ବିଶାଖାପଟ୍ଟନମ,୨୭/୧୦: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ସେମି ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୯ ତାରିଖରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଏବଂ ୩୦ ତାରିଖରେ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ମଧ୍ୟରେ ସେମି ଫାଇନାଲ୍ ଖେଳାଯିବ ।
ରବିବାର ଅନୁଷ୍ଠିତ ୨୭ତମ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଇଂଲଣ୍ଡ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନ ଦଖଲ କରିଛି । ଓପନର ଆମି ଜୋନ୍ସ ଅପରାଜିତ ୮୬ରନ୍ର ଇନିଂସ୍ ଖେଳି ଦଳକୁ ବିଜୟୀ କରାଇଥିଲେ । ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୮ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜର୍ଜିଆ ପ୍ଲିମର ୪୩ (୭ଚୌକା), ଆମେଲିଆ କେର ୩୫, ବିଦାୟୀ ମ୍ୟାଚ୍ ଖେଳିଥିବା ଅଧିନାୟିକା ସୋଫି ଡିଭାଇନ ୨୩, ମାଡି ଗ୍ରୀନ ୧୮, ଇଶାବେଲା ଗେଜ ୧୪ ଓ ଜେସ୍ କେର ୧୦ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଲିନ୍ସି ସ୍ମିଥ୍ ୩ଟି ୱିକେଟ୍ ନେଇଥିଲେ ।
୧୬୯ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ୨୯.୨ ଓଭରରେ ୨ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ତାମି ବ୍ୟୁମୋଣ୍ଟ ୪୦ (୭ଚୌକା), ହିଥର ନାଇଟ ୩୩ରନ୍ କରି ଆଉଟ୍ ହୋଇଥିବାବେଳେ ଆମି ଜୋନ୍ସ ୯୨ବଲ୍ରେ ୮୬ (୧୧ଚୌକା, ୧ଛକା) ରନ୍ କରି ଅପରାଜିତ ଥିଲେ ।