ବିଶାଖାପଟ୍ଟନମ, ୦୯/୧୦: ଚଳିତ ମହିଳା  ଦିନିକିଆ ବିଶ୍ୱକପ୍‌ର ନବମ ଲିଗ୍‌ ମ୍ୟାଚ୍‌ରେ ଆୟୋଜକ ଭାରତ - ଦକ୍ଷିଣ ଆଫ୍ରିକାକୁ ଭେଟିବ । ଉଭୟ ଦଳ ଚମତ୍କାର ଫର୍ମରେ ରହିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଭାରତ ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ଶ୍ରୀଲଙ୍କା ଓ  ପାକିସ୍ତାନକୁ ପରାଜିତ କରି ସାରିଛି । ପଏଣ୍ଟ ତାଲିକାରେ ଦଳ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି । ଆଜି ଦକ୍ଷିଣ ଆଫ୍ରିକାକୁ ହରାଇ ଘରୋଇ ଦଳ ଶୀର୍ଷ ସ୍ଥାନ ଦଖଲ କରିବାକୁ  ପ୍ରୟାସ କରିବ । ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ  ଠାରୁ ୧୦ ୱିକେଟ୍‌ରେ ପରାଜିତ ହୋଇଥିଲା । ମାତ୍ର ଏହାପରେ  ଦଳ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି । ନ୍ୟୁଜିଲାଣ୍ଡ ଭଳି ଏକ ଅଭିଜ୍ଞ ତଥା ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟୀ ହୋଇ ଦକ୍ଷିଣ ଆଫ୍ରିକା ମନୋବଳ ସୁଦୃଢ କରିଛି । ଆଜି ଭାରତକୁ କଡ଼ା ଜବାବ ଦେବାକୁ ଦକ୍ଷିଣ ଆଫ୍ରିକା ପ୍ରସ୍ତୁତ ରହିଛି ।  

ପୂର୍ବ ରେକର୍ଡକୁ ଦେଖିଲେ ଆଜି ଭାରତର ପଲା ଭାରି ରହିବା ସ୍ୱାଭାବିକ । ଚଳିତ ବର୍ଷ ଉଭୟ ଦଳ ୨ଟି ଦିନିକିଆ ଖେଳିଛନ୍ତି  ଓ ଉଭୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ତେଣୁ ବିଜୟ ଧାରା ଅବ୍ୟାହତ ରଖିବାକୁ ଭାରତୀୟ ଦଳ ଅପେକ୍ଷା  କରିଛି । ତଥାପି ଦକ୍ଷିଣ ଆଫ୍ରିକାକୁ ଭେଟିବା ପୂର୍ବରୁ ଭାରତୀୟ  ଦଳ ଅନେକ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବ । ଏପର୍ଯ୍ୟନ୍ତ ଦଳର  ପ୍ରମୁଖ ବ୍ୟାଟରମାନଙ୍କ ବ୍ୟାଟ୍‌ରୁ ରନ୍‌ ବାହାରି ନାହିଁ । ନିମ୍ନ ଭାଗ  ବ୍ୟାଟର ଓ ବୋଲରଙ୍କ ପ୍ରଦର୍ଶନ ବଳରେ ଭାରତ ପ୍ରଥମ ୨ଟି ମ୍ୟାଚ୍‌  ଜିତିଛି । କେବଳ ହର୍ଲିନ ଦେଓଲଙ୍କୁ ଛାଡି ଦେଲେ ଅନ୍ୟ କେହି  ବଡ଼ ଇନିଂସ ଖେଳି ନାହାନ୍ତି । ସ୍ମୃତି ମନ୍ଧନା, ହର୍ମନପ୍ରୀତ କୌର,  ଜେମିମା ରୋଡ୍ରିଗ୍ସ ଯଥା ସମ୍ଭବ ସହଳ ଫର୍ମ ଫେରି ପାଇବା ଜରୁରି ।  ମନ୍ଧନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୮ଟି ଦିନିକିଆ ଖେଳି ୩ଟି  ଶତକ ସହ ୫୩.୨୯ ହାରରେ ୯୦୬ ରନ ସଂଗ୍ରହ କରିସାରିଛନ୍ତି ।  ହର୍ମନପ୍ରୀତ ମଧ୍ୟ ୮୦୨ ରନ ସଂଗ୍ରହ କରିଛନ୍ତି । ଆସନ୍ତା କାଲି  ଉଭୟ ପୂର୍ବ ପ୍ରଦର୍ଶନକୁ ଦୋହରାଇବା ଆଶା କରାଯାଇପାରେ ।

ଦକ୍ଷିଣ ଆଫ୍ରିକାର ଦୁଇ ପ୍ରମୁଖ ବ୍ୟାଟର ତଜନିମ ବ୍ରିଟ୍ସ  ଓ ଦନେ ଲୁସ ଚମତ୍କାର ଫର୍ମରେ ରହିଛନ୍ତି । ବ୍ରିଟ୍ସ ଖେଳିଥିବା  ଶେଷ ୫ଟି ଦିନିକିଆରେ ୪ଟି ଶତକ ଅର୍ଜନ କରିଛନ୍ତି । ଗତ  ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ଶତକ ଅର୍ଜନ କରି ଦଳକୁ  ବିଜୟୀ କରାଇଥିଲେ । ବ୍ରିଟ୍ସ ଖେଳିଥିବା ଶେଷ ୧୦ଟି ମ୍ୟାଚ୍‌ରେ  ମୋଟ୍‌ ୬୨୬ ରନ ସଂଗ୍ରହ କରିସାରିଛନ୍ତି। ଆଜି  ତାଙ୍କୁ ସହଳ ଆଉଟ କରିବା ପାଇଁ ଭାରତ ପ୍ରୟାସ କରିବ ।  ସେହିପରି ବାମ ହାତି ସ୍ପିନର ନୋନକୁଲୁଲେକୋ ମଲାବାଙ୍କ  ପ୍ରତି ମଧ୍ୟ ଭାରତୀୟ ବ୍ୟାଟରଙ୍କୁ ସତର୍କ ରହିବାକୁ ହେବ ।  ସେ ଗତ ୮ଟି ମ୍ୟାଚ୍‌ରେ ୧୫ଟି ୱିକେଟ୍‌ ନେଇ ସାରିଛନ୍ତି ।

ଭାରତର ଦୁଇ ସ୍ପିନ ବୋଲିଂ ଅଲରାଉଣ୍ଡର ଦୀପ୍ତି ଶର୍ମା ଓ ସ୍ନେହ  ରାଣାଙ୍କୁ ଅଟକାଇବା ପାଇଁ ଦକ୍ଷିଣ ଆଫ୍ରିକା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ  କରିବା ଆଶା କରାଯାଉଛି । ମାତ୍ର ଉଦୀୟମାନ ପେସ୍‌ ବୋଲର କ୍ରାନ୍ତି  ଗୌଡ଼ଙ୍କ ପ୍ରତି ଦକ୍ଷିଣ ଆଫ୍ରିକାକ ସତର୍କ ରହିବାକୁ ହେବ । ସେ ଗତ  ପାକିସ୍ତାନ ବିପକ୍ଷ ମ୍ୟାଚରେ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ ।  ଶେଷ ୯ଟି ଦିନିକିଆରେ ସେ ୧୮ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି ।

ବିଶାଖାପଟ୍ଟନମ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବା  ସ୍ୱାଭାବିକ । ମାତ୍ର ପେସ୍‌ ବୋଲରମାନେ ପ୍ରାରମ୍ଭରୁ ପିଚ୍‌ର ଫାଇଦା ଉଠାଇ ପାରିବେ । ଗତ କିଛି ଦିନ ଧରି ଏଠାରେ ବର୍ଷା ହୋଇଥିବାରୁ  ପିଚ୍‌ରେ ଆଦ୍ରତା ଭରି ରହିଛି । ଆଜି ପାଗ ଶୁଖିଲା ରହିବ ।  ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଭାରତ: ସ୍ମୃତି ମନ୍ଧନା, ପ୍ରତିକା ରାୱଲ୍‌, ହର୍ଲିନ  ଦେଓଲ, ହର୍ମନପ୍ରୀତ କୌର(ଅଧିନାୟିକା), ଜେମିମା  ରୋଡ୍ରିଗ୍ସ, ଦୀପ୍ତ ଶର୍ମା, ରିଚା ଘୋଷ, ଅମନଜୋତ କୌର,  ସ୍ନେହ ରାଣା, ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼ ।

ଦକ୍ଷିଣ ଆଫ୍ରିକା: ଲୌରା ଉଲଭାର୍ଟ, ଜତମିନ ବ୍ରିଟ୍ସ,  ସୁନେ ଲୁସ, ମରିଜାନ କାପ, ଆନେକି ବସ୍କ, ସିନାଲୋ  ଜାଡ଼ଟା, ଚୋଲେ ଟ୍ରିୟନ, ନାଦିନ ଡି କ୍ଲର୍କ, ମାସାବାତା  କ୍ଲାସ, ଆୟୋବାଙ୍ଗା ଖାକା, ନନକୁଲୁଲେକୋ ମଲାବା ।