ନମୌଜା,୫/୧୧ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମେଣ୍ଢପୁର ପଞ୍ଚାୟତ ଅଧୀନ କଣ୍ଟିପୁର ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ସାମାନ୍ୟ ବଚସାକୁ ନେଇ ବାପପୁଅ ଉପରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି l ଆଳି ଥାନାରେ କଣ୍ଟିପୁର ଗ୍ରାମର ମନୋଜ କୁମାର ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତାଙ୍କ ଏତଲା ଅନୁଯାୟୀ ଆଜି ମଧ୍ୟାହ୍ନ ସାଢ଼େ ଗୋଟାଏ ସମୟରେ ଆମ ଗ୍ରାମରେ ଏକ ଭୋଜିରେ ଗ୍ରାମବାସୀ ଖାଉଥିଲେ l
ସେହି ସମୟରେ ଜଣେ ଯୁବକ ଚପଲ ପିନ୍ଧି ଚାଲିଯିବାରୁ ମଙ୍ଗଳ ମଲିକ ନାମକ ଜଣେ ଜନୈକ ବ୍ୟକ୍ତି ତାକୁ ଅଟକାଇ ମାର ଧର କରିବାରୁ ଲୋକ ରୁଣ୍ଡ ହୋଇଥିଲେ l ଏହା ଦେଖି ମୋ ବଡ ପୁଅ ଶିବସୁନ୍ଦର ଓ ମୋ ସ୍ୱାମୀ ମନୋଜ ସେଠାରେ ମଙ୍ଗଳଙ୍କୁ ବୁଝାସୁଝା କରିବାରୁ ସେ ହଠାତ୍ ଉତ୍ୟକ୍ତ ହୋଇ ମଙ୍ଗଳ ଓ ତାର ସହଯୋଗୀ ମିଶି ମୋ ସ୍ୱାମୀ ଓ ପୁଅକୁ ଆକ୍ରମଣ କରିବା ସହ ଏକ ଛୁରୀ ଆଣି ଉଭୟଙ୍କୁ ସେହି ଛୁରୀରେ ଆକ୍ରମଣ କରିଥିଲେ l ଏହି ଆକ୍ରମଣରେ ମନୋଜଙ୍କ ଛାତିରେ ଛୁରୀ ଭୁସି ହେବା ସହ ଛୁରାମାଡ଼ରେ ଶିବସୁନ୍ଦରଙ୍କ ହାତ ଖଣ୍ଡିଆ ହୋଇଯାଇଥିବା ନେଇ ସଂଯୁକ୍ତା ତାଙ୍କ ଏତଲାରେ ଦର୍ଶାଇଛନ୍ତି l ଖବର ଶେଷ ସୁଦ୍ଧା ଗୁରୁତର ଆହତ ମନୋଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି l ଏ ନେଇ ଆଳି ଥାନା ଭାରପ୍ରାପ୍ତ ଅଧିକାରୀ ଧୀରାଜ କୁମାର ଲେଙ୍କାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ନେଇ ଆଳି ଥାନାରେ ହୋଇଥିବା ସଂଯୁକ୍ତା ମଲିକଙ୍କ ଏତଲା ଆଧାର କେଶ ନଂ ୩୫୫/୨୦୨୫ରେ ମାମଲା ରୁଜୁ କରାଯାଇ ପୁଲିସ ତାର ତଦନ୍ତ ଚଳାଇଛି l