ନୂଆଦିଲ୍ଲୀ,୧୪/୧୦: ହରିୟାଣାର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାର ଗତ ଅକ୍ଟୋବର ୭ ତାରିଖରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଚଣ୍ଡିଗଡ଼ ସ୍ଥିତ ସେକ୍ଟର ୧୧ରେ ଥିବା ବାସଭବନରେ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଥିଲେ ଆଇପିଏସ୍ ପୁରନ କୁମାର । ଘଟଣାରେ ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଲମ୍ବା ଛୁଟିରେ ପଠାଇଛନ୍ତି ରାଜ୍ୟ ସରକାର । ସୁଇସାଇଡ୍ ନୋଟ୍ରେ ଡିଜିପିଙ୍କ ସମେତ ୧୩ ବରିଷ୍ଠ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣିଥିଲେ ପୁରନ କୁମାର । ଏହି ଆଧାରରେ ଚଣ୍ଡିଗଡ଼ ପୁଲିସ ମାମଲା ଦାୟର କରି ତଦନ୍ତ ଜାରି ରଖିଛି । ଏହାରି ଭିତରେ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଯାଇଛି ।
ଘଟଣାରେ ପୂର୍ବ ରୋହତକ ଏସ୍ପି ନରେନ୍ଦ୍ର ବିଜାରନିୟାଙ୍କୁ ଶନିବାର ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ସୁରିନ୍ଦର ସିଂହ ଭୋରିୟାଙ୍କୁ ରୋହତକ ଏସପି ଦାୟିତ୍ୱ ମିଳିଛି । ବର୍ତ୍ତମାନ ସୁଦ୍ଧା ନରେନ୍ଦ୍ର ବିଜାରନିୟାଙ୍କୁ କୌଣସି ପଦରେ ନିୟୋଜିତ କରାଯାଇନାହିଁ । ଏବେ ଡିଜିପି ଶତ୍ରୁଜିତ କପରୁଙ୍କୁ ତଦନ୍ତ ଶେଷ ହେବା ଯାଏ ଲମ୍ବା ଛୁଟିରେ ପଠାଇଛନ୍ତି ରାଜ୍ୟ ସରକାର । ଏହି ପଦକ୍ଷେପ ପୁରନ କୁମାରଙ୍କ ପତ୍ନୀ ଅମନୀତଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ପରେ ନିଆଯାଇଛି । ଡିଜିପି ଶତ୍ରୁଜିତ ୨୦୨୩ ଅଗଷ୍ଟ ୧୬ରେ ହରିୟାଣାର ଶୀର୍ଷ ପୁଲିସ୍ ଅଧିକାରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହାପୂର୍ବରୁ ସେ ରାଜ୍ୟର ଦୁର୍ନୀତି ନିବାରଣ ବ୍ୟୁରୋର ନିର୍ଦ୍ଦେଶକ ଜେନେରଲ ଥିଲେ । ଆଜି ଆଇପିଏସ୍ ପୁରନ କୁମାରଙ୍କ ପରିବାରକୁ ଭେଟିପାରନ୍ତି ଲୋକସଭା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।
୨୦୦୧ ବ୍ୟାଚ ଆଇପିଏସ୍ ଅଫିସର ୱାଇ ପୁରନ କୁମାର । ରୋହତକ ପୁଲିସ ଟ୍ରେନିଂ ସେଣ୍ଟରରେ ଇନ୍ସପେକ୍ଟର ଜେନେରଲ ପଦରେ ନିୟୋଜିତ ଥିଲେ । ଅକ୍ଟୋବର ୭ରେ ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରୁ ୯ ପୃଷ୍ଠାର ସୁଇସାଇଡ୍ ନୋଟ୍ ମିଳିଥିଲା । ଯେଉଁଥିରେ ଜଣେ ବରିଷ୍ଠ ଆଇପିଏସ୍ ଓ ୨ ଜଣ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କ ନାମ ରହିଥିଲା । ମୋଟ ୧୩ ଜଣଙ୍କ ନାମରେ ଅଭିଯୋଗ କରିଥିଲେ ପୁରନ । ଘଟଣାର ୨ଦିନ ପୂର୍ବରୁ ରୋହତକ ଥାନାରେ ପୁରନଙ୍କ ଗନମ୍ୟାନଙ୍କ ବିରୋଧରେ ଏଫ୍ଆଇଆର ହୋଇଥିଲା । ତାହା ଦୁର୍ନୀତି ସହ ଜଡ଼ିତ ଥିଲା । ଏହି ମାମଲାରେ ତାଙ୍କୁ ଫସା ଯାଇପାରେ ବୋଲି ପୁରନ୍ କୁମାର ସନ୍ଦେହ କରିଥିଲେ । ତେଣୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ପୁରନଙ୍କ ପତ୍ନୀ ଅମନୀତ ପି.କୁମାର ମଧ୍ୟ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ । ଘଟଣା ଦିନ ସେ ଘରେ ନଥିଲେ । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ସହ ୫ ତାରିଖରେ ଜାପାନ ଗସ୍ତରେ ଥିଲେ ।