ଜୋଧପୁର: ଭାରତୀୟ ସେନାର ସପ୍ତ ଶକ୍ତି କମାଣ୍ଡ୍ ରାଜସ୍ଥାନର ଥାର ମରୁଭୂମିରେ ଅବସ୍ଥିତ ମହାଜନ ଫିଲ୍ଡ୍ ଫାୟରିଙ୍ଗ୍ ରେଞ୍ଜରେ 'ଅମୋଘ ଫ୍ୟୁରି' ନାମକ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱିତ ଅଗ୍ନିଶକ୍ତି ଅଭ୍ୟାସ ଆୟୋଜନ କରିଛି। ଏହି ଅଭ୍ୟାସ ସେନାର ଯୁଦ୍ଧ ଶକ୍ତି, ସମନ୍ୱୟ ଏବଂ ବାସ୍ତବ ଯୁଦ୍ଧ ପରିସ୍ଥିତିରେ କାର୍ଯ୍ୟକ୍ଷମତାକୁ ପ୍ରଦର୍ଶନ କରିଛି।

'ଅମୋଘ ଫ୍ୟୁରି' ଅଭ୍ୟାସରେ ସେନାର ବିଭିନ୍ନ ଯୁଦ୍ଧାସ୍ତ୍ର ଗୁଡ଼ିକର ସମନ୍ୱିତ ପରିକ୍ଷଣ କରାଯାଇଥିଲା। ଏହି ସମରାଭ୍ୟାସରେ ବିଭିନ୍ନ ଯୁଦ୍ଧ ଟ୍ୟାଙ୍କ୍, କମ୍ୱାଟ ଭେଇକିଲ, ଆକ୍ରମଣକାରୀ ହେଲିକପ୍ଟର, ଦୀର୍ଘ ଦୂରତ୍ୱ ସମ୍ପନ୍ନ ଆର୍ଟିଲରି ଏବଂ ଡ୍ରୋନ୍ ସାମିଲ ରହିଥିଲେ। ଏହି ଯୁଦ୍ଧାସ୍ତ୍ର ଗୁଡିକୁ ଭୂମି ଓ ଆକାଶପଥରୁ ସମନ୍ୱୟ କରି ପ୍ରୟୋଗ କରାଯାଇଥିଲା। ଯାହା ଜଟିଳ ପରିବେଶରେ ସେନାର କ୍ଷମତାକୁ ପ୍ରତିପାଦନ କରିଛି।

ଏହି ଅଭ୍ୟାସରେ ଆଧୁନିକ ପ୍ରଯୁକ୍ତିର ସମ୍ମିଳିତ ପ୍ରୟୋଗ କରାଯାଇଥିଲା। ଯେଉଁଥିରେ ନେଟୱର୍କ୍-କେନ୍ଦ୍ରୀୟ ଯୋଗାଯୋଗ, ନିର୍ଦ୍ଦେଶ ଓ ନିୟନ୍ତ୍ରଣ ସ୍ଥାପନା, ଏବଂ ରିଏଲ୍-ଟାଇମ୍ ନିରୀକ୍ଷଣ ଓ ଲକ୍ଷ୍ୟଭେଦ ସିଷ୍ଟମ୍ ସାମିଲ ରହିଥିଲା। ଏହା ସମସ୍ତ ୟୁନିଟ୍‌ଗୁଡ଼ିକରେ ଏକୀକୃତ ଅପରେସନଲ୍ ଚିତ୍ର ସୃଷ୍ଟି କରି ନିର୍ଣ୍ଣୟ ନେବା ଓ ସମନ୍ୱୟକୁ ସୁବିଧାଜନକ କରିଛି। ଏହି ଅଭ୍ୟାସରେ ସମସ୍ତ ସ୍ତରର କର୍ମୀମାନଙ୍କୁ ବାସ୍ତବ ଯୁଦ୍ଧ ପରିସ୍ଥିତିରେ ପ୍ରଶିକ୍ଷଣ ଦିଆଯାଇଥିଲା। ଯାହା ନୂତନ ଧରଣର ବିପଦଗୁଡ଼ିକର ସାମ୍ନା କରିବା ପାଇଁ ସେନାକୁ ସହାୟତା ପ୍ରଦାନ କରିବ।