ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁର ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଏଠାରେ ଝିଅର ପ୍ରେମ ସମ୍ପର୍କକୁ ବିରୋଧ କରି ବାପା ଘଟାଇଛି ନୃଶଂସ କାଣ୍ଡ। ଉତ୍ୟକ୍ତ ବାପା ଜଣକ ଝିଅର ହାତ ବାନ୍ଧି କେନାଲକୁ ଫିଙ୍ଗି ଦେଇଛନ୍ତି। ଖାଲି ଏତିକି ନୁହେଁ ସେ ଏହି ଘଟଣାର ଭିଡିଓ ରେକର୍ଡ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଅପଲୋଡ କରିଛନ୍ତି।
ପୋଲିସ ଦେଇଥିବା ସୂଚନାନୁସାରେ, ସନ୍ଧିଗ୍ଧ ଜଣଙ୍କର ନାମ ସୁରଜିତ ସିଂ ବୋଲି ଜଣାପଡିଛି। ଦୁଇଦିନ ତଳେ ଅର୍ଥାତ ଅକ୍ଟୋବର ୨ ତାରିଖ ଦିନ ତାଙ୍କ ଝିଅ ଜଣଙ୍କ ସହ ପ୍ରେମ ସମ୍ପର୍କରେ ଥିବା ସେ ଜାଣିବାକୁ ପାଇଥିଲେ। ବାସ୍ ଏତିକିରେ ସେ ନିଜ ଝିଅର ହାତକୁ ବାନ୍ଧି ତାଙ୍କୁ କେନାଲକୁ ଫିଙ୍ଗି ଦେଇଥିଲେ। ଆଉ ସବୁଠୁ ବଡ କଥା ହେଉଛି ଏହି ଘଟଣା ଘଟିବା ବେଳେ ନିକଟରେ ଝିଅର ମା ମଧ୍ୟ ଉପସ୍ଥିତ ଥିଲେ। ସୁରଜିତ ନିଜ ଝିଅକୁ କେନାଲକୁ ଫିଙ୍ଗିଦେବା ପରେ ତାଙ୍କ ମା ବିଚଳିତ ହୋଇପଡିଥିଲେ।
ସୁରଜିତ ଏହି ଘଟଣା ଘଟାଇବା ପରେ ନିଜର ସମସ୍ତ ସମ୍ପର୍କିୟଙ୍କୁ ଏନେଇ ସୂଚନା ଦେଇଥିଲା। ସୁରଜିତଙ୍କ ଜଣେ ସମ୍ପର୍କିୟ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଯାହାପରେ ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରବିବାର ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରଜିତ ସିଂକୁ ଧରିବାରେ ସକ୍ଷମ ହୋଇଛି।
ଫିରୋଜପୁରର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଭୂପିନ୍ଦର ସିଂହ ସିଦ୍ଧୁ ଅଭିଯୁକ୍ତକ ଗିରଫଦାରୀକୁ ନିଶ୍ଚିତ କରିଛନ୍ତି। ତେବେ ଯାଞ୍ଚ ସମୟରେ ସୁରଜିତ ନିଜ ଦୋଷ ସ୍ୱିକାର କରିଥିବା ଜଣାପଡିଛି। ଏନେଇ ସେ କହିଛି ଯେ “ମୁଂ ମୋ ଝିଅକୁ ବୁଝେଇଥିଲି। କିନ୍ତୁ ସେ ଏସବୁ କିଚି ଗ୍ରହଣ କରିନଥିଲା। ଯେଉଁଥିପାଇଁ ମତେ ଏପରି ରାସ୍ତା ବାଛିବାକୁ ପଡିଲା।”
ଅନ୍ୟପଟେ ନିଖୋଜ ଝିଅ ପାଇଁ ପୋଲିସ କେନାଲରେ ଏକ ସର୍ଚ୍ଚ ଅପରେସନ ଜାରି ରଖିଛି। ଏହି ଯାଞ୍ଚର ପ୍ରମାଣ ଓ ଫରେନସିକ ରିପୋର୍ଟ ମିଳିବା ପରେ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି।