ମୋହନା, ୦୩/୧୦: ଦୁଇ ଦିନ ଧରି ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମୋହନା ବ୍ଲକ୍ ବନ୍ଧାଗୁଡ଼ାର ଲକ୍ଷ୍ମଣ ମଲ୍ଲିକ ନିଜ ଗୋଠର ଏକ ଗାଈକୁ ବଞ୍ଚାଇବାକୁ ଯାଇ ଲୁଡୁରୁ ନଦୀରେ ଭାସି ପ୍ରାଣ ହରାଇଛନ୍ତି । ଅଗ୍ନିଶମ ବାହିନୀ ଶୁକ୍ରବାର ସକାଳୁ ଲକ୍ଷ୍ମଣଙ୍କ ଶବ ସହିତ ଗାଈର ବି ମୃତଦେହ ଉଦ୍ଧାର କରିଛି । ସେହିପରି ରା.ଉଦୟଗିରି ଥାନା ଅନ୍ତର୍ଗତ ବଶ୍ରିଗୁଡାର ତ୍ରିନାଥ ନାୟକ ନାମକ ଗାଈ ଜଗୁଆଳଙ୍କ ମୃତ୍ୟୁ ଘଟିଛି। ସେ ଗାଁ ନିକଟ ପାହାଡ଼କୁ ଗାଈ ଚରାଇବାକୁ ଯାଇଥିଲା ବେଳେ ଭୂସ୍ଖଳନ ଘଟିବାରୁ ମାଟି ଓ ପଥର ତଳେ ଚାପି ହୋଇଯାଇଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଗଜପତି ଜିଲ୍ଲାକୁ ପଠାଇଛନ୍ତି।

ସେପଟେ ଜାତୀୟ ରାଜପଥ- ୩୨୬ରେ ହରଭଙ୍ଗୀ ନଦୀ ଉପରେ ନିର୍ମିତ ବେଡ଼ବନ୍ଧ ବ୍ରିଜ୍ ଭାଙ୍ଗି ଯାଇଥିବାରୁ ଲୁହାଗୁଡ଼ି- ମୋହନା ରାସ୍ତା ସିଲ୍ କରି ଦିଆଯାଇଛି। ଫଳରେ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି। ହରଭଙ୍ଗୀ ଡ୍ୟାମରେ ଜଳସ୍ତର ସର୍ବୋଚ୍ଚ କ୍ଷମତା ଛୁଇଁବା ପରେ ୫ଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଛି। ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ରା.ଉଦୟଗିରି ବ୍ଲକ୍ ଘୋଡାଶାଳ ଘାଟିରେ ଭୂସ୍ଖଳନ ଘଟିଛି। ମୋହନାରୁ ଭାୟା ରା.ଉଦୟଗିରି ହୋଇ ପାରଳାଖେମୁଣ୍ଡିକୁ ଯାତାୟାତ ବନ୍ଦ ରହିଛି । ରାୟଗଡ଼ ବ୍ଲକରେ ମଧ୍ୟ ଭୂସ୍ଖଳନ ଯୋଗୁଁ ମହେନ୍ଦ୍ରଗିରି ଠାରେ ୧୫ଜଣ ପର୍ଯ୍ୟଟକ ଫସି ରହିଥିଲେ। ପ୍ରଶାସନ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ବ୍ଲକର ବିଭିନ୍ନ ସ୍ଥାନରେ ଯାତାୟାତ ପ୍ରଭାବିତ ହୋଇଛି। ନୂଆଗଡ ବ୍ଲକର କିଛି ସ୍ଥାନରେ ମାଟି ଅତଡ଼ା ଧସି ଓ ଗଛ ପଡ଼ି ରାସ୍ତା ଅବରୋଧ ତଥା ରାସ୍ତା ଧୋଇ ହୋଇଥିବା ଜଣାପଡିଛି।