ଲାଞ୍ଜିଗଡ଼,୬/୯(ଆପ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ୟୁରିଆ ସାରର ବର୍ତ୍ତମାନ ଅଭାବ ଦେଖା ଦେଇଛି। ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପ୍ରାଥମିକ କୃଷି ସମବାୟ ସମିତିରୁ ୟୁରିଆ ସାର ନେବାପାଇଁ ଶନିବାର ଶତାଧିକ ଚାଷୀ ଆସିଥିଲେ। ଘଣ୍ଟା ଘଣ୍ଟା ଅପେକ୍ଷା କରି ସାର ନପାଇ ପୋଖରୀବନ୍ଧ-ଲାଞ୍ଜିଗଡ଼ ମୁଖ୍ୟ ରାସ୍ତା ଚାଷୀ ଅବରୋଧ କରିଥିଲେ। ଲାଞ୍ଜିଗଡ଼ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସନ୍ଦୀପ ତିର୍କୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଆସନ୍ତା ବୁଧବାର ୟୁରିଆ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ରାସ୍ତାରୁ ଓହରି ଯାଇଥିଲେ।
ବିଶ୍ଵନାଥପୁର ପ୍ରାଥମିକ କୃଷି ସମବାୟ ସମିତିରେ ୩୪୦ ବସ୍ତା ୟୁରିଆ ସାର ମହଜୁଦ୍ ଥିବା ବେଳେ ୧ ହଜାରରୁ ଉର୍ଦ୍ଧ୍ବ ଚାଷୀ ସାର ନେବା ପାଇଁ ଆଧାର କାର୍ଡ ଧରି ଧାଡ଼ିରେ ସକାଳୁ ଠିଆ ହୋଇ ଅପେକ୍ଷା କରିଥିଲେ। ହେଲେ ଚାଷୀଙ୍କୁ ସାର ଯୋଗାଇବା ସମବାୟ ସମିତି ପକ୍ଷରୁ ସମ୍ଭବ ହୋଇନଥିଲା। ଚାଷୀମାନେ ଆଧାର କାର୍ଡ ଧରି ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ ସାର ମିଳିନଥିଲା।ଏହାପରେ ସମବାୟ ସମିତିର ପରିଚାଳକ ସାର କମ ପରିମାଣରେ ଥିବା ଯୋଗୁଁ ଚାଷୀଙ୍କୁ ବାଣ୍ଟିବା ସମ୍ଭବ ନୁହେଁ ବୋଲି ମନା କରିଥିଲେ। ଏହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ।ଏହା ପରେ ଚାଷୀ ପୋଖରୀ ବନ୍ଧ-ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ଅବରୋଧ କରିଥିଲେ।ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିବା ବେଳେ ଲୋକଙ୍କ ଯାତାୟତରେ ଘୋର ଅସୁବିଧା ଦେଖା ଦେଇଥିଲା। ଖବର ପାଇ ଲାଞ୍ଜିଗଡ ଅତିରିକ୍ତ ତହସିଲଦାର ସନ୍ଦିପ ତିର୍କୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ସମବାୟ ସମିତି ପକ୍ଷରୁ ଆସନ୍ତା ବୁଧବାର ୟୁରିଆ ସାର ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ପ୍ରାୟ ୨ ଘଣ୍ଟା ପରେ ରାସ୍ତାରୁ ଓହରି ଯାଇଥିଲେ।।
ଲାଞ୍ଜିଗଡ ବ୍ଲକରେ ଲାଞ୍ଜିଗଡ ରୋଡ଼, ଲାଞ୍ଜିଗଡ ଓ ବିଶ୍ଵନାଥ ପୁର ଠାରେ ସମବାୟ ସମିତି ରହିଥିବା ବେଳେ ଚାଷୀଙ୍କ ଅନୁପାତରେ ସାର ମିଳୁନାହିଁ। ଯାହା ଫଳରେ ବ୍ଳକ ମୁଖ୍ୟାଳୟ ବିଶ୍ଵନାଥ ପୁର ସମବାୟ ସମିତି ଉପରେ ଚାଷୀ ନିର୍ଭର କରୁଛନ୍ତି।ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆବଶ୍ୟକତାରୁ ଅଧିକ ଚାଷୀ ସାର ପାଇଁ ଆସିଥିବା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିଲା ବୋଲି ସମବାୟ ସମିତିର ମୂଖ୍ୟ ପରିଚାଳକ ପ୍ରକାଶ କରିଛନ୍ତି।