ଭୁବନେଶ୍ବର,୭।୧୦ : ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା। ଘାସିରାମ ମାଝୀ ହେଲେ କଂଗ୍ରେସ ପ୍ରାର୍ଥୀ। ପିସିସି ପକ୍ଷରୁ ପଠାଯାଇଥିବା ଘାସିରାମଙ୍କ ପ୍ରାର୍ଥୀତ୍ବକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଞ୍ଜୁରୀ ଦେଇଛନ୍ତି। ଏଆଇସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି।
୨୦୨୪ ସାଧାରଣ ନିର୍ବାଚନରେ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ନୂଆପଡାରୁ ନିର୍ବାଚନ ଲଢିଥିଲେ। ସେ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ କଡା ଟକ୍କର ଦେଇ ୨ୟ ସ୍ଥାନରେ ରହିଥିଲେ। ୫୦ ହଜାର ୯୪୧ ଖଣ୍ଡ ଭୋଟର ପାଇଥିଲେ । ଉପନିର୍ବାଚନରେ କଂଗ୍ରେସ ଘାସିରାମଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଘାସିରାମକୁ ପ୍ରାର୍ଥୀ କରି ଉପନିର୍ବାଚନରେ କଂଗ୍ରେସ ବାଜି ମାରିବାକୁ ଲକ୍ଷ୍ୟ ରଖିଛି।
ସୂଚନାଯୋଗ୍ୟ ଯେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଆସନ୍ତା ୧୩ରେ ନୂଆପଡ଼ା ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି। ଏହା ପରେ ନଭେମ୍ବର ୧୧ରେ ମତଦାନ ଥିବା ବେଳେ ନଭେମ୍ବର ୧୪ରେ ଭୋଟ୍ ଗଣତି ରହିଛି।