ୍‌ ଏବଂ ଶର୍ଟ ଭିଡିଓ  ପିଲାଙ୍କ ମସ୍ତିଷ୍କକୁ ଲଗାତର ବଦଳୁଥିବା ଛବି ପ୍ରତି  ଆସକ୍ତ କରାଉଛି । ଫଳରେ ସେମାନେ କୌଣସି  ଗୋଟିଏ କାମରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧ୍ୟାନ  କେନ୍ଦ୍ରୀଭୂତ କରିପାରୁନାହାନ୍ତି । ଏଥିଯୋଗୁ ପିଲାଙ୍କ  ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି । 

ଡାକ୍ତରଙ୍କ ଅନୁସାରେ, ଏସ୍‌ଟିଏଚ୍‌ ହସ୍ପିଟାଲର  ମାନସିକ ରୋଗ ବିଭାଗକୁ ପ୍ରତି ସପ୍ତାହରେ  ୪ରୁ ୫ ଶିଶୁ ଏପରି ସମସ୍ୟା ନେଇ ଆସୁଛନ୍ତି ।  ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କ ବୟସ  ୧୨ରୁ ୧୭ ବର୍ଷ ମଧ୍ୟରେ ହେବ । ମୋବାଇଲ  ନିଶା ଯୋଗୁ ସେମାନଙ୍କ ଫୋକସ୍‌ କମିବା ସହ  ଅତିମାତ୍ରାରେ ଚିଡ଼ିଚିଡ଼ାପଣ ଦେଖାଯାଉଛି ।  ପ୍ରଥମେ ବାପା ମାନିଜ ସୁବିଧା ପାଇଁ ତାଙ୍କ  ହାତରେ ମୋବାଇଲ ଧରାଇ ଦେଉଛନ୍ତି । କିନ୍ତୁ  ପରେ ସେହି ପିଲାମାନେ ଫୋନ୍‌ ନିଶାରେ  ପଡ଼ିଯାଉଛନ୍ତି । ଏଥିଯୋଗୁ ପିଲାଙ୍କ ସାମାଜିକ  ଜୀବନ ଯାତ୍ରା କମିଯାଉଛି । ଏହା ସେମାନଙ୍କ  ମାନସିକ ସ୍ଥିତି ବିଗାଡ଼ୁଛି । ମୋବାଇଲ ନିଶା  ପିଲାଙ୍କୁ ଏକୁଟିଆପଣ ଏବଂ ପାରିବାରିକ ଦୂରତା  ଆଡ଼କୁ ଠେଲୁଛି । ପିଲାମାନେ ଏବେ ପରିବାର  ଅପେକ୍ଷା ସ୍କ୍ରନ୍‌ ସହ ଜଡ଼ିତ ହେବାକୁ ବେଶୀ ପସନ୍ଦ  କରୁଛନ୍ତି । ଏହା ସେମାନଙ୍କ ଆଚରଣ ବ୍ୟବହାର  ଏବଂ ଭାବନାତ୍ମକ ସନ୍ତୁଳନକୁ ପ୍ରଭାବିତ କରୁଛି ।

ବିଶେଷଜ୍ଞଙ୍କ ମତରେ, ଅତିମାତ୍ରାରେ  ମୋବାଇଲ ବ୍ୟବହାର ଦ୍ୱାରା ପିଲାଙ୍କ ପାଠପଢ଼ାରେ  ମନ ଲାଗୁନି । କୌଣସି ଜିନିଷ କିମ୍ବା କାର୍ଯ୍ୟରେ  ଧ୍ୟାନ କେନ୍ଦ୍ରୀଭୂତ କରିବା କ୍ଷମତା କମୁଛି ।  ସୋସିଆଲ ମିଡିଆରେ ନକାରାତ୍ମକ କଣ୍ଟେଣ୍ଟ  ସେମାନଙ୍କ ମଧ୍ୟରେ ଚିନ୍ତା, ମାନସିକ ଦୁଃଶ୍ଚିନ୍ତା  ଏବଂ କ୍ରୋଧ ବଢ଼ାଉଛି । ସ୍ମରଣ ଶକ୍ତି କମୁଛି ।  ଦୀର୍ଘ ସମୟ ମୋବାଇଲ ସ୍କ୍ରିନ୍‌ରେ ସମୟ କାଟିବା  ଦ୍ୱାରା ଶାରୀରିକ ସକ୍ରିୟତା ହ୍ରାସ ପାଉଛି ।

ଅନ୍ୟପକ୍ଷରେ ମୋବାଇଲ ନିଶାରେ ପାଗଳ  ହୋଇ ପିଲାମାନେ ଅନେକ ସମୟରେ ସମସ୍ୟା  ସୃଷ୍ଟି କରିବା ସହ ନିଜେ ସମସ୍ୟାରେ ମଧ୍ୟ  ପଡ଼ୁଛନ୍ତି । ହଲଦ୍ୱାନିରେ ଜଣେ ଏକାଦଶ ଛାତ୍ରଙ୍କୁ  ତାଙ୍କ ବାପାମାଇଣ୍ଟରନେଟ ଦେବେନାହିଁ ବୋଲି  କହିବା ପରେ ସେ ଘର ଛାଡ଼ି ପଳାଇଥିଲେ ।  ପୁଲିସ ପରେ ଛାତ୍ରଙ୍କୁ ଦିଲ୍ଲୀରୁ ଠାବ କରିଥିଲା ।  ସେ ରିଲ୍ସ ନିଶାରେ ପାଗଳ ଥିଲେ । ଆଉ ଜଣେ  ୧୦ମ ଛାତ୍ରଙ୍କୁ ତାଙ୍କ ପରିବାର ମୋବାଇଲ ଅଧିକ  ସମୟ ନ ଧରିବାକୁ ତାଗିଦ୍‌ କରିବାରୁ ସେ ସ୍କୁଲ  ଯିବା ବନ୍ଦ କରିଦେଇଥିଲେ । ପରେ ଡାକ୍ତର ତାଙ୍କ  କାଉନ୍‌ସେଲିଂ କରାଇବାରୁ ସେ ଏବେ ମାନସିକ  ଭାବେ ସ୍ଥିର ଥିବା ଜଣାପଡ଼ିଛି ।

ଡାକ୍ତର ଯୁବରାଜ କହିଛନ୍ତି, ପିଲାଙ୍କ ସ୍କ୍ରିନିଂ  ଟାଇମିଂ ଧାର୍ଯ୍ୟ କରିବା ବହୁତ ଜରୁରି । ଲଗାତର  ମୋବାଇଲ ଉପରେ ନଜର ରଖୁଥିବାରୁ ପିଲାଙ୍କ  ମନ ପାଠପଢ଼ା, ଖେଳ ଆଦିରୁ ହଟିବାରେ  ଲାଗିଛି । ପିଲାଙ୍କୁ ସେମାନଙ୍କ ଅଭିଭାବକ  ଅଫ୍‌ଲାଇନ ଗତିବିଧି ଯେପରି ସନ୍ଧ୍ୟାରେ ଏକାଠି  ଚାଲିବା, ପରିବାର ସହ କଥାବାର୍ତ୍ତା, ସାଙ୍ଗମାନଙ୍କ  ସହ ପଡ଼ିଆରେ ଖେଳିବା ଆଦି ଲାଗି ପ୍ରେରିତ  କରିବା ଉଚିତ । ଘରର ମାହୋଲ ଖୁସି ରହିଲେ  ପିଲାମାନେ ପରିବାର ସହ ଜଡ଼ିତ ହୋଇପାରିବେ  ଏବଂ ନିଜକୁ ସ୍କ୍ରିନ୍‌ରୁ ଦୂରେଇ ରଖିପାରିବେ।