ଭୁବନେଶ୍ୱର,୧୧/୧୦: ପୁଲିସ  ଏସ୍‌ଆଇ ଲିଖିତ ପରୀକ୍ଷା କେଳେଙ୍କାର ତଦନ୍ତ  ଗତ ୧୦ ଦିନ ହେବ କ୍ରାଇମ୍‌ବ୍ରାଞ୍ଚ କରୁଛି ।  ହେଲେ ଏପର୍ଯ୍ୟନ୍ତ ଘଟଣା ପଛର ମାଷ୍ଟର  ମାଇଣ୍ଟ ଧରାପଡ଼ି ନାହାନ୍ତି । ଏହାରି ଭିତରେ  ବଡ଼ ଖବର ସାମ୍ନାକୁ ଆସିଛି । ସରକାରଙ୍କୁ  ଅଡୁଆରେ ପକାଉଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି)କୁ ଉଚ୍ଛେଦ କରାଯିବ  ବୋଲି ଅତି ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି ।  ପୁଲିସ୍‌ର ସମସ୍ତ ପରୀକ୍ଷା ଏକ ବଡ଼ ଘରୋଇ ସଂସ୍ଥା ଦ୍ୱାରା କରିବାକୁ ସରକାର ଯୋଜନା  କରିଛନ୍ତି । ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ  ପାଇବ ବୋଲି ଜଣାପଡ଼ିଛି ।

ମିଳିଥିବା ଖବର ଅନୁସାରେ ଷ୍ଟାପ୍‌  ସିଲେକ୍ସନ୍‌ କମିଶନ ଯେତେବେଳେ ପୁଲିସ  ପରୀକ୍ଷା କରୁଥିଲା ସବୁ ଠିକ୍‌ ଠାକ୍‌ ଥିଲା ।  ଯେତେବେଳେ ଓପିଆର୍‌ବି ହାତକୁ ପରୀକ୍ଷା  ଗଲା ଗୋଟିଏ ବର୍ଷ ପରେ ବାରମ୍ବାର ଅକ୍ଷମଣୀୟ ତ୍ରୁଟି ଦେଖା ଦେଲା । ଏହାକୁ  ନଜରରେ ରଖି ସରକାର ଓପିଆର୍‌ବିକୁ  ଉଚ୍ଛେଦ କରିବାକୁ ଯୋଜନା କରିଛନ୍ତି ।  

ସେପଟେ ଓପିଆର୍‌ବି ନିଜ ଦୋଷ ଲୁଚାଇବାକୁ ଯାଇ ପରୀକ୍ଷା ପରିଚାଳନା କରିବା  ପାଇଁ ଟେଣ୍ଡର ପାଇଥିବା ସଂସ୍ଥା ଆଇଟିଆଇକୁ ନୋଟିସ୍‌ କରିଛି । ୧୦ ଦିନ ମଧ୍ୟରେ ପକ୍ଷ  କରିବାକୁ ଓପିଆରବି ନିର୍ଦ୍ଦେଶ ଦେଇଛି । ରାଜ୍ୟ  ସରକାର କୌଣସି ନିଯୁକ୍ତି ପରୀକ୍ଷା ଲାଗି ଏକ  ନିୟମାବାଳୀ ପ୍ରସ୍ତୁତ କରିଛନ୍ତି । ନିଯୁକ୍ତି ପରୀକ୍ଷା  କରୁଥିବା ସଂସ୍ଥା ଟେଣ୍ଡର ପାଇବା ପରେ ଅନ୍ୟ  କାହାକୁ ଦେଇ ପାରିବେ ନାହିଁ । ଯଦି ଦେବେ  ତାହେଲେ ସେ ସରକାରଙ୍କୁ ଅବଗତ କରିବା  କଥା । ସେହିପରି ଓପିଆର୍‌ବିଠାରୁ ଏସ୍‌ଆଇ  ନିଯୁକ୍ତି ପରୀକ୍ଷା ଟେଣ୍ଡର ପାଇଥିବା ଆଇଟିଆଇ  ଏହାକୁ ଖୋଲା ଉଲ୍ଲଙ୍ଘନ କରିଥିଲା ।  ଏସ୍‌ଆଇ ପରୀକ୍ଷା କରିବା ପାଇଁ ଟେଣ୍ଡର  ପାଇଥିଲା ଆଇଟିଆଇ । ନିଜେ ପରୀକ୍ଷା ନ  କରି ଏହାକୁ ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌  ଲିମିଟେଡ୍‌କୁ ହସ୍ତାନ୍ତର କରିଥିଲା । ସିଲିକନ୍‌  ନିଜେ ପରୀକ୍ଷା ନ କରି ଏହି ଦାୟିତ୍ୱ ପାନ୍‌ସଫ୍ଟ  ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦେଇଥିଲା ।  ସିଲିକନ୍‌କୁ ଦାୟିତ୍ୱ ଦେବା ବେଳେ  ଆଇଟିଆଇ ଏବିଷୟରେ ଓପିଆର୍‌ବିକୁ  ଜଣାଇଥିଲା । ହେଲେ ସିଲିକନ୍‌ଠାରୁ ଏହି  ଦାୟିତ୍ୱ ଯେତେବେଳେ ପାନ୍‌ସଫ୍ଟକୁ ଗଲା  ସେ ବିଷୟରେ ଆଇଟିଆଇ କାହାରିକୁ  ଜଣାଇ ନଥିଲା । କ’ଣ ପାଇଁ ଏ ବିଷୟରେ  ଓପିଆର୍‌ବିକୁ ଜଣା ଗଲାନାହିଁ ସେଥିପାଇଁ  ଆଇଟିଆଇକୁ ନୋଟିସ୍‌ କରାଯାଇଛି ।  ନୋଟିସ୍‌ରେ ଓପିଆର୍‌ବି ଉଲ୍ଲେଖ କରିଛି  ଏହି ଜାଲିଆତି ପାଇଁ ତମ ସହ ହୋଇଥିବା  ଟେଣ୍ଡର ବାତିଲ କରାଯାଇ ଅନ୍ୟ ସଂସ୍ଥାକୁ  ଟେଣ୍ଡର ଦିଆଯିବ । କ’ଣ ପାଇଁ ଟେଣ୍ଡର  ବାତିଲ ହେବ ନାହିଁ ୧୦ ଦିନ ମଧ୍ୟରେ ଜଣାଅ  ବୋଲି ଓପିଆର୍‌ବି କହିଛି ।

ସବୁଠାରୁ ବଡ଼ କଥା ହେଲା ଓପିଆରବି  ସରକାର ତିଆରି କରିଥିବା ନିୟମକୁ  ଖେଲାଖୋଲି ଉଲ୍ଲଙ୍ଘନ କରିଥିଲା । ଏସ୍‌ଆଇ  ପରୀକ୍ଷା କରିବା ପାଇଁ ଟେଣ୍ଡର ପାଇଥିଲା ଆଇଟିଆଇ । ନିଜେ ପରୀକ୍ଷା ନ କରି ପ୍ରଥମେ  ରିଚ୍‌ ନାମକ ଏକ ସଂସ୍ଥାକୁ ଦେଇଥିଲା । କ’ଣ  ହେଲା କେଜାଣି ଆଇଟିଆଇ ହଠାତ୍‌ ରିଚ୍‌କୁ  ବାହାର କରି ଦେଇଥିଲା । ପରେ ଆଇଟିଆଇ ଏହାକୁ ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌  ଲିମିଟେଡ୍‌କୁ ହସ୍ତାନ୍ତର କରିଥିଲା । ସିଲିକନ୍‌  ନିଜେ ପରୀକ୍ଷା ନ କରି ଏହି ଦାୟିତ୍ୱ ପାନ୍‌ସଫ୍ଟ  ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦେଇଥିଲା । ସରକାର ଗତ ମାସ ୨୨ ତାରିଖରେ ଜାରି  କରିଥିବା ଏସ୍‌ଓପିକୁ ହେୟଜ୍ଞାନ କରିଥିଲା  ଓପିଆରବି । ଫଳରେ ଏମିତି ବିଭ୍ରାଟ୍‌ ମୁଣ୍ଡ  ଟେକିଛି । ଓପିଆରବି ନିଜକୁ ବଞ୍ଚାଇବାକୁ  ଯାଇ ଆଇଟିଆଇକୁ ନୋଟିସ୍‌ ଦେଇ କାମ  ସାରି ଦେଇଛି ।  

ଏହି ଜାଲିଆତି ଘଟଣାରେ  ଓପିଆରବିଠାରୁ ପାନ୍‌ସଫ୍ଟର ଅଧିକାରୀ ଓ  କର୍ମଚାରୀଙ୍କ ଲିଙ୍କ୍‌ ରହିଛି । ହେଲେ ସେମାନଙ୍କ  ପାଖରେ ପହଞ୍ଚି ନାହିଁ କ୍ରାଇମ୍‌ବ୍ରାଞ୍ଚ । ଧରିବା ତ’ ଦୂରେ ଥାଉ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ  କରିନାହିଁ । ତଦନ୍ତ ଏମିତି ମୋଡରେ ଠିଆ  ହୋଇଛି ଯେ ଲାଗୁଛି ଯେମିତି ଏଥିରେ ସାମିଲ  ଥିବା ସବୁ ଅଭିଯୁକ୍ତ ଖସି ଯିବେ । ସେପଟେ  ପରୀକ୍ଷା ପାଇଁ ଆଇଟିଆଇ ଓ ସିଲିକନ୍‌  ପାଇଁ ଜଣେ ପ୍ରଫେସ୍‌ର କାମ କରୁଥିଲେ । ଉକ୍ତ ପ୍ରଫେସର ଓପିଆରବିର ଅଧ୍ୟକ୍ଷଙ୍କୁ  ମଧ୍ୟ ଦେଖା କରି ପ୍ରଶ୍ନପତ୍ର ଦେଇଥିଲେ। ହେଲେ ପ୍ରଶ୍ନପତ୍ର ଲିକ୍‌ ହେଲା କେମିତି ସେ  ବିଷୟରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ ଜାରି  ରଖିଛି । ହେଲେ ପ୍ରଫେସରଙ୍କୁ ଏପର୍ଯ୍ୟନ୍ତ  ପଚରାଉଚରା କରିନି କ୍ରାଇମ୍‌ବ୍ରାଞ୍ଚ ।