ଭଜହରି ବାବୁ କହିଲେ ମୁଁ ଯେତିକି ବୁଝିଛି, ତାଙ୍କୁ ଜଣେ ବୁଦ୍ଧିଜୀବୀ, ପରିବେଶବିତ ହିସାବରେ ମୋର ଅନେକ ସମ୍ମାନ ଥିଲା । କିନ୍ତୁ ଆକ୍ଟିଭିଜିମ୍ ନାଁରେ ହିଂସା, ଅରାଜକତାକୁ ବଢ଼େଇବା, ଦେଶର ସମ୍ପତ୍ତିକୁ ନଷ୍ଟ କରିବା, ଆର୍ମି ଉପରେ ଆକ୍ରମଣ କରିବାକୁ ତ କେବେ ବି ସମର୍ଥନ ଦେଇହେବନି ।

ଜେନ୍-ଜି ନିଆଁ କେମିତି ଧୀରେ ଧୀରେ ନେପାଳରୁ ଭାରତର ଲେହ-ଲାଦାଖକୁ ବ୍ୟାପିଲାଣି ଦେଖିଲେଣି ତ! ଦେଖିବେନି ସାରା ଭାରତକୁ କେମିତି ଗ୍ରାସ କରିବ? ଆପଣ ତ ସେଇଆ ଚାହାଁନ୍ତି ନା? ଭଜହରି ବାବୁଙ୍କ ତୀକ୍ଷ୍ମ କଟାକ୍ଷର ବାଣ ମୋ ପ୍ରତି ଥିଲା । ବିରକ୍ତରେ ମୁଁ କହିଲି, ଅନ୍ୟ ଅରାଜକତତ୍ତ୍ୱଙ୍କ ପରି ମୁଁ ବି ଦେଶରେ ଅରାଜକତା ବ୍ୟାପିବାକୁ ଅପେକ୍ଷା କରିଛି ବୋଲି ଭାବୁଛନ୍ତି ନା କ’ଣ? କଥାକୁ ଅଣଦେଖା କରି କହିଲେ, ଆପଣ ଜେନ-ଜି କହିଲେ ବୁଝନ୍ତି କ’ଣ? ମୋର ଉତ୍ତର ଥିଲା ଏକ ସମ୍ବେଦନଶୀଳ ବୟସର ତରଳ ମାନସିକତା । ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନ ଯୁଗର ସୃଜନାତ୍ମକ ପିଲା । ଯିଏ ବାସ୍ତବିକତାଠାରୁ ଅଧିକ କଳ୍ପନାପ୍ରବଣ ଏବଂ ଆଜିର ସାମାଜିକ ଅବସ୍ଥିତିରେ ନିଜ ସ୍ଥିତିକୁ ନେଇ ଖୁବ୍ ପ୍ରତିକ୍ରିୟାଶୀଳ । ସେମାନେ ସ୍ଥାନୀୟଠାରୁ ଅଧିକ ବୈଶ୍ୱିକ ଆଦର୍ଶରେ ଅନୁପ୍ରାଣିତ । ବ୍ୟକ୍ତିଗତ ସ୍ୱାଚ୍ଛନ୍ଦ୍ୟକୁ ସାମୂହିକ ସ୍ୱାର୍ଥ ତୁଳନାରେ ଅଧିକ ପ୍ରାଧାନ୍ୟ ଦିଅନ୍ତି ।
ଭଜହରି ବାବୁ ଉତ୍ତର ଦେଲେ, ଉଚିତ କଥା ଯେତେବେଳେ ଦୁର୍ନୀତି, ପରିବାରବାଦ, ପ୍ରିୟାପ୍ରୀତି ତୋଷଣ ନୀତିରେ ପରିଚାଳିତ ସରକାରୀ ବ୍ୟବସ୍ଥା ନିଜ ନାଗରିକଙ୍କୁ ସୁଶାସନ ଦେବାରେ ବିଫଳ ହୁଏ³ ସେତିକିବେଳେ ଜନସାଧାରଣଙ୍କ ମନରେ ଏକ କୁହୁଳା ଅସନ୍ତୋଷର ମୂଳଦୁଆ ପଡ଼େ । ଆନ୍ଦୋଳନର ସୂତ୍ରପାତ କରିବାକୁ ଖୋରାକ ଯୋଗାଏ । ଠିକ୍ ସେତିକିବେଳେ ଲୋଡ଼ା ପଡ଼ନ୍ତି ଜେନ-ଜି ଅର୍ଥ ଯୁବପିଢ଼ି । କିନ୍ତୁ ନୈତିକ ଆଧାରରେ ହେଉଥିବା ପ୍ରତିବାଦ ବେଳେବେଳେ ପରିବର୍ତ୍ତନଠାରୁ ଅଧିକ ଘାତକ ପାଲଟିଯାଏ ଏବଂ ହିଂସ୍ର ବିଦ୍ରୋହର ରୂପ ନିଏ । ଅନେକ ସତ୍ୟ, ଅସତ୍ୟ ଓ ଅର୍ଦ୍ଧସତ୍ୟ ଭ୍ରମିତ ଖବରରେ ଭର୍ତ୍ତି ସୋସିଆଲ ମିଡିଆ ନିଆଁରେ ଘିଅ ଢାଳେ । ଏହାର ସତ୍ୟାସତ୍ୟ ତର୍ଜମା ନକରି ଜେନ-ଜି ବିଦ୍ରୋହର ନିଆଁରେ ଝାସ ଦିଏ ଏବଂ ଆନ୍ଦୋଳନର ଅସଲ ଉଦ୍ଦେଶ୍ୟ ପୁଣି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି, ସଙ୍ଗଠନ ଓ ବିଦେଶୀ ଶକ୍ତିଙ୍କ ହାତରେ ଅପହୃତ ହୋଇଯାଏ । ପରିଣାମରେ ଦେଶର ଐତିହ୍ୟ ଓ ସମ୍ପତ୍ତିର ଲୁଟତରାଜ, ପୋଡ଼ାଜଳା, ହିଂସାକାଣ୍ଡ, ଯାହା ନେପାଳରେ ଘଟିଲା । ଯଦି ଭ୍ରଷ୍ଟାଚାର ଓ ପରିବାରବାଦ ବିରୁଦ୍ଧରେ ଏ ଆନ୍ଦୋଳନ ଥିଲା ତା’ହେଲେ ସପିଙ୍ଗ ମଲ୍, ଦୋକାନ ବଜାରକୁ କାହିଁକି ଲୁଟାଗଲା । ଏହା ପ୍ରକାରାନ୍ତେ କୋଉ ନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରୁଥିଲା ଭାବିବା କଥା । ରାସ୍ତାଘାଟ, କୋଠାବାଡ଼ି, ସ୍ମାରକଗୁଡ଼ିକ କେଉଁ ରାଜନୈତିକ ଦଳ ବା ନେତାଙ୍କର ଅର୍ଜିତ ସମ୍ପତ୍ତି ତ ନୁହେଁ, ସେଗୁଡ଼ିକ ଜନତାଙ୍କ ସାମୂହିକ ସମ୍ପତ୍ତି । ସେଗୁଡ଼ିକୁ ନଷ୍ଟ କରିବା ଅର୍ଥ, ଦେଶର ଜନତାଙ୍କୁ ହାନି ପହଞ୍ଚେଇବା ଏବଂ ଦେଶକୁ ଆହୁରି ୫୦ବର୍ଷ ପଛକୁ ନେଇଯିବା । ତେଣୁ ଏକ ବିନାଶମୁଖୀ ଆନ୍ଦୋଳନ କିପରି ଭ୍ରଷ୍ଟାଚାରକୁ ପ୍ରତିହତ କରିପାରିବ ବରଂ ଏହା ସମାଧାନ ପରିବର୍ତ୍ତେ ଆହୁରି ସମସ୍ୟାକୁ ଜନ୍ମ ଦେବନାହିଁ କି? ପ୍ରାୟ ଆନ୍ଦୋଳନରେ କୌଣସି ନେତା କି ତାଙ୍କ ପରିବାର ଓ ସହଯୋଗୀ ବିଶେଷ କ୍ଷତିଗ୍ରସ୍ତ ହୁଅନ୍ତିନି । ସେମାନେ ତ ସୁବିଧା ଦେଖି ଦେଶରୁ ଫେରାର ହେଇଯାନ୍ତି, ଭୋଗନ୍ତି ସେହି ଜେନ-ଜି ତଥା ତାଙ୍କ ପିତାମାତା ଓ ଜନସାଧାରଣ, ଏହାଦ୍ୱାରା ଲାଭ କ’ଣ ହୁଏ । ଅନେକ ହିଂସା ଓ ରକ୍ତପାତ ସତ୍ତେ୍ୱ ବି ଗାନ୍ଧୀଜୀଙ୍କ ଅହିଂସ ଆନ୍ଦୋଳନକୁ ସଫଳତାର ମାନ୍ୟତା ମିଳେ, କାରଣ ସେ କିମ୍ବା ତାଙ୍କ ଅନୁଗାମୀ ନୈତିକ ମୂଲ୍ୟବୋଧକୁ ଛାଡ଼ିନଥିଲେ । ପ୍ରତିବାଦର ପଦ୍ଧତି ନିର୍ଣ୍ଣୟ କରେ ଯେ, ସେହି ଆନ୍ଦୋଳନ ସୁଦୃଢ଼ ହେବ କି ଦୁର୍ବଳ ।
ଯଦି ଦେଶର ନେତାଙ୍କଠାରୁ ଜନତା ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଦୁର୍ନୀତିର ଚେର ଲମ୍ବିଥିବ, ସେଠି ଆପଣ ନିର୍ମଳ ସରକାରଟେ ପାଇବେ କେଉଁଠୁ? ସିଙ୍ଗାପୁର ଓ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କୁ ଦେଖନ୍ତୁ, ସେମାନେ ନିଜ ଦେଶ ପ୍ରତି ଖୁବ୍ ସଚେତନ ଯଦି କୌଣସି ସମସ୍ୟା ଥାଏ, ସେ ଦେଶର ପ୍ରତ୍ୟେକ ନାଗରିକ ନିଜର ସମସ୍ୟା ବୋଲି ମନେକରନ୍ତି ଏବଂ କୌଣସି ସମାଧାନ ନବାହାରିଲା ପର୍ଯ୍ୟନ୍ତ ଆଚାର ବିଚାରନୁଯାୟୀ ନିଷ୍ଠାପର ଉଦ୍ୟମ ବି କରନ୍ତି । ମୁଁ କହିଲି, କିଏ ମନାକଲା । ଯେତେବେଳେ ବ୍ୟବସ୍ଥା ଅବ୍ୟବସ୍ଥାର ରୂପ ନିଏ, ସେତିକିବେଳେ ହିଁ ଆନ୍ଦୋଳନ ମୁଣ୍ଡ ଟେକେ । କିନ୍ତୁ ସବୁବେଳେ କ’ଣ ଆମେ ତା’ର ସମାଧାନ ପାଉ? ଭଜହରି ବାବୁଙ୍କ ଓଲଟା ପ୍ରଶ୍ନ ଥିଲା । ମୁଁ ପଚାରିଲି ଅର୍ଥାତ୍? ସେ କହିବା ଆରମ୍ଭ କଲେ, ଆପଣ ଲକ୍ଷ୍ୟ କରନ୍ତୁ ଆଜିକାଲି ପ୍ରାୟ କୌଣସି ଆନ୍ଦୋଳନ ସ୍ୱତନ୍ତ୍ର ନୁହେଁ । ବିଦେଶୀ ଶକ୍ତିମାନେ ପ୍ରାୟତଃ ସବୁ ଦେଶୀୟ ଆନ୍ଦୋଳନକୁ ହସ୍ତକ୍ଷେପ କରି ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ମାଧ୍ୟମ ସାଜନ୍ତି- କେବେ ମିଡିଆ, କେବେ ଏନ.ଜି.ଓ ଫଣ୍ଡିଂ ତ କେବେ ଗୋପନ ସମର୍ଥନ । କିନ୍ତୁ ବଳି ପଡ଼ନ୍ତି ଦେଶର ଯୁବପିଢ଼ି । କାରଣ ଆମେ କଥା ତ ବେଶି କହୁ, କିନ୍ତୁ କାମ କରୁନା । ସବୁଥିରେ ନିଜେ ଉଦାସୀନ ରହି ଖାଲି ବ୍ୟବସ୍ଥାକୁ ଦୋଷ ଦେଉ । ଶେଷରେ ଆନ୍ଦୋଳନ ମାଧ୍ୟମରେ ଜାତୀୟ ସମ୍ପତ୍ତିକୁ ଜଳାପୋଡ଼ା, ଭଙ୍ଗାରୁଜା କରି ମନକୁ ଥୟ ଦେଉ । ପରିଣାମରେ କେଉଁ ବିଦେଶୀ ଇସାରାରେ ପୁଣି ଏକ ସଖୀକଣ୍ଢେଇ ସରକାର ଦେଶର ଶାସନ ଭାର ନିଏ, କିନ୍ତୁ ଜନତାଙ୍କ ଦୁଃଖ ଯଥା ପୂର୍ବଂ ତଥା ପରଂ ରହେ । କିନ୍ତୁ ଆମ ଦେଶ ତ ଅରାଜକତାରେଭରା ନେପାଳ କି ବାଂଲାଦେଶ ନୁହେଁ । ଦେଶର ଶାସନ କ୍ଷମତାରେ ସୁଦୃଢ଼ ସରକାର ଅବସ୍ଥିତ । ତଥାପି କାହିଁକି ଏତେ ଅନିଶ୍ଚିତତାର ବାତାବରଣ, ମୁଁ ଥଟ୍ଟା କରି କହିଲି । ତାଙ୍କ ଉତ୍ତର ଥିଲା ସବୁ ସରକାରରେ ଯେମିତି ସମସ୍ୟା ଥାଏ, ସେମିତି ସମାଧାନର ବାଟ ବି ଖୋଜାଯାଏ । ଆପଣ ଜାଣିଛନ୍ତି ୟୁ.କେ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଆଦି ପ୍ରମୁଖ ଦେଶରେ ବିପକ୍ଷଙ୍କ ଏକ ଛାୟା ସଂସଦ ଥାଏ । ଯେଉଁଠି ସମସ୍ୟାର ଗଠନମୂଳକ ସମାଲୋଚନା କରାଯାଇ ସୃଜନଶୀଳ ପ୍ରସ୍ତାବ ଓ ବିକଳ୍ପ ଭାବନା ଦେଇ ସରକାରଙ୍କ ଲୋକାଭିମୁଖୀ ନୀତି ପ୍ରଣୟନକୁ ପ୍ରଭାବିତ କରାଯାଏ । ହେଲେ ଆମ ଦେଶରେ ତ ଓଲଟା କଥା ।
ଏଠି ଖାଲି ବିପକ୍ଷ ସବୁକଥାରେ ଦୋଷ ଲଦିବେ, କିନ୍ତୁ କେଉଁଥିରେ ଉତ୍ତରଦାୟୀ ରହିବେନି । ନହେଲେ ଅପରେସନ ସିନ୍ଦୂର ପରେ ଯେବେ ସାରା ବିଶ୍ୱର ନଜର ଭାରତ ଉପରେ । ପ୍ରବଳ ବୈଶ୍ୱିକ ଚାପ ସତ୍ତେ୍ୱ ମୁଣ୍ଡ ନନୁଆଁଇ ଆମ ଦେଶ ଟାରିଫ ପରେ ଟାରିଫ ସହି ଯେତେବେଳେ ନିଜକୁ ସଶକ୍ତ ଓ ସ୍ୱାବଲମ୍ବୀ ଭାବେ ପ୍ରତିପାଦିତ କରିବାକୁ ଆପ୍ରାଣ ଚେଷ୍ଟା କରୁଛି, ସେତେବେଳେ ଏକଜୁଟ ହେବା ବଦଳରେ ଖୋଲା ମଞ୍ଚରେ ସମ୍ବିଧାନର ଶପଥ ନେଇଥିବା ନେତା କହୁନଥାନ୍ତେ ଯେ ଗଣତନ୍ତ୍ର ବଞ୍ଚେଇବା ତାଙ୍କ କାମ ନୁହେଁ । ତାହେଲେ ତାଙ୍କ କାମ କ’ଣ କେବଳ ଲୋକଙ୍କୁ ଉସ୍କେଇ ଦେଶରେ ଅସ୍ଥିରତା ସୃଷ୍ଟି କରିବା । କେବେ ଇଭିଏମ, କେବେ ଭୋଟ ଚୋରି, ତୁଷ୍ଟିକରଣ, କିଛି ନହେଲେ ଜେନ-ଜି ଆବାହନ ନାଁରେ, ଏମାନଙ୍କଠାରୁ କ’ଣ ଦେଶ ପ୍ରତି ବିଶ୍ୱସନୀୟତା ଆଶା କରିବ । ବୁଝିଲେ, ଆପଣ ଭାବନ୍ତୁନି କଥା ଏଇଠି ସରିଗଲା ଆଗକୁ ଆହୁରି ତାମସା ଦେଖିବେ । ଯେଉଁଠି ଆପଣା ସୁନା ଭେଣ୍ଡି ସେଠି ବାହ୍ୟ ଶତ୍ରୁର ଆବଶ୍ୟକ କ’ଣ? କିନ୍ତୁ ଏତିକି ଜାଣିପାରିଲେନି ଯେ ନେପାଳୀ ଜେନ-ଜି ବି ଆମ ପ୍ରଧାନମନ୍ତ୍ରୀଙ୍କ ପରି ଦୃଢ଼, ସଶକ୍ତ ଓ ଦେଶପ୍ରତି ସମର୍ପିତ ନେତୃତ୍ୱ ଚାହୁଁଛନ୍ତି, ଯିଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶକୁ ସଠିକ ନେତୃତ୍ୱ ଦେଇପାରିବ । ତାହେଲେ ଲାଦାଖ ହିଂସା କ’ଣ ଥିଲା ଓ ସୋନମ ୱାଙ୍ଗଚୁକଙ୍କ ଭୂମିକାକୁ କାହିଁକି ଦୋଷ ଦିଆଯାଉଛି? ମୁଁ ପଚାରିଲି ।
ଭଜହରି ବାବୁ କହିଲେ ମୁଁ ଯେତିକି ବୁଝିଛି, ତାଙ୍କୁ ଜଣେ ବୁଦ୍ଧିଜୀବୀ, ପରିବେଶବିତ ହିସାବରେ ମୋର ଅନେକ ସମ୍ମାନ ଥିଲା । କିନ୍ତୁ ଆକ୍ଟିଭିଜିମ୍ ନାଁରେ ହିଂସା, ଅରାଜକତାକୁ ବଢ଼େଇବା, ଦେଶର ସମ୍ପତ୍ତିକୁ ନଷ୍ଟ କରିବା, ଆର୍ମି ଉପରେ ଆକ୍ରମଣ କରିବାକୁ ତ କେବେ ବି ସମର୍ଥନ ଦେଇହେବନି । ଫରେନ ଫଣ୍ଡିଙ୍ଗର ସ୍ରୋତ, ପାକିସ୍ତାନ, ବାଙ୍ଗଲାଦେଶକୁ ସନ୍ଦିଗ୍ଧ ଗସ୍ତ ପୁଣି ଖୋଲାଖୋଲି ଜେନ-ଜି ଓ ଆରବ-ସ୍ପ୍ରିଙ୍ଗର ନାଁ ନେଇ ଉଗ୍ର ଆନ୍ଦୋଳନ ପାଇଁ ପ୍ରରୋଚିତ କରିବା, ଶେଷକୁ ଚୀନକୁ ସମର୍ଥନ କରି କହିବା ଯେ ଏଥର ଚୀନକୁ ଆମେ ଅନୁପ୍ରବେଶର ରାସ୍ତା ଦେଖେଇଦେବୁର ଅର୍ଥକୁ ଜଣେ କିପରି ବୁଝିବ । ଆର୍ଟିକ୍ଲ-୩୭୦ ଥିଲାବେଳେ ତ କାହିଁ କାହା ପାଟିରୁ ଲାଦାଖ ସ୍ୱତନ୍ତ୍ର ରାଜ୍ୟ କଥା ଶୁଣୁନଥିଲୁ, ତତ୍କାଳୀନ କାଶ୍ମୀର ସରକାର ଅମଳରେ ଏ ସ୍ୱର କୋଉଠି ହଜିଯାଉଥିଲା । ଗତ ତିରିଶ ବର୍ଷ ହେଲା ଲାଦାଖ କେବଳ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଦାବି କରୁଥିଲା, ଯାହା ତାକୁ ୨୦୧୯ରେ ମିଳିଲା । ପୂର୍ବର ଲାଦାଖ ଓ ଏବେର ଲାଦାଖ ଭିତରେ ଭିତ୍ତିଭୂମିରେ ତ ଅନେକ ପରିବର୍ତ୍ତନ ଆସିଛି ।
ଆଗପରି ଏ ଅଞ୍ଚଳ ଆଉ ଅଣଦେଖା ହେଉନାହିଁ । କିନ୍ତୁ ସ୍ୱାୟତ୍ତ ଅଧିକାର ମିଳିବାର ମାତ୍ର ୫ବର୍ଷ ଭିତରେ ଏହାକୁ ରାଜ୍ୟର ବିଶେଷ ଦର୍ଜା ସହ ସବୁକିଛି ଦରକାର । ଚୀନକୁ ଲାଗିକିଥିବା ସୀମାନ୍ତର ଏ ସମ୍ବେଦନଶୀଳ ଅଞ୍ଚଳକୁ ଆକ୍ଟିଭିଜିମ୍ ନାଁରେ ଏସବୁ ଦୁର୍ଘଟଣା ଘଟେଇବାକୁ କେମିତି ହାଲ୍କାରେ ଗ୍ରହଣ କରିହେବ, ହିନ୍ଦୀ-ଚୀନୀ ଭାଇ-ଭାଇର ପରିଣାମ ବି ଏ ଦେଶ ଭୋଗିସାରିଛି । ନିକଟ ଅତୀତରେ ଗଲୱାନ ପରିସ୍ଥିତିକୁ ବି ଦେଖିସାରିଛି । ହେଲେ ଦେଶରେ ଅରାଜକତା ସୃଷ୍ଟି କରିବାର ମନସା ରଖି ପାଦେ ଦେଶରେ ରହିଲେ ଆର ପାଦକୁ ବିଦେଶରେ ଥୋଉଥିବା ନେତା କୁଆଡୁ ଦେଶ ଭାଗବଣ୍ଟାର ବ୍ୟଥା ବୁଝିପାରିବେ । କିଛି ନେତାଙ୍କ ନଜରରେ ଦେଶ ହେଲା ଏକ ଲୋଭନୀୟ ଭୂ-ସମ୍ପତ୍ତି । କିନ୍ତୁ ଆମପାଇଁ ସେ ଆମର ମା’ ଓ ମାତୃଭୂମି । ସେ ଯିଏବି ହେଉ, ଦେଶର ନିରାପତ୍ତା ଓ ସୁରକ୍ଷା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରୁଥିଲେ ନିଶ୍ଚୟ କଠୋର ପଦକ୍ଷେପ ନିଆଯିବା ଉଚିତ୍ ।
ଆପଣ କୁହନ୍ତୁ, ଆଗ ଶାସନ ବ୍ୟବସ୍ଥାରେ ଦେଶର ସୁରକ୍ଷା ଓ ନିରାପତ୍ତା । ଏବେ ସରକାର ଅମଳରେ ଦେଶର ଅଖଣ୍ଡତା ଓ ସୁରକ୍ଷାର ପ୍ରଚେଷ୍ଟାରେ ଆକାଶପାତାଳ ତଫାତ୍ ଅଛି ନା ନାହିଁ? ଦଶବର୍ଷ ତଳେ ଅର୍ଥନୈତିକ କ୍ଷେତ୍ରରେ ଏକାଦଶ ସ୍ଥାନ ଗ୍ରହଣ କରିଥିବା ଭାରତ ଆଜି ଚତୁର୍ଥ ସ୍ଥାନରେ, ତାହେଲେ ଦେଶରେ କ’ଣ କିଛି ପରିବର୍ତ୍ତନ ହେଇନି? ଆଗେ ଆଡ଼ଆଖିରେ ଚାହୁଁନଥିବା ବିଦେଶୀ ଏବେ ଭାରତୀୟଙ୍କୁ ସମ୍ମାନ ଦୃଷ୍ଟିରେ ଦେଖୁଛନ୍ତି । ଦେଶରେ ଅନେକ ଯୋଜନା ମଧ୍ୟରେ ଭିତ୍ତିଭୂମି ନିର୍ମାଣ, ପ୍ରତିରକ୍ଷାରେ ଆତ୍ମନିର୍ଭର, ସ୍ୱଦେଶୀ ବାଣିଜ୍ୟ, ସେମି-ସେମିକଣ୍ଡକ୍ଟର, ଇଲେକଟ୍ରୋନିକ୍ କମ୍ପାନେଣ୍ଟ, ଇ.ଭି. ବ୍ୟାଟେରୀ, ଡିଜିଟାଲ ଇଣ୍ଡିଆ ଆଦି ପ୍ରମୁଖ କ୍ଷେତ୍ରରେ ବିନିର୍ମାଣର ସୁଯୋଗ ସୃଷ୍ଟିକରି ଦେଶକୁ ଆତ୍ମନିର୍ଭର କରିବାକୁ ଯେଉଁ ପ୍ରୋତ୍ସାହନ ଦିଆଯାଉଛି ତାହା କ’ଣ ଟାଇମପାସ୍ ପାଇଁ ହେଉଛି । ଦେଶକୁ ଆଗେଇନେବା ପାଇଁ ସେପରି ଭିଜନ ବା ରାଷ୍ଟ୍ରୀୟ ଦୃଷ୍ଟିକୋଣ ଥିବା ଆବଶ୍ୟକ । ଆପଣଙ୍କ ମତ କ’ଣ? ପ୍ରଶ୍ନିଳ ଚାହାଣୀରେ ମତେ ପଚାରିଲେ ।
ଇନଫୋସିସର ପ୍ରତିଷ୍ଠାତା ନାରାୟଣମୂର୍ତ୍ତିଙ୍କ ଗୋଟିଏ କଥା ମନେ ପଡ଼ିଗଲା ଯେ, ବାସ୍ତବତାରେ ଗୋଟିଏ ପରିବର୍ତ୍ତନଶୀଳ ରାଷ୍ଟ୍ର ସମ୍ଭବ ହୁଏ କେବଳ ସେ ଦେଶର ଜନତାଙ୍କ ସଂକଳ୍ପିତ ମାନସିକତା ଯୋଗୁଁ । ତତ୍କ୍ଷଣାତ୍ ଭଜହରି ବାବୁ କହିଲେ, ଯଦି ଏ ଦେଶର ପ୍ରଧାନମନ୍ତ୍ରୀ ନିରଳସ ଭାବରେ ଦୀର୍ଘ ଏଗାର ବର୍ଷ ହେଲା ବିନା ଛୁଟିରେ ଦିନକୁ ୧୮ଘଣ୍ଟା ଦେଶ ନିମନ୍ତେ ଦେଇପାରୁଛନ୍ତି, ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁବପିଢ଼ି କାହିଁକି ନୁହେଁ । ସମସ୍ୟା ହିଁ ସାମାଧାନର ବାଟ କଢ଼ାଏ, ତେଣୁ ଆଜିର ପରିସ୍ଥିତିରେ ଦେଶ ଆଶା କରେ ଆନ୍ଦୋଳନ ଉଦ୍ୟମିତା, ସୃଜନଶୀଳତା, ଗବେଷଣା ଓ ସାମୂହିକ ସଙ୍କଳ୍ପ ନିହିତ ସ୍ୱାବଲମ୍ବୀ ଭାରତ ପାଇଁ ହେଉ । ଯେକୌଣସି କାର୍ଯ୍ୟ ହାତକୁ ନେବ ତାକୁ ସୁଚାରୁ ରୂପେ ସମ୍ପାଦନ କରାଯାଉ । ମୁଁ କହିଲି ହଁ ଯେ, କିନ୍ତୁ ବିଦେଶରେ ଲାଗିରହିଥିବା ଅନିଶ୍ଚିତତାଭରା ଜୀବନ ଓ ଜୀବିକା ପଛରେ ନପଡ଼ି ନିଜର ଆକାଂକ୍ଷା ସହ ଦେଶର ପ୍ରଗତିକୁ ଯଦି ଏକାତ୍ମ ଭାବରେ ଏ ଦେଶର ଜେନ- ଜି ଗ୍ରହଣ କରନ୍ତି, ତାହେଲେ ଆମକୁ ବି ଆଗାମୀର ଆତ୍ମନିର୍ଭର ଭାରତ ମିଳିଯିବ ଓ ଆମ ଉଭୟଙ୍କ ଓଠରେ ଏଥର ଭରସାର ହସଟିଏ ଉକୁଟି ଆସିଥିଲା ।