ଆସିକା, ୦୩/୧୦: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଗଞ୍ଜାମର ଜୀବନ ରେଖା ଋଷିକୁଲ୍ୟା ନଦୀରେ ବହୁଛି ବନ୍ୟା ଜଳ। ଗୁରୁବାର ବିଳମ୍ୱିତ ରାତିରେ ନଦିରେ ହଠାତ୍ ଜଳସ୍ତର ବଢି ବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ବାଲି ମାଡି ଯାଇ ଫସଲ ନଷ୍ଟ ହୋଇଛି। ଶୁକ୍ରବାର ସ୍ଥାନିୟ ଅଞ୍ଚଳର ଚାଷୀମାନେ କ୍ଷତିପୂରଣ ଦାବି କରି ତହସିଲଦାର ଓ ଥାନା ଅଧିକାରୀଙ୍କୁ ଘେରି ପ୍ରବଳ ପାଟିତୁଣ୍ଡ କରିଛନ୍ତି।

ସୂଚନା ମୁତାବକ, ଗତ ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇଛି ଗଞ୍ଜାମ। ଆଉ ଏହି ବର୍ଷାର ସ୍ଥିତିକୁ ଅଧିକ ବିଗାଡିଛି ଉପର ମୁଣ୍ଡର ଅତ୍ୟଧିକ ବର୍ଷା। ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଗତ କାଲି ରାତି ପ୍ରାୟ ୧୦ ଟା ସମୟରେ ହଠାତ୍  ଋଷୁକୁଲ୍ୟା ନଦୀରେ ଜଳ ସ୍ତର ବଢିଥିଲା। ଏହାର ପ୍ରଭାବରେ ନୂଆଗଡ଼, ବ୍ରହ୍ମଣଦେଇ ଆଦି ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥ-୫୯ ଉପରେ ଜଳ ପ୍ରବାହିତ ହୋଇଥିଲା।

ସେହି ପରି ସିଙ୍ଗିପୁର, ନୀଳକଣ୍ଠ ଓ କୁସପଡା ଗ୍ରାମରେ ପାଣି ଧସେଇ ପଶିଥିଲା। କୁସୁପଡା ନିକରେ ଋଷୁକୁଲ୍ୟା ନଦୀର ବନ୍ଧ ଭାଙ୍ଗିଯିବା ଫଳରେ ବନ୍ୟା ଜଳ ପଶି ଗ୍ରାମର ହେକ୍ଟର ହେକ୍ଟର ଫସଲ ନଷ୍ଟ ହୋଇଛି। ଧାନ ଜମିରେ ବାଲି ମାଡି ଯାଇଛି। ଏହା ସହ ଧାନ ଓ ଅନନ୍ୟ ପରିବା ଚାଷରେ ବି ନଦୀ ଜଳ ପଶି ପ୍ରଭୁତ କ୍ଷତି ହୋଇଛି। ଏହାକୁ ନେଇ ଗ୍ରାମରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ଧରାକୋଟ ତହସିଲଦାର କୁଶପଡା ସ୍ଥିତି ଦେଖିବାକୁ ଯାଇଥିବା ବେଳେ ଗ୍ରାମବାସୀ ଏକାଠି ହୋଇ ତାଙ୍କୁ ଅଟକ ରଖିଥିଲେ। ଗ୍ରାମବାସୀମାନେ ସେମାନଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବା ଏବଂ ତୁରନ୍ତ ବନ୍ଧ ମରାମତି କଲେ ତହସିଲଦାରଙ୍କୁ ଛାଡାଯିବ ବୋଲି ଜିଦ ଧରିଥିଲେ। ଆଜି ଯଦି ବର୍ଷା ଲାଗି ରୁହେ ତେବେ ସ୍ଥିତି ଅଧିକ ସଗିଂନ ହେବାର ଆଶଂକା ବଢ଼ିଛି। ଯାହାକୁ ନେଇ ନଦୀକୁଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।