ଓରେମ: ଆମେରିକାର ପ୍ରଖ୍ୟାତ ରକ୍ଷଣଶୀଳ କାର୍ଯ୍ୟକର୍ତ୍ତା ତଥା ଟର୍ନିଂ ପଏଣ୍ଟ ଯୁଏସଏର ସହ-ପ୍ରତିଷ୍ଠାତା ଚାର୍ଲୀ କିର୍କଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ବ୍ୟବହୃତ ଏକ ହାଇ-ପାୱାର୍ଡ ବୋଲ୍ଟ-ଆକ୍ସନ ରାଇଫଲ ଉଟା ବିଶ୍ୱବିଦ୍ୟାଳୟ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏହି ଘଟଣା ବୁଧବାର ଉଟାର ଓରେମସ୍ଥିତ ଉଟା ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଘଟିଥିଲା। କିର୍କ ଏକ ଜନସଭାରେ “ପ୍ରୁଭ ମି ରଙ୍ଗ” କାର୍ଯ୍ୟକ୍ରମରେ ପ୍ରାୟ ୩,୦୦୦ ଶ୍ରୋତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଦୂର ଛାତ ଉପରୁ ତାଙ୍କ ବେକକୁ ଲକ୍ଷ୍ୟକରି ଗୁଳି ଚାଳନା କରାଯାଇ ତାଙ୍କର ହତ୍ୟା କରାଯାଇଥିଲା।
ଉଟା ଡିପାର୍ଟମେଣ୍ଟ ଅଫ ପବ୍ଲିକ ସେଫଟିର କମିଶନର ବେଉ ମାସନଙ୍କ ଅନୁଯାୟୀ, ସନ୍ଦିଗ୍ଧ ଜଣେ କଲେଜ ପଢୁଆ ଛାତ୍ର ବୟସର ବ୍ୟକ୍ତି ବୋଲି ମନେ ହେଉଛନ୍ତି। ତେଣୁ ସନ୍ଧିଗ୍ଧ ଜଣକ କ୍ୟାମ୍ପସରେ ସମସ୍ତଙ୍କ ସହ ସହଜରେ ମିଶି ଯାଇଥିଲେ। ସୁରକ୍ଷା କ୍ୟାମେରା ଫୁଟେଜରେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ପ୍ରାୟ ୧୧ଟା ୫୨ ମିନିଟରେ କ୍ୟାମ୍ପସରେ ପ୍ରବେଶ କରି ଛାତ ଉପରେ ଗୁଳି ଚାଳନା କରି ଘଟଣାସ୍ଥଳରୁ ପଳାଉଥିବା ଦେଖାଯାଇଛି। FBI ଏବଂ ସ୍ଥାନୀୟ ପୁଲିସ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ବ୍ୟାପକ ଅଭିଯାନ ଜାରି ରଖିଛନ୍ତି। ଫେସିଆଲ ରେକଗନିସନ ଟେକ୍ନୋଲୋଜି ସାହାଯ୍ୟରେ ସନ୍ଦିଗ୍ଧଙ୍କ ପରିଚୟ ଚିହ୍ନଟ କରାଯାଉଛି।
FBI ର ସଲ୍ଟ ଲେକ ସିଟି ଫିଲ୍ଡ ଅଫିସର ସ୍ପେଶାଲ ଏଜେଣ୍ଟ ରବର୍ଟ ବୋଲ୍ସ କହିଛନ୍ତି ଯେ, ଅପରାଧ ସ୍ଥଳରୁ ରାଇଫଲ ସହିତ ପାଦଚିହ୍ନ, ପାପୁଲି ଚିହ୍ନ ଏବଂ ହାତର ଛାପ ଉଦ୍ଧାର କରାଯାଇଛି। ଏହାକୁ FBI ଲାବୋରେଟୋରୀରେ ବିଶ୍ଳେଷଣ କରାଯାଉଛି। ବୋଲ୍ସ ଆଶ୍ୱାସନା ଦେଇଛନ୍ତି ଯେ, “ସନ୍ଦିଗ୍ଧ ନିଶ୍ଚିତ ଧରାପଡ଼ିବେ। ଆମେ ପ୍ରତ୍ୟେକ ସୂତ୍ର ଅନୁସରଣ କରୁଛୁ।”
ତଦନ୍ତକାରୀମାନେ ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ FBI ର ଟିପ୍ ଲାଇନରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହି ଘଟଣା ରାଜନୈତିକ ହିଂସା ଏବଂ ନିରାପତ୍ତା ଚିନ୍ତାକୁ ଆହୁରି ବୃଦ୍ଧି କରିଛି।