ନୂଆଦିଲ୍ଲୀ,୩।୯: ଆଫଗାନିସ୍ତାନର ପୂର୍ବ ଭାଗରେ ଆସିଥିବା ଶକ୍ତିଶାଳୀ ଭୂକମ୍ପରେ ମୃତକଙ୍କ ସଂଖ୍ୟା ବଢିକି ୧୪୦୦ରୁ ଅଧିକ ହୋଇଯାଇଛି। ଏହା ସହ ୩୦୦୦ରୁ ଅଧିକ ଆହତ ହୋଇଛନ୍ତି। ଜଣେ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଜୀବିତ ଲୋକଙ୍କ ସନ୍ଧାନରେ ପୁରା ଅଞ୍ଚଳରେ ଉଦ୍ଧାରକାରୀ ଦଳର ତଲାସୀ ଅଭିଯାନ ଜାରି ରହିଛି। ଭାରତ ମଙ୍ଗଳବାର ଅଫଗାନିସ୍ତାନରେ ଭୂକମ୍ପ ପ୍ରଭାବିତ ଲୋକଙ୍କୁ ସହାୟତା ଦେବା ପାଇଁ ୨୧ ଟନ୍ ରିଲିଫ୍ ପଠାଇଛି। 

ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି ଭାରତୀୟ ଭୂକମ୍ପ ସହାୟତା ବିମାନ ଯୋଗେ କାବୁଲ ପହଁଞ୍ଚୁଛି। ମଙ୍ଗଳବାର କମ୍ବଳ, ଟେଣ୍ଟ, ପାଣି ବିତରଣ ଟ୍ୟାଙ୍କ, ଜେନେରେଟର, ରୋଷେଇ ପାଇଁ ବାସନ, ପାର୍ଟେବଲ ଓ୍ବାଟର ପ୍ୟୁରିଫାଏର, ସ୍ଲିପିଂ ବ୍ୟାଗ୍‌, ଜରୁରୀ ମେଡିସିନ୍‌, ହ୍ବିଲଚେୟାର, ହାଣ୍ଡ ସାନିଟାଇଜର, ଜଳ ବିଶୋଧନକାରୀ ଟାବଲେଟ୍ ଓ ଚିକିତ୍ସା ଉପଯୋଗ ସାମଗ୍ରୀ ସହିତ ୨୧ ଟନ୍ ରିଲିଫ୍ ସାମଗ୍ରୀ।

ଜୟଶଙ୍କର କହିଛନ୍ତି, ଭାରତ ସ୍ଥିତି ଉପରେ ନଜର ରଖିଛି। ଆଗାମୀ ଦିନରେ ଅଧିକ ମାନବୀୟ ସହାୟତା ପଠାଯିବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ପ୍ରଭାବିତ ଲୋକଙ୍କୁ ଭାରତ ସବୁ ପ୍ରକାର ମାନବୀୟ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି।  ​​​​​​​