ନୂଆଦିଲ୍ଲୀ: ୫୬ତମ ଜିଏସଟି ପରିଷଦ ବୈଠକ ନୂଆଦିଲ୍ଲୀରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇ ଜିଏସଟି ସଂସ୍କାର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ଘୋଷିତ “ଦୀପାବଳୀ ଉପହାର”କୁ ଆଧାର କରି ଏହି ସଂସ୍କାର ସାଧାରଣ ନାଗରିକ, କମ୍ପାନୀ ଓ ରାଜ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରଖିଛି।
କ’ଣ ରହିଛି ମୁଖ୍ୟ ନିଷ୍ପତ୍ତି:
୧. ଦୁଇ-ସ୍ତରୀୟ ଜିଏସଟି ହାର:
- ବର୍ତ୍ତମାନର ୫%, ୧୨%, ୧୮% ଓ ୨୮% ଜିଏସଟି ସ୍ଲାବକୁ ହଟାଇ ଦୁଇ-ସ୍ତରୀୟ ହାର (୫% ଓ ୧୮%) ଲାଗୁ କରାଯାଇଛି। ଏହା ନବରାତ୍ରୀ ଆରମ୍ଭରୁ (୨୨ ସେପ୍ଟେମ୍ବର ୨୦୨୫) କାର୍ଯ୍ୟକାରୀ ହେବ।
- ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫% ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ ୧୮% ଜିଏସଟି ଲାଗୁ ହେବ।
- ତମାଖୁ, ପାନମସଲା ଓ କାର୍ବୋନେଟେଡ ପାନୀୟ ଭଳି “ସିନ୍ ଗୁଡ଼ସ” ଉପରେ ୪୦% ଜିଏସଟି ଲାଗୁ ହେବ।
୨. ବୀମା ଉପରେ ରିହାତି:
- ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ଫ୍ଲୋଟର ପଲିସି ଓ ବରିଷ୍ଠ ନାଗରିକଙ୍କ ବୀମା ପ୍ରିମିୟମ ଉପରେ ଜିଏସଟି ଛାଡ଼ କରାଯାଇଛି। ଯାହା ବୀମା ମୂଲ୍ୟକୁ ପ୍ରାୟ ୧୫% ଶସ୍ତା କରିବ।
୩. କୃଷି ଓ ହସ୍ତଶିଳ୍ପ ସାମଗ୍ରୀ ଉପରେ କର ହ୍ରାସ:
- ମାଟି ଅମଳ ମେସିନ, ଖାଦ୍ୟ ମେସିନ, କମ୍ପୋଷ୍ଟିଂ ମେସିନ, ହସ୍ତଶିଳ୍ପ, ମାର୍ବଲ, ଗ୍ରାନାଇଟ ଓ ଚମଡ଼ା ସାମଗ୍ରୀ ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି।
- ଦୃଷ୍ଟି ସଂଶୋଧନ ଚଷମା ଓ ଗଗଲ୍ସ ଉପରେ ଜିଏସଟି ୨୮% ରୁ ୫% କୁ କମାଯାଇଛି।
୪. ଅନ୍ୟାନ୍ୟ ସଂସ୍କାର:
- ସାର କ୍ଷେତ୍ରରେ ସଲଫୁରିକ ଅମ୍ଳ ଓ ଆମୋନିୟମ ଉପରେ ଜିଏସଟି ହ୍ରାସ କରାଯାଇଛି।
- ବ୍ୟାଙ୍କ ଓ ଏନବିଏଫସି ଦ୍ୱାରା ଦଣ୍ଡମୂଳକ ଚାର୍ଜ ଉପରେ ଜିଏସଟି ଛାଡ଼ ହୋଇଛି।
- ଅଟୋମେଟିକ ରିଟର୍ଣ୍ଣ ଫାଇଲିଂ ଓ ପ୍ରି-ଫିଲ୍ଡ ରିଟର୍ଣ୍ଣ ପ୍ରଣାଳୀ ପ୍ରଚଳନ ପାଇଁ ପ୍ରସ୍ତାବ ହୋଇଛି।
କ’ଣ ରହିଛି ରାଜ୍ୟ ସରକାରଙ୍କ ପ୍ରସ୍ତାବ:
- ଜିଏସଟି ହାର ହ୍ରାସ ଯୋଗୁଁ ରାଜ୍ୟମାନଙ୍କୁ ରାଜସ୍ୱ ହାନିର ଆଶଙ୍କା ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଯଥାକ୍ରମେ ୪୭,୭୦୦ କୋଟି ଓ ୨,୦୦୦ କୋଟି ଟଙ୍କାର ଆର୍ଥିକ ହାନି ନେଇ ଆକଳନ କରିଛନ୍ତି।
- ବିପକ୍ଷ ଶୁଶାସିତ ରାଜ୍ୟମାନେ କ୍ଷତିପୂରଣ ଦାବି କରିଛନ୍ତି, କିନ୍ତୁ ଆନ୍ଧ୍ରପ୍ରଦେଶ ଓ ଆସାମ ଏହି ସଂସ୍କାରକୁ ସମର୍ଥନ କରିଛନ୍ତି।
କମ୍ପାନୀମାନଙ୍କ ପାଇଁ ବଦଳିଲା ନିୟମ:
- ଶସ୍ତା ସାମଗ୍ରୀ ଓ ସେବା ଯୋଗାଣ ପାଇଁ ସୁଯୋଗ, କିନ୍ତୁ ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ରର କଡ଼ା ନଜର ରହିବ।
- ଅନଲାଇନ ଗେମିଂ ଓ କ୍ୟାସିନୋ ଉପରେ ୨୮% ଜିଏସଟି ବଜାୟ, ଯାହା ସରକାରଙ୍କ ରାଜସ୍ୱ ବୃଦ୍ଧିରେ ସହାୟକ ହେବ।
- ବୈଦେଶିକ ଏୟାରଲାଇନ ସେବା ଆମଦାନୀ ଉପରେ ଜିଏସଟି ଛାଡ଼।
ସାଧାରଣ ନାଗରିକଙ୍କ ପାଇଁ ଖୁସି ଖବର:
- ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଷ୍ଟିଲ, ସିମେଣ୍ଟ ଓ ଟେକ୍ସଟାଇଲ ଭଳି ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ।
- ବୀମା ପ୍ରିମିୟମ ଶସ୍ତା ହେବା ଦ୍ୱାରା ସ୍ୱାସ୍ଥ୍ୟ ଓ ଜୀବନ ବୀମା ଅଧିକ ସୁଲଭ ମୁଲ୍ୟରେ ମିଳିବ।
- ତେବେ ବିଳାସପୂର୍ଣ୍ଣ ଓ ସିନ୍ ଗୁଡ଼ସର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି।
ଏହି ଜିଏସଟି ସଂସ୍କାରକୁ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଐକମତ୍ୟ-ଆଧାରିତ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। କେନ୍ଦ୍ର ସରକାର ଏହାକୁ ଅର୍ଥନୀତିରେ ପାରଦର୍ଶିତା ଓ ସରଳତା ଆଣିବା ପାଇଁ ଏକ ପଦକ୍ଷେପ ବୋଲି କହିଛନ୍ତି। ଏହି ଜିଏସଟି ସସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ କରିବା ସହ ଏହା ସାଧାରଣ ଲୋକମାନଙ୍କ ପାଇଁ ଉପହାର ବୋଲି ଘୋଷଣା କରିଛନ୍ତି।