ସୁନ୍ଦରଗଡ଼,୨୧/୦୫: ସୁନ୍ଦରଗଡ଼ ଜିଲ୍ଲା ଇବ ନଦୀ ଉପରେ ରହିଥିବା କଲେଜ୍ ବ୍ରିଜ୍‌କୁ ଜିଲ୍ଲାପାଳ ଦୁର୍ବଳ ବୋଲି ଘୋଷଣା କରିଥିଲେ । ସେଥିପାଇଁ ଉକ୍ତ ବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ମଧ୍ୟ ନିଷେଧ କରାଯାଇଥିଲା । ହେଲେ ଜିଲ୍ଲାପାଳଙ୍କ ଆଦେଶକୁ ଅଣଦେଖା କରି ପୋଲ ଉପରେ ଭାରୀ ଯାନ ଯାତାୟାତ କରୁଛି । ବ୍ରିଜ୍‌ ଉପରେ କେବଳ ୩ ଟନ୍‌ ଓଜନର ଯାନ ଚଳାଚଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ପୁଲିସ ପ୍ରଶାସନ ଏହା ଉପରେ ଧ୍ୟାନ ଦେଉନଥିବାରୁ ବେଧଡ଼କ ଭାବେ ୫୦ ଟନ୍‌ରୁ ଉର୍ଦ୍ଧ୍ୱ ଓଜନର କୋଇଲା ବୋଝେଇ ଟ୍ରକ୍‌ ଚଳାଚଳ କରୁଛି । ଏ ବାବଦରେ ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ନନେଲେ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି।

ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ, ଏହି ବିପଦପୂର୍ଣ୍ଣ ଦୁର୍ବଳ ପୋଲରେ କେବଳ ଦୁଇ ଚକିଆ ଓ ଅଟୋ ଯିବା ପାଇଁ ଅନୁମତି ରହିଛି । ହେଲେ ଏହାକୁ ପାଳନ ନକରି ଉକ୍ତ ବ୍ରିଜ୍‌ରେ ଭାରୀ ଯାନ ଚଳାଚଳ କରୁଥିବାରୁ ପୋଲ ଭାଙ୍ଗିବାର ସମ୍ଭାବନା ରହିଛି । ବ୍ରିଜ୍ ଭାଙ୍ଗିଗଲେ ସୁନ୍ଦରଗଡ଼ରୁ ଟାଙ୍ଗରପାଲି, ଲେଫ୍ରିପଡା ଓ ହେମଗିରି ବ୍ଳକ୍ ବିଚ୍ଛିନ୍ନ ହୋଇଯିବ ।