ଗୌହାଟୀ, ୦୧/୧୦: ମହିଳା ଦିନିକିଆ ବିଶ୍ବକପ ୨୦୨୫ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ୫୯ ରନରେ ପରାସ୍ତ କଲା ଭାରତ । ଭାରତୀୟ ମହିଳା ଟିମ୍ ଏକ ଚିତ୍ତାକର୍ଷକ ବିଜୟ ସହ ଦିନିକିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ମଙ୍ଗଳବାର ଅନୁଷ୍ଠିତ ଉଦ୍ଘାଟନୀ ମୁକବିଲାରେ ଦଳ ୫୯ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଖେଳରେ ବର୍ଷା କିଛି ସମୟ ପାଇଁ ବାଧକ ସାଜିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୪୭ ଓଭରରେ ୮ ୱିକେଟ୍ ହରାଇ ୨୬୯ ରନସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ୪୫.୪ ଓଭରରେ ୨୧୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି ଶର୍ମା ପ୍ଲେୟାରଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।
ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚମତ୍କାର ଫର୍ମରେ ରହିଥିବା ସ୍ମୃତି ମନ୍ଧନା ନିରାଶ କରିଥିଲେ । ସେ ମାତ୍ର ୮ ରନ କରି ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହର୍ଲିନ ଦେଓଲ ଅପରାଜିତ ପ୍ରତିକା ରାୱଲଙ୍କ ସହ ମିଶି ସ୍ଥିତିକୁ ସୁଧାରିଥିଲେ । ଉଭୟ ୬୭ ରନ୍ର ଭାଗିଦାରୀ ଇନିଂସ କରିଥିଲେ । ଦଳୀୟ ସ୍କୋର ୮୧ ବେଳେ ବ୍ୟକ୍ତିଗତ ୩୭ ରନ୍ କରି ପ୍ରତିକାଆଉଟ୍ ହୋଇଥିଲେ । ପରବର୍ତ୍ତୀ ୪୩ ରନ ମଧ୍ୟରେ ଭାରତ ୪ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ହର୍ଲିନ ୪୮, ଜେମିମା ରୋଡ୍ରିଗ୍ସ ୦, ହର୍ମନପ୍ରୀତ କୌର ୨୧ ଓ ରିଚା ଘୋଷ ୨ ରନ୍ କରି ଆଉଟ୍ ହୋଇଥିଲେ । ୧୨୪ ରନ୍ରେ ଭାରତ ୬ଟି ୱିକେଟ୍ ହରାଇ ସାରିଥିଲା । ଏହପରେ ନିର୍ଭରଯୋଗ୍ୟ ବ୍ୟାଟର ଦୀପ୍ତି ଶର୍ମାଙ୍କ ସହ ଅମନଜୋତ୍ କୌର ମିଶି ସ୍ଥିତିକୁ ସୁଧାରିଥିଲେ । ଉଭୟ ଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିବା ସହ ସପ୍ତମ ୱିକେଟ୍ରେ ୧୦୩ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୨୨୭ ବେଳେ ଅମନଜୋତ ବ୍ୟକ୍ତିଗତ ୫୭ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସ୍ନେହ ରାଣା ବିସ୍ଫୋରକ ସଟ୍ମାନ ଖେଳିବା ସହ ଦୀପ୍ତିଙ୍କୁ ସାଥୀ କରି ୨୬୯ରେ ପହଞ୍ଚାଇଥିଲେ । ଦୀପ୍ତି ୫୩ ରନ କରି ଆଉଟ୍ ହୋଇଥିଲେ । ରାଣା ୧୫ଟି ବଲ୍ରୁ ୨ଚୌକା ଓ ୨ଛକା ବଳରେ ଅପରାଜିତ ୨୮ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଭେଟେରାନ ସ୍ପିନର ଇନୋକା ରାଣାବୀରା ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ଉଦେଶିକା ପ୍ରବୋଧିନୀ ୨ଟି ୱିକେଟ୍ ନେଇଥିଲେ ।
୨୭୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର ଚାମରି ଆଟ୍ଟାପଟୁ ଓହାସିନି ପେରେରା ୩୦ ରନସଂଗ୍ରହ କରିଥିଲେ । ବ୍ୟକ୍ତିଗତ ୧୪ ରନ କରି ପେରେରା ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହର୍ଷିତା ସମରବିକ୍ରମା ଅପରାଜିତ ଆଟ୍ଟାପଟୁଙ୍କ ସହ ମିଶି ୫୨ ରନର ଭାଗିଦାରୀ ଗଠନ କରିଥିଲେ । ଦଳୀୟସ୍କୋର ୮୨ ବେଳେ ବ୍ୟକ୍ତିଗତ ୪୩ ରନ କରି ଆଟ୍ଟାପଟୁ ଆଉଟ୍ ହୋଇଥିଲେ । ଏହାପରେ ଶ୍ରୀଲଙ୍କା ଲାଇନଚ୍ୟୁତ ହୋଇଥିଲା । ମଧ୍ୟକ୍ରମ ବ୍ୟାଟରମାନେ ଭାରତୀୟ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୫.୪ ଓଭରରେ ୨୧୧ ରନକରି ଅଲ୍ ଆଉଟ୍ ହୋଇ ଯାଇଥିଲା । ହର୍ଷିତା ୨୯ ରନ କରିଥିଲେ । ମଧ୍ୟଭାଗରେ କେବଳ ନୀଳକ୍ଷିକା ସିଲଭା ୩୫ ରନରପାଳି ଖେଳିଥିଲେ । ଅନ୍ୟ କେହି ୨୦ ଅତିକ୍ରମ କରିପାରି ନଥିଲେ । ଭାରତ ପକ୍ଷରୁ ଦୀପ୍ତି ୩ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ସ୍ନେହ ଓ ଶ୍ରୀ ଚରଣି୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।