ଦୁବାଇ, ୦୮/୧୧: ମହିଳା କ୍ରିକେଟ୍ର ଲୋକପ୍ରିୟତାକୁ ନଜର ରଖି ଆଇସିସି ଆଗାମୀ ୨୦୨୯ ଦିନିକିଆ ବିଶ୍ୱକପ୍ରେ ଦଳ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ପରବର୍ତ୍ତୀ ସଂସ୍କରଣରେ ୮ ପରିବର୍ତ୍ତେ ୧୦ ଦଳ ଭାଗ ନେବେ । ଏଥର ଆୟୋଜକ ଭାରତ ଓ ଶ୍ରୀଲଙ୍କା ସମେତ ପାକିସ୍ତାନ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିଶ୍ୱକପ୍ ଖେଳିଥିଲେ । ଟୁର୍ଣ୍ଣାମେଣ୍ଟର ଲୋକପ୍ରିୟତା ଦେଖିବା ପରେ ଆଇସିସି ଦଳ ସଂଖ୍ୟା ବଢ଼ାଇ ପୁରୁଷ ବର୍ଗ ବିଶ୍ୱକପ ଭଳି ୧୦ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଏଥର ବିଶକପ୍ରେ ୩,୦୦୦୦୦ରୁ ଊଦ୍ଧ୍ୱର୍ ଦର୍ଶକ ଷ୍ଟାଡ଼ିୟମ୍ରେ ବସି ମ୍ୟାଚ୍ ଦେଖିଥିଲେ । ଟେଲିଭିଜନ ଏବଂ ଓଟିଟି ପ୍ଲାଟଫର୍ମରେ ଦର୍ଶକଙ୍କ ସଂଖ୍ୟା ରେକର୍ଡ ପାର କରିଥିଲା ।
କେବଳ ଭାରତରେ ୫୦କୋଟି ଦର୍ଶକ ଓଟିଟି ପ୍ଲାଟଫର୍ମରେ ବିଶ୍ୱକପ୍ ଦେଖିଥିଲେ । ଜିଓ ହଟଷ୍ଟାର ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ୪୪୬ ମିଲିୟନ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ବିଶ୍ୱକପ୍ ଦେଖିଥିଲେ । ୧୮କୋଟି ୫୦ଲକ୍ଷ ଦର୍ଶକ କେବଳ ହଟଷ୍ଟାରରେ ଫାଇନାଲ୍ ମ୍ୟାଚ୍ ଦେଖିଥିଲେ । ୯କୋଟି ୨୦ ଲକ୍ଷ ଦର୍ଶକ ଟେଲିଭିଜନରେ ବିଶ୍ୱକପ୍ ଉପଭୋଗ କରିଥିଲେ।