ପୁରୀ, ୦୭/୧୧: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ମନ୍ଦିର ଭିତର ପ୍ରବେଶ କରିଲେ ଅମାନିଆ। ତାଙ୍କୁ ଜଗମୋହନ ନିକଟରେ ଧରିଛନ୍ତି ଜେଟିପି । ବ୍ୟକ୍ତି ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଶ୍ରୀମନ୍ଦିରକୁ ପୁଣି ଚଷମାରେ ହିଡେନ୍‌ କ୍ୟାମେରା ନେଇ ଜଣେ ଶ୍ରଦ୍ଧାଳୁ ପ୍ରବେଶ କରିଛନ୍ତି। ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କୁ ଜଗମୋହନ ନିକଟରେ ଧରିଛନ୍ତି ଜେଟିପି। ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ ବୋଲି ଜଣାପଡ଼ିଛି। ତାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସେହିଭଳି ଯାଜପୁରର ଶାନ୍ତନୁ ମିଶ୍ର ସେବାୟତ ବେଶରେ ଗର୍ଭଗୃହ ଭିତରକୁ ଯିବା ସମୟରେ ବେହରଣ ଦ୍ୱାର ନିକଟରେ ଜେଟିପି ଧରି ଗାରଦରେ ଅଟକ ରଖିଛନ୍ତି।

​​​​​​​

ବାରମ୍ୱାର ବାରଣ ସତ୍ତ୍ୱେ ଶ୍ରୀମନ୍ଦିରରେ ଏଭଳି ଘଟଣାର ପୁନରାବୃତ୍ତି ଘଟୁଛି । ସମସ୍ତ ନିୟମ ଉଲ୍ଲଙ୍ଘନ କରି ଅମାନିଆ ହିଡେନ୍ କ୍ୟାମେରା ନେଇ ମନ୍ଦିରରେ ପ୍ରବେଶ କରୁଛନ୍ତି। ମନ୍ଦିର ଭିତରର ଦୃଶ୍ୟ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରୁଛନ୍ତି । ବିଗତ ଦିନରେ ବାରମ୍ୱାର ଶ୍ରାମନ୍ଦିର ଉପରେ ଡ୍ରୋନ୍ ଉଡ଼ୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି ।