ନୂଆଦିଲ୍ଲୀ,୦୫/୧୧: ପପ୍‌ ସଂସ୍କୃତିରେ ପଳାୟନ କାହାଣୀର ସ୍ୱତନ୍ତ୍ର ସ୍ଥାନ ରହିଛି । ଡ୍ରାମା, ରୋମାଞ୍ଚ, ଧୈର୍ଯ୍ୟ ଏବଂ ସିନେମା ନିର୍ମାଣରେ ପର୍ଯ୍ୟାପ୍ତ ସ୍ୱାଧୀନତା ଏଭଳି ସାହସିକ କାହାଣୀର ଆଧାର । ଯଦି ଏଥିରେ ବାସ୍ତବ ଜୀବନର ତତ୍ତ୍ୱ ଯୋଡ଼ି ହୁଏ, କାହାଣୀ ଆହୁରି ଅଧିକ ବିଶ୍ୱାସଯୋଗ୍ୟ ହୋଇଯାଏ । କାରଣ ଅନେକଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ବେଳେ କିଛି ଲୋକ ମହତ କାର୍ଯ୍ୟ କରିଥାନ୍ତି ।

ସିଆଇଏ ଅନୁପ୍ରବେଶକାରୀ ବିଶେଷଜ୍ଞ ଟୋନି ମେଣ୍ଡେଜ ୧୯୮୦ ଦଶକ ପ୍ରାରମ୍ଭରେ ସଙ୍କଟଗ୍ରସ୍ତ ଇରାରେ ବନ୍ଦୀ ଥିବା ନିଜର ୬ ଜଣ ସାଥୀ ଆମେରିକୀୟଙ୍କୁ ଉଦ୍ଧାର କରିବାକୁ ଏହି ତରିକା ଆପଣେଇଥିଲେ । ଆଜିକୁ ୪୬ ବର୍ଷ ତଳେ, ୧୯୭୯, ନଭେମ୍ବର ୪ରେ କୂଟନୀତିଜ୍ଞ ଓ ସାଧାରଣ ନାଗରିକଙ୍କ ସମେତ ୬୬ ଜଣ ଆମେରିକୀୟଙ୍କୁ ତେହରାନ ସ୍ଥିତ ଆମେରିକା ଦୂତାବାସରେ ବନ୍ଧକ ରଖାଯାଇଥିଲା । ଇରାନର କ୍ଷୁବ୍ଧ ଜନତା ସେହି ଅଟ୍ଟାଳିକାରେ ଧ୍ୱଂସଲୀଳା ରଚିଥିଲେ । ଆତଙ୍କିତ ଆମେରିକୀୟମାନେ ଗୋପନ ସରକାରୀ ଦସ୍ତାବିଜଗୁଡ଼ିକୁ ନଷ୍ଟ କରିଦେଲେ ଏବଂ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିଲେ । ଇରାନ ରାସ୍ତାଘାଟରେ ଆନ୍ଦୋଳନକାରୀମାନେ ଡାହାଳ କୁକୁର ଭଳି ଆମେରିକୀୟଙ୍କ ଶିକାର ଲାଗି ଘୂରିବୁଲିଲେ । ବନ୍ଧୁକ ମୁନରେ ସେମାନଙ୍କ ଜୀବନ ନେବାରେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କଲେ ନାହିଁ ।

ଇରାନର ସ୍ୱେଚ୍ଛାଚାରୀ ଶାସକ ମହମ୍ମଦ ରେଜା ପହ୍ଲବୀଙ୍କୁ ସମର୍ଥନ ଯୋଗୁ ଇରାନବାସୀଙ୍କ ମଧ୍ୟରେ ଆମେରିକୀୟବିରୋଧୀ ଭାବନା ଜନ୍ମ ନେଇଥିଲା । ସେହି ବର୍ଷ ଇରାନୀ ବିପ୍ଳବରେ ଶାହଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ସୂଚନାଯୋଗ୍ୟ, ଅକ୍ଟୋବର, ୧୯୭୯ରେ ଇରାନବାସୀଙ୍କ କ୍ରୋଧ ଜ୍ୱାଳାମୁଖୀ ଭଳି ଫୁଟିଥିଲା । ସେତେବେଳେ ଜଣାପଡ଼ିଥିଲା ଯେ ଆମେରିକୀୟ ଅଧିକାରୀମାନେ ଚିକିତ୍ସା ଲାଗି ଶାହଙ୍କୁ ଆମେରିକା ପଠାଇବାକୁ ଏକମତ ହୋଇଛନ୍ତି । ଶାହଙ୍କୁ ପୁନଃ ଗାଦିରେ ବସାଇବା ଲାଗି ଆମେରିକା ଯୋଜନା କରୁଛି ବୋଲି ଇରାନବାସୀ ଆଶଙ୍କା କରିଥିଲେ । ଆମେରିକୀୟ ବନ୍ଧକଙ୍କ ମଧ୍ୟରୁ ୬ ଜଣ ଦୂତାବାସର ପଛପଟ ଦ୍ୱାର ଦେଇ ପଳାୟନ କରିବାରେ ସକ୍ଷମ ହେଲେ । ଏଥିରେ ସାମିଲ ରୋବର୍ଟ ଆଣ୍ଡର୍ସ ନାମକ ଜଣେ କୂଟନୀତିଜ୍ଞ କାନାଡ଼ାର ନିଜ ପ୍ରତିପକ୍ଷ ଜନ୍‌ ଶିୟରଡାଉନ୍‌ଙ୍କୁ ସାହାଯ୍ୟ ମାଗିଲେ । ଉକ୍ତ ଗ୍ରୁପ୍‌ର ୬ ଜଣଙ୍କ ମଧ୍ୟରୁ ୪ ଜଣ ଶିୟରଡାଉନ୍‌ଙ୍କ ଘରେ ରହିଲେ । ଅନ୍ୟ ଦୁଇଜଣ କାନାଡ଼ା ରାଷ୍ଟ୍ରଦୂତ କେନେଥ ଟେଲରଙ୍କ ଘରେ ରହିଲେ । ଏ ଖବର ଯେତେବେଳେ ଆମେରିକାରେ ପହଞ୍ଚିଲା, ଗୁଇନ୍ଦା ଏଜେନ୍ସି ସିଆଇଏ ସେମାନଙ୍କୁ ଦେଶରୁ ବାହାର କରିବା ନେଇ ସେତେ ଆଶାବାଦୀ ନ ଥିଲା ।

ଟୋନି ମେଣ୍ଡେଜ ଏ ମାମଲାରେ ଏଣ୍ଟ୍ରି କଲେ ଏବଂ ତାଙ୍କ କଳ୍ପନା ବାସ୍ତବତାର ରୂପ ନେଲା । ସେ ୬ ଜଣ କୂଟନୀତିଜ୍ଞଙ୍କୁ ସଙ୍କଟଗ୍ରସ୍ତ ଇରାନରୁ ବାହାର କରିବାକୁ ଏକ ଯୋଜନା କଲେ । ସେମାନଙ୍କୁ କାନାଡ଼ାର ଏକ ଫିଲ୍ମ ଟିମ୍‌ର ସଦସ୍ୟ ଭାବେ ଦର୍ଶାଇଲେ, ଯେଉଁମାନେ ‘ଷ୍ଟାର୍‌ ୱାର୍ସ’ ଶୈଳୀର ଏକ ସାଇନ୍ସ-ଫିକ୍ସନ୍‌ ଫିଲ୍ମର ସୁଟିଂ ପାଇଁ ସ୍ଥାନ ଚୟନ କରିବାକୁ ଇରାନ ଆସିଛନ୍ତି ବୋଲି କହିଲେ । ୬ ଆମେରିକୀୟ ବନ୍ଧକଙ୍କୁ ଇରାନରୁ ବାହାର କରିବା ପାଇଁ ଯେଉଁ ନକଲି ଫିଲ୍ମର ଉପଯୋଗ ହୋଇଥିଲା, ତା’ର ନାଁ ଥିଲା ‘ଆର୍ଗୋ’ । ଏହି ମିଶନ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା, ଯାହାର କୋଡ୍‌ନେମ୍‌ ଥିଲା ‘କାନାଡ଼ିଆନ୍‌ କେପର୍‌’, ଅର୍ଥାତ୍‌ କାନାଡିଆନ୍‌ ଏସ୍କେପ୍‌ଡ । ପୂର୍ବରୁ କଦାପି ଏଭଳି ପ୍ରୟାସ ହୋଇନଥିଲା । ହଲିଉଡ୍‌ ସୁପରଷ୍ଟାର୍‌ ଓ ଫିଲ୍ମ ନିର୍ମାତା ବେନ୍‌ ଆଫ୍ଲେକ୍‌ ୨୦୧୨ରେ ‘ଆର୍ଗୋ’ ଫିଲ୍ମ ନିର୍ମାଣ କଲେ । ଟୋନି ମେଣ୍ଡେଜ ବାସ୍ତବ ଜୀବନର ସେହି ଚରିତ୍ର ଥିଲେ, ଯାହାଙ୍କ ଭୂମିକାକୁ ବେନ୍‌ ଆଫ୍ଲେକ୍‌ ନିଜର ପୁରସ୍କାର-ବିଜେତା ଫିଲ୍ମ ‘ଆର୍ଗୋ’ରେ ନିର୍ବାହ କରିଥିଲେ । ଫିଲ୍ମର ପ୍ରଚ୍ଛଦ କାହାଣୀ ପ୍ରସ୍ତୁତ କରିବାକୁ ବେନ୍‌ ହଲିଉଡ୍‌ ବିଶେଷଜ୍ଞଙ୍କ ସହ କାମ କରିଥିଲେ । ଟୋନି ନିଜେ ନକଲି ପରିଚୟପତ୍ରରେ ଇରାନ ଯାତ୍ରା କରିଥିଲେ ଏବଂ କୌଣସି ପ୍ରକାର କୂଟନୀତିଜ୍ଞମାନଙ୍କୁ ଏହି ଯୋଜନାନୁସାରେ ଯିବାକୁ ରାଜି କରାଇଥିଲେ ।