ସୋର, ୧୨/୯(ସ୍ୱପ୍ର): ଜଣେ ଛୋଟ ପୁଲିସ କର୍ମଚାରୀ। ଚକ୍ଷୁଦାନ କରି ଆଜି ସୋର ଥାନାର ମାନ ରଖିବା ସହିତ ଅମର ହୋଇଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ ବାଗୁଡ଼ି ଗ୍ରାମର କୈଳାସ ବେହେରା ସୋର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରନ୍ତି। ତେବେ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଗତକାଲି କୈଳାସ ବାଲେଶ୍ୱରରେ ହେଉଥିବା ଓଡ୍ରାଫ ଟ୍ରେନିଂ ପାଇଁ ସୋର ଥାନାରେ କାର୍ଯ୍ୟରତ ଅନ୍ୟ ଗୃହରକ୍ଷୀଙ୍କ ସହିତ ଯାଇଥିଲେ।

କିନ୍ତୁ ଅପରାହ୍ନରେ ସେଠାରୁ ଟ୍ରେନିଂ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଖନ୍ତାପଡ଼ା ଥାନା ବେଗୁନିଆ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନିୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାହାନଗା ଏବଂ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶୁକ୍ରବାର ସକାଳେ କୈଳାସଙ୍କ ପରିବାର ତାଙ୍କ ଚକ୍ଷୁ ଦୁଇଟିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ବାବଦରେ ସମସ୍ତ କାଗଜପତ୍ର ପ୍ରସ୍ତୁତି ସରିବା ପରେ ତାଙ୍କ ଆଖି ଦ୍ୱୟକୁ ସୁରକ୍ଷିତ ଭାବେ କଢ଼ା ଯାଇଥିଲା। ପୁଲିସ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ପରିବାର ଲୋକେ, ଗ୍ରାମବାସୀ ଏବଂ ସୋର ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ମାନେ ତାଙ୍କ ମର ଶରୀରକୁ ସୋର ଥାନାକୁ ଆଣିଥିଲେ। ସେଠାରେ ଥାନାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇସାରିବା ପରେ ବାଗୁଡ଼ି ଅଭିମୁଖେ ତାଙ୍କ ମର ଶରୀରକୁ ନିଆଯାଇଥିଲା।

କୈଳାସ ଜଣେ ଅତ୍ୟନ୍ତ ଭଦ୍ର, ନମ୍ର ଏବଂ ପରୋପକାରୀ ଯୁବକ ଥିଲେ। ତେଣୁ ଗ୍ରାମରେ ତାଙ୍କ ଶବ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।