ବାଲେଶ୍ଵର,୧୨/୯: ବହୁ ଚର୍ଚ୍ଚିତ ଚାନ୍ଦିପୁର ଆଇଟିଆର କ୍ୟାମେରମ୍ୟାନ ଈଶ୍ୱର ବେହେରା ଗିରଫ ଘଟଣାରେ ଅନ୍ୟ ଅଭିଯୁକ୍ତ ତଥା ଆଇଏସଆଇର ଏଜେଣ୍ଟ ଆସିଫ ଅଲ୍ଲୀଙ୍କୁ ବାଲେଶ୍ୱରର ଜେଏମଏଫସି କୋର୍ଟରେ ହାଜର କରାଯାଇଛି। ଶୁକ୍ରବାର ଅପରାହ୍ନରେ ସ୍ୱତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଅଦାଲତ ଭିତରକୁ ଅଣାଯାଇଥିଲା। ପରେ ତାଙ୍କୁ ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲା। ଏହି ଅବସରରେ ସେ ନିଜର ମତ ରଖିବା ସହ ସରକାରୀ ଆଇନଜୀବୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

ସୂଚନା ଅନୁଯାୟୀ, ଈଶ୍ୱର ବେହେରା ଘଟଣାରେ ଆସିଫ ଅଲ୍ଲୀ ମଧ୍ୟ ଜଣେ ଅଭିଯୁକ୍ତ ଥିଲେ। ଈଶ୍ୱର ବେହେରା ଆସିଫ ଅଲ୍ଲୀଙ୍କୁ ସମସ୍ତ ତଥ୍ୟ ଦେଇଥିଲେ। ପରେ ଆସିଫ ଅଲ୍ଲୀନିଜ ଲଙ୍କରେ ଥିବା ପାକିସ୍ତାନର ଇଣ୍ଟେଲଜେନ୍ସି ଏଜେନ୍ସି(ଆଇଏସଆଇ) ଲୋକଙ୍କୁ ସମସ୍ତ ତଥ୍ୟ ଯୋଗାଇ  ଦେଉଥିଲା। ଆଇ ଏଥିପାଇଁ ମୋଟା ଅଙ୍କର କମିଶନ ମଧ୍ୟ ନେଉଥିଲା ଅଭିଯୁକ୍ତ ଆସିଫ। ଏହା ଜଣା ପଡିବା ପରେ ୨୦୧୫ ମସିହା ଜାନୁଆରୀ ୨୪ ତାରିଖରେ ଈଶ୍ୱର ବେହେରା ଓ ପରେ ଆସିଫ ଅଲ୍ଲୀକୁ ଗିରଫ କରାଯାଇଥିଲା।

ପାକିସ୍ଥାନ ଗୁଇନ୍ଦା ସଂସ୍ଥାକୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ୱଦ୍ଧୀୟ ଗୁପ୍ତ ତଥ୍ୟ ହସ୍ତାନ୍ତର ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ଆସିଫ ଅଲ୍ଲୀ। ଗିରଫ ପରେ ଯାଞ୍ଚ ଓ ସୁରକ୍ଷା କାରଣରୁ ପାକିସ୍ତାନୀ ISI ଏଜେଣ୍ଟ ଅସିଫକୁ ମିରଟ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ବର୍ତମାନ ଅଧିକ ଯାଞ୍ଚ ପାଇଁ ମିରଟ ଜେଲରୁ ବାଲେଶ୍ୱର ଜେଲକୁ ଅଭିଯୁକ୍ତ ଆସିଫ ଅଲ୍ଲୀକୁ ସ୍ଥାନାନ୍ତର କରାଯାଇଛି।

ଆସିଫ ନିଜ ଜାମିନ ପାଇଁ କୋର୍ଟରେ ଆବେଦନ ମଧ୍ୟ କରିଥିଲା। ହେଲେ ତାଙ୍କ ଜାମିନ ନାମଞ୍ଜୁର ହେବାଯୋଗୁଁ ତାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି।