ମାଲକାନଗିରି, ୨୮/୯(ଆପ୍ର): ଡିଆରଜି, ବିଏସଏଫ ଯବାନ ଓ ମାଓବାଦୀ ମୁହାଁମୁହିଁ। ଯବାନ ଙ୍କ ଏନକାଉଣ୍ଟର ରେ ଦୁଇ ପୁରୁଷ ଏବଂ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରବିବାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଉତ୍ତର ବସ୍ତରର କାଙ୍କେର ଜିଲ୍ଲାର କାଙ୍କେର ପୋଲିସ ଷ୍ଟେସନ ଅନ୍ତର୍ଗତ ଛିନ୍ଦଖରକ ଗାଁ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି।
ଏନକାଉଣ୍ଟରରେ ନିହତ ଦୁଇ ପୁରୁଷ ଏବଂ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ଏସିଏମ କ୍ୟାର୍ଡର ସର୍ବାନ ମାଡ଼କାମ ଓରଫ ବିଶ୍ୱନାଥ ଓରଫ ବୁଧରାମ ଯାହାଙ୍କ ମୁଣ୍ଡ ଉପରେ ୮ଲକ୍ଷ ଟଙ୍କର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେହିପରି ଏସିଏମ କ୍ୟାଡର ରାଜେଶ ଓରଫ ରାକେଶ ହେମଲାର ମଧ୍ୟ ପ୍ରାଣ ହରାଇଛି। ଯାହା ମୁଣ୍ଡ ଉପରେ ୫ଲକ୍ଷ ଟଙ୍କା ପୁରସ୍କାର ଥିଲା। ଅନ୍ୟପଟେ ସେନା ଗୁଳିରେ ପ୍ରାଣ ହରାଇଥିବା ମହିଳା ମାଓବାଦୀ ବାସନ୍ତୀ କୁଞ୍ଜାମ ଓରଫ ହିଡମେ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା।
ତିନି ନିହତ ମାଓବାଦୀଙ୍କ ଉପରେ ମୋଟ ୧୪ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସୂଚନା ମୁତାବରକ, ବସ୍ତର ରେଞ୍ଜ ପୋଲିସ ମହାନିରୀକ୍ଷକ ସୁନ୍ଦରରାଜ ପି.(ଆଇପିଏସ୍), ଡେପୁଟି ଇନ୍ସପେକ୍ଟର ଜେନେରାଲ ଅମିତ ତୁକାରାମ କାମ୍ବଲେ (ଆଇପିଏସ୍), ବିଏସଏଫର ଡେପୁଟି ଇନ୍ସପେକ୍ଟର ଜେନେରାଲ ବିପୁଲ ମୋହନ ବାଲା, ବରିଷ୍ଠ ପୋଲିସ ଅଧୀକ୍ଷକ ଆଇ.କେ. ଏଲିସେଲା (ଆଇପିଏସ୍), ଏବଂ ଗାରିଆବନ୍ଦ ପୋଲିସ ଅଧୀକ୍ଷକ ନିଖିଲ ରାଖେଚା (ଆଇପିଏସ୍) ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଡିଆରଜି ଏବଂ ବିଏସଏଫର ଏକ ମିଳିତ ଦଳ ନିର୍ଦ୍ଧାରିତ ସମୟ ଅନୁଯାୟୀ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଛି। ଅଭିଯାନ ସମୟରେ, ଜଙ୍ଗଲରେ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ଆଧାର କରି ଏକ ଅପରେସନ ଆରମ୍ଭ କରାଯାଇଥିଲା। ପରେ ମାଓବାଦିଙ୍କ ସହ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା ।
ଏନକାଉଣ୍ଟର ପରେ, ଘଟଣାସ୍ଥଳର ଏକ ବିସ୍ତୃତ ସର୍ଚ୍ଚ ଅପରେସନ କରାଯାଇଥିଲା। ଘଟଣାସ୍ଥଳରୁ ଅନେକ ଏକେ୪୭ ବନ୍ଧୁକ, ଗୋଳାବାରୁଦ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଥିଲା। ମୃତଦେହଗୁଡ଼ିକର ପ୍ରାଥମିକ ଚିହ୍ନଟ ଏବଂ ପରିସ୍ଥିତିର ତଦନ୍ତ ଜାରି ରହିଛି। ଏନେଇ ସମସ୍ତ ଆଇନଗତ ପ୍ରକ୍ରିୟା ଏବଂ ପୋଷ୍ଟମର୍ଟମ୍ ସମାପ୍ତ ହୋଇଥିବା ଜଣାପଡିଛି।
ପୋଲିସ ମହାନିରୀକ୍ଷକ ଶ୍ରୀଯୁକ୍ତ ସୁନ୍ଦରରାଜ ପି. କହିଛନ୍ତି ଯେ କଷ୍ଟକର ଭୌଗୋଳିକ ପରିସ୍ଥିତି ଏବଂ ପାଗ ସତ୍ତ୍ୱେ, ବସ୍ତରରେ ନିୟୋଜିତ ପୋଲିସ ଏବଂ ସୁରକ୍ଷା ବାହିନୀ ଜୀବନ ଏବଂ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ସେ ମାଓବାଦୀ କ୍ୟାଡରମାନଙ୍କୁ ହିଂସାର ପଥ ପରିତ୍ୟାଗ କରି ସରକାରଙ୍କ ପୁନର୍ବାସ ନୀତିର ସୁଯୋଗ ନେଇ ମୁଖ୍ୟସ୍ରୋତକୁ ଫେରିବାକୁ ମଧ୍ୟ ନିବେଦନ କରିଛନ୍ତି। ନଚେତ୍ ସେମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ ଚେତାବନି ପ୍ରଦାନ କରିଛନ୍ତି।