ଭୁବନେଶ୍ୱର/ରାଞ୍ଚି,୦୫/୧୧: ଝାଡ଼ଖଣ୍ଡର ଘାଟଶିଳା ବିଧାନସଭା ଆସନ ଉପନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପ୍ରଚାର କରିଛନ୍ତି । ସେ କହିଛନ୍ତି ଏଠାରେ ଭୋଟରମାନେ ପରିବର୍ତ୍ତନକୁ ବାଛିବେ । ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବେ । ପୂର୍ବ ସିଂହଭୂମି ଜିଲ୍ଲାର ଡମପଡାଠାରେ ବିଜେପି ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ଆୟୋଜିତ ନିର୍ବାଚନୀ ସଭାରେ ଶ୍ରୀ ମାଝୀ କହିଛନ୍ତି ଯେ, ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାର ୧ ବର୍ଷ ଭିତରେ ଜେଏମ୍ଏମ୍ ସରକାର ଲୋକଙ୍କ ଆସ୍ଥା ହରାଇଛି । ତେଣୁ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି । ରାଜ୍ୟ ସରକାର ଆଦିବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବାର ଦାବି କରୁଛନ୍ତି । କିନ୍ତୁ ରାଜ୍ୟରେ ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିଆସିଥିବା ହେମନ୍ତ ସୋରେନ ସରକାର ଆଦିବାସୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ପେସା ଆଇନ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ଫଳରେ ଆଦିବାସୀମାନେ ସେମାନଙ୍କ ହକ୍ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଆଦିବାସୀଙ୍କ ଉନ୍ନତି ପାଇଁ ବିଜେପି ସଂକଳ୍ପବଦ୍ଧ ବୋଲି ଉଲ୍ଲେଖ କରି ଶ୍ରୀମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ଓଡ଼ିଶା ଓ ଛତିଶଗଡ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ପାଇଥିଲାବେଳେ ଦେଶ ଜଣେ ଆଦିବାସୀ ରାଷ୍ଟ୍ରପତିଙ୍କୁ ମଧ୍ୟ ପାଇଛି । ବିକାଶର ଅନ୍ୟନାମ ବିଜେପି ବୋଲି ଉଲ୍ଲେଖକରି ସେ କହିଛନ୍ତି ଯେ, ଓଡ଼ିଶାରେ ୨୨ ଖଣିର ନିଲାମ ଡକାଯିବା ସହ ଅନେକ କାରଖାନାର ଶିଳାନ୍ୟାସ ଯୋଜନା କରାଯାଇଛି । ଝାଡ଼ଖଣ୍ଡରେ ବିଜେପି ଶାସନରେ ଆମେ ଏଭଳି ବିକାଶ ଦେଖିବାକୁ ଚାହୁଁ ବୋଲି ସେ କହିଛନ୍ତି । ପରେ ସେ ପୂର୍ବ ସିଂହଭୂମି ଜିଲ୍ଲାର ବାଲିଆପୁଷି ଫୁଟବଲ୍ ପଡ଼ିଆରେ ଆୟୋଜିତ ଜନସଭାରେ ବାବୁଲାଲଙ୍କ ସପକ୍ଷରେ ଉଦ୍ବୋଧନ ଦେଇଥିଲେ।
ଅପରାହ୍ନ ୩ଟାରେ ଝାଡ଼ଖଣ୍ଡରୁ ଫେରି ପାରାଦୀପ ନୂଆବଜାରରେ ଥିବା ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ ଘାଟଶିଳା ଉପନିର୍ବାଚନ ଲାଗି ଆସନ୍ତା ୧୧ତାରିଖରେ ଭୋଟ ଗ୍ରହଣ କରାଯିବ ଏବଂ ୧୪ରେ ଗଣତି ହେବ । ଗତ ଅଗଷ୍ଟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ତଥା ଶିକ୍ଷାମନ୍ତ୍ରୀ ରାମଦାସ ସୋରେନଙ୍କ ମୃତ୍ୟୁ ପରେ ଏହି ଆସନଖାଲି ପଡ଼ିଥିଲା । ୨୦୨୪ ବିଧାନସଭା ନିର୍ବାଚନରେ ରାମଦାସ ୨୨,୪୪୬ଭୋଟ ବ୍ୟବଧାନରେ ବାବୁଲାଲ ସୋରେନଙ୍କୁ ପରାସ୍ତ କରିଥିଲେ । ସେଠାରେ ବହୁ ଓଡ଼ିଆ ଭୋଟର ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ତାରକା ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।