ରାୟଗଡ଼(ଗଜପତି),୧୯/୧୦ : ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ କରୁଥିବାବେଳେ ତହିଁ ମଧ୍ଯରୁ ଶିଶୁ ମହୋତ୍ସବ ତଥା ସୁରଭି କାର୍ଯ୍ୟକ୍ରମ ଅନ୍ୟତମ I ଉକ୍ତ କାର୍ଯ୍ୟକ୍ରମ ପାଇଁ ସରକାର ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିବାବେଳେ କାର୍ଯ୍ୟକ୍ରମରେ ପିଲା ସେମାନଙ୍କ ଲୁକ୍କାୟିତ ପ୍ରତିଭା ଦେଖାଇବା ପରିବର୍ତ୍ତେ  ସିଆରସିସି ଓ ଶିକ୍ଷକମାନଙ୍କ ଅବ୍ୟବସ୍ଥା ଖବର ଲୋକ ଲୋଚନକୁ ଆସିଛି । ଏହିଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁର ପ୍ରାଥମିକ ବିଦ୍ୟାଳୟରେ  ଅନୁଷ୍ଠିତ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ। ଏଥିରେ ଅନେକ ଅନିୟମିତତା ଓ ଅବ୍ୟବସ୍ଥା ହୋଇଥିବା ପଞ୍ଚାୟତ ପ୍ରତିନିଧିଙ୍କ ସମେତ ଅଞ୍ଚବାସୀ ଅଭିଯୋଗ କରିଛନ୍ତି l ଉକ୍ତ ଘଟଣାକୁ ନେଇ ଶିକ୍ଷାବିତମାନେ ଘୋର ନିନ୍ଦା କରିଥିବାବେଳେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଉଛି l ଏହାର ତଦନ୍ତ କରି ସମ୍ପୃକ୍ତ ସିଆରସିସି ଓ ଶିକ୍ଷକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି l

ପ୍ରକାଶ ଯେ, ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ରାୟଗଡ଼ ବ୍ଲକ ଅଧିନ ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ତଥା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଓ କେରାଣ୍ଡି ପଞ୍ଚାୟତର ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥୁବାବେଳେ ବିଭିନ୍ନ ପ୍ରତିଯୋଗିତାମାନ କରାଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବି, ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ଥିଲେ l ହେଲେ ଉକ୍ତ କାର୍ଯ୍ୟକ୍ରମ ସବୁ ଅବ୍ୟବସ୍ଥା ଓ ଅନିୟମିତତା ହୋଇଥିବା ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଯୀ ଓ ସମିତି ସଭ୍ୟା ସୁମିତ୍ରା ଶବର ଅଭିଯୋଗ ଆଣିଛନ୍ତି I ଦାୟିତ୍ୱରେ ଥିବା ସିଆରସିସି ରାଜୁ ଶବର ଓ ଶିକ୍ଷକମାନେ କୁନି କୁନି ପିଲାମାନଙ୍କୁ ଅପରାହ୍ନ ତିନିଟା ପରେ ଖାଇବାକୁ ଦେଇଥିଲେ। ଫଳରେ କାର୍ଯ୍ୟକ୍ରମ ସନ୍ଧ୍ଯା ଟା ପର୍ଯ୍ୟନ୍ତ ଚାଲୁ ହୋଇଥିବାରୁ ଦୂର ଦୂରାନ୍ତରୁ ଆସିଥିବା ପିଲାମାନେ ଅନ୍ଧାରରେ ଘରକୁ ଫେରିଥିଲେ l ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ରମ ହେଉ ହେଉ ମଞ୍ଚ ପରିଚାଳନାବେଳେକୁ ସବୁ ପଦାରେ ପଡ଼ିଗଲା I ମଞ୍ଚ ଉପରେ ସିଆରସିସି ଓ ଶିକ୍ଷକମାନେ ନିଶାସକ୍ତ ହୋଇ ମାଇକକୁ ଟଣାଟଣି କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି ସାଧାରଣରେ ଅଭିଯୋଗ ହେଉଅଛି । ଏଭଳି କାର୍ଯ୍ୟକ୍ରମ ହେବା ଜାଣି ସରପଞ୍ଚ କାର୍ଜୀ  ସିଆରସିସିଙ୍କୁ ଫୋନ୍ ଯୋଗେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ଏପ୍ରକାର କାର୍ଯ୍ୟକ୍ରମ ନ କରିବାକୁ ତାଗିଦ୍ ଓ ଚେତାବନୀ ଦେଇଛନ୍ତି ଏବଂ ସିଆରସିସିଙ୍କ ସମେତ ଦୁଇ ଜଣ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଇଓ ଟି. କିଶୋର କୁମାରଙ୍କୁ ଅବଗତ କରାଇଥିବା ସେ ପ୍ରକାଶ କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଅଳସ ଶବର ଉପସ୍ଥିତ ଥିବାବେଳେ ସଂପୃକ୍ତ ସିଆରସିସି ଓ ଶିକ୍ଷକମାନଙ୍କ ଆଚରଣକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ତଦନ୍ତ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରିଛନ୍ତି । ତେବେ ଅଭିଯୋଗ ସବୁ ମିଥ୍ୟା ଅଟେ ବୋଲି ପ୍ରକାଶ କରି ଆପଣମାନେ ଯାହା ଲେଖିବା କଥା ଲେଖନ୍ତୁ ବୋଲି ସିଆରସିସି ରାଜୁ ଶବର କହିଥିଲେ।

ଏ ସଂକ୍ରାନ୍ତରେ ଡିଇଓ ମାୟାଧର ସାହୁଙ୍କ ସହ ଯୋଗାଯୋଗ କରାଯିବାରୁ ସେ କଲ୍ ରିସିଭ୍ କରିନଥିବାରୁ ମତାମତ ମିଳିପାରିନାହିଁ।