ପାଟଣାଗଡ଼,୨୯/୧୦; କେନ୍ଦୁଗଣ୍ଡି ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ । ଡ୍ରାଇଭର ଗିରଫ, କାଠ ମାଫିଆ ଫେରାର୍ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ ଲରମ୍ଭା ସେକ୍ସନରୁ କେନ୍ଦୁକାଠ ଗଣ୍ଡି ବେଆଇନ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ଏକ ପିକ୍ଅପ୍ ଭ୍ୟାନ ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି । ହେଲେ ଚୋରା ଚାଲାଣରେ ସାମିଲ୍ ଥିବା କାଠ ମାଫିଆଲ ସରୁଜୁ ଫେରାଇ ହୋଯାଇଛି । ତେବେ ଅଭିଯୁକ୍ତକୁ ଶୀଘ୍ର ବନ୍ଧା ଯିବ ବୋଲି ବଲାଙ୍ଗୀର ଡିଏଫଓ କହିଛନ୍ତି ।
ସୂଚନାନୁସାରେ, ଲରମ୍ଭା ସେକ୍ସନ ଅଧିନସ୍ଥ ମହଦା ଜଙ୍ଗଳରୁ ମଙ୍ଗଳବାର ରାତ୍ରି ୧୦ଟାରେ ଏକ ପିକ୍ଅପ ଭ୍ୟାନ୍ ତମିଆଁ ଦାବକାନୀରୁ ପାଟଣାଗଡ଼ ରାସ୍ତା ଦେଇ କୁକୁରମୁଣ୍ଡାର କାଠ ମାଫିଆ ସରଜୁଙ୍କ ଘରକୁ ଯାଉଥିଲା । ଖବର ପାଇ ବଲାଙ୍ଗୀର ଡିଏଫଓ, ଶ୍ରୀ ବିଶିଙ୍କ ନିର୍ଦ୍ଦେଶରେ ଲରମ୍ଭା ଫରେଷ୍ଟର ବିରଞ୍ଚି କୁମ୍ଭାରଙ୍କ ନେତୃତ୍ବରେ ଏକ ଟିମ୍ ଘୁମେର ଅଇଁଲାତୁଙ୍ଗା ଛକ ରାସ୍ତାରେ ଛପି ରହିଥିଲେ। ପରେ ଘୁମେର ଛକ ଠାରେ ଉକ୍ତ ପିକ୍ଅପ୍ ଭ୍ୟାନକୁ ଅଟକାଇବା ସମୟରେ କାଠ ମାଫିଆ ସରଜୁ ଚଳନ୍ତା ଗାଡିରୁ ଡେଇଁ ଫେରାର୍ ହୋଇଯାଇଥିଲା । ଏହାପରେ ବନ ବିଭାଗ କେନ୍ଦୁଗଣ୍ଡି ବୋଝେଇ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭର ମହେନ୍ଦ୍ର କୁଅଁରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ କେନ୍ଦୁଗଣ୍ଡିର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ କହିଛି ।