​​​​​​ନୂଆଦିଲ୍ଲୀ ୧୯/୦୯: ଉଭୟ ହଲିଉଡ୍‌ ଓ ବଲିଉଡ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ଖୁବ୍‌ଶୀଘ୍ର ବଲିଉଡ୍‌ରେ ପଦାର୍ପଣ କରିବେ ହଲିଉଡ୍‌ ଅଭିନେତ୍ରୀ ସିଡ୍‌ନୀ ସ୍ୱିନୀ । ୟୁଫୋରିଆଦ ହ୍ୱାଇଟ୍‌ ହାଉସ୍‌ରେ ଅଭିନୟ ପାଇଁ ସେ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଏକ ବଲିଉଡ୍‌ ପ୍ରଡକ୍ସନ୍‌ କମ୍ପାନି ୨୮ ବର୍ଷୀୟା ସିଡ୍‌ନୀଙ୍କୁ ଫିଲ୍ମ ଅଫର୍‌ କରିଛି । ଏଥିପାଇଁ ୫୩୦ କୋଟିରୁ ଅଧିକ ଟଙ୍କା ଅଫର୍‌ କରିଥିବା ଚର୍ଚ୍ଚା ହେଉଛି । ସିଡ୍‌ନୀ ଯଦି ଅଫର୍‌ ଗ୍ରହଣ କରନ୍ତି, ତେବେ ସେ ହେବେ ବଲିଉଡ୍‌ର ସର୍ବାଧିକ ପାରିଶ୍ରମିକପ୍ରାପ୍ତ ଅଭିନେତ୍ରୀ ।

ହଲିଉଡ୍‌ରୁ ବଲିଉଡ୍‌କୁ ଯାତ୍ରା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ପ୍ରସ୍ତାବିତ ଚୁକ୍ତିରେ ଉଭୟ ପାରିଶ୍ରମିକ ଓ ସ୍ପନ୍‌ସରସିପ୍‌ (ପ୍ରାୟୋଜକ) ବ୍ୟବସ୍ଥା ସାମିଲ ହେବ । ପାରିଶ୍ରମିକ ବାବଦକୁ ୪୧୫ କୋଟି ଓ ସ୍ପନ୍‌ସରସିପ୍‌ ବାବଦକୁ ୧୧୫ କୋଟିର ଡିଲ୍‌ ହୋଇଛି । ସିଡ୍‌ନୀଙ୍କ ଷ୍ଟାର୍‌ ପାୱାର ଅନ୍ତର୍ଜାତୀୟ ବଜାରରେ ବ୍ୟାପକ ସ୍ତରରେ ଦର୍ଶକଙ୍କ ପାଖରେ ଫିଲ୍ମକୁ ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି ପ୍ରଯୋଜକ ଆଶା କରୁଛନ୍ତି । ଫିଲ୍ମରେ ସିଡ୍‌ନୀ ଜଣେ ଯୁବ ଆମେରିକୀୟ ଷ୍ଟାର୍‌ ଭୂମିକାରେ ଅଭିନୟ କରିବେ । ଜଣେ ଭାରତୀୟ ସେଲିବ୍ରିଟିଙ୍କ ସହିତ ତାଙ୍କର ରୋମାଣ୍ଟିକ୍‌ ସମ୍ପର୍କ ଗଢ଼ିଉଠିବ । ୨୦୨୬ ଆରମ୍ଭରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ନ୍ୟୁୟର୍କ, ପ୍ୟାରିସ୍‌, ଲଣ୍ଡନ ଓ ଦୁବାଇରେ ଫିଲ୍ମ ସୁଟିଂ ହେବ ।

ଏହି ଅଫର୍‌ ସହ ସଂଶ୍ଳିଷ୍ଟ ରିପୋର୍ଟ ଅନୁସାରେ, ବଲିଉଡ୍‌ ଫିଲ୍ମ ଅଫର୍‌ ଶୁଣି ସିଡ୍‌ନୀ ପ୍ରଥମେ ଚକିତ ହୋଇଗଲେ । ୫୩୦ କୋଟି ଏକ ବଡ଼ ଡିଲ୍‌ । ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ବୃଦ୍ଧି ହେଉଛି । ପ୍ରଡକ୍ସନ୍‌ ହାଉସ୍‌ର ଅନ୍ତର୍ଜାତୀୟ ବଜାର ପ୍ରବେଶ ପାଇଁ ଏହି ଫିଲ୍ମ ନିର୍ମାଣ ହେଉଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି । ସିଡ୍‌ନୀ ଅଫର୍‌କୁ ନେଇ ଖୁବ୍‌ ଯତ୍ନବାନ । ଭଲଭାବେ ବିଚାର କରି ସେ ନିଷ୍ପତ୍ତି ନେବେ । ତାଙ୍କ ପାଖରେ ଅନେକ ଅଫର୍‌ ଅଛି, କିନ୍ତୁ ଜଣେ କଳାକାର ଭାବେ ଏହି ପ୍ରୋଜେକ୍ଟ ତାଙ୍କ ଅଭିନୟର ସୀମାକୁ ସୁଦୂରପ୍ରସାରୀ କରିବ । ସିଡ୍‌ନୀଙ୍କ ପ୍ରତିନିଧିମାନେ ଏ ନେଇ କୌଣସି ଔପଚାରିକ ପ୍ରତିକ୍ରିୟା ଦେଇନାହାନ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି କ୍ରିଷ୍ଟୀ। ଏଥିରେ ସେ ଜଣେ ଆମେରିକୀୟ ପ୍ରୋ-ଫାଇଟର୍‌ ଭୂମିକା ନିର୍ବାହ କରିଛନ୍ତି । ଫିଲ୍ମଟି ଆସନ୍ତା ନଭେମ୍ବର ୭ରେ ମୁକ୍ତିଲାଭ କରିବ ।