ଅନୁଗୁଳ, ୧୭/୯ : ଗଣେଶ ପୂଜା ଭସାଣିରେ ଅଘଟଣ । ଡିଜେ ଗାଡି ଉପରେ ଛିଡ଼ା ହୋଇ ବିଦ୍ୟୁତ୍ ତାର ଟେକିବା ବେଳେ ଲାଗିଲା ଝଟକା । ଗୁରୁତର ହେଲେ ଯୁବକ । ସହର ଉପକଣ୍ଠ ବେନ୍ତପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ଗୁରୁତର ଯୁବକ ହେଲେ ପିପିଲି ଅଂଚଳର ଅଂଶୁମାନ ମଲ୍ଲିକ(୨୬) ।
ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ବେନ୍ତପୁର ଗ୍ରାମରେ ଗଣେଶ ପୂଜା ଭସାଣି ଥିଲା । ପୂଜା କମିଟି ପିପିଲିର ଏକ ଡିଜେ ଗାଡି ମଗାଇଥିଲେ। ଗୁରୁତର ଅଂଶୁମାନ ଡିଜେ ଉପରେ ଛିଡ଼ା ହୋଇ ବିଦ୍ୟୁତ ତାର ଟେକୁଥିଲେ । ଗୋଟିଏ ହାତରେ ସେ ଗ୍ଲୋବସ ପିନ୍ଧିଥିବାବେଳେ ଅନ୍ୟ ହାତରେ ପିନ୍ଧିନଥିଲେ। ଅସାବଧାନତାରୁ ତାଙ୍କୁ ବିଦ୍ୟୁତ୍ ଝଟକା ଲାଗିଥିଲା। ସେ ତଳେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ଆଣିଥିଲେ।