ନୂଆଦିଲ୍ଲୀ,୧୭/୧୦: ଆଫଗାନିସ୍ତାନକୁ ସମର୍ଥନ କରି ଭାରତ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛି । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି । ତାର ବିଫଳତା ପାଇଁ ପଡ଼ୋଶୀମାନଙ୍କୁ ଦାୟୀ କରେ । ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ସମ୍ମାନ ଦେବା ପାକିସ୍ତାନ ପାଇଁ ଭଲ ହେବ । ଭାରତ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ବୋଲି ରଖିଛି ବୋଲି କହିଛନ୍ତି ବୈଦେଶିକ ମୁଖପାତ୍ର ରଣଧୀର ଜୈସ୍ୱାଲ ।
ସୀମା ବିବାଦ ସମ୍ପର୍କରେ ଆଫଗାନିସ୍ତାନକୁ ଦୃଢ଼ ସମର୍ଥନ କରି ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ । ଭାରତ ଦୁଇ ଧାଡିର ବାର୍ତ୍ତା ପାକିସ୍ତାନକୁ ଥରାଇ ଦେଇଛି । ଭାରତ କହିଛି ଯେ, ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଏବଂ ତାର ଆଭ୍ୟନ୍ତରୀଣ ବିଫଳତା ପାଇଁ ପଡ଼ୋଶୀଙ୍କୁ ଦାୟୀ କରିବାର ଇତିହାସ ରହିଛି । ଗତ ସପ୍ତାହରେ, ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ଭାରତ ଗସ୍ତ ସମୟରେ, ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ସଂଘର୍ଷର ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁତାକି ଭାରତର ସୁରକ୍ଷାକୁ ନେଇ କହିଥିଲେ କାବୁଲର ଶାସନ ଆଫଗାନିସ୍ତାନକୁ ବିଦେଶୀ ଦେଶ ବିରୁଦ୍ଧରେ ବ୍ୟବହାର କରିବାକୁ ଦେବ ନାହିଁ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ତିନୋଟି କଥା ସ୍ପଷ୍ଟ: ପ୍ରଥମତଃ, ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆଶ୍ରୟ ଦିଏ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦିଏ । ଦ୍ୱିତୀୟତଃ, ପାକିସ୍ତାନର ଆଭ୍ୟନ୍ତରୀଣ ବିଫଳତା ପାଇଁ ପଡ଼ୋଶୀମାନଙ୍କୁ ଦାୟୀ କରିବାର ଏକ ଅଭ୍ୟାସ ରହିଛି । ଏବଂ ତୃତୀୟତଃ, ଆଫଗାନିସ୍ତାନ ନିଜ ଅଞ୍ଚଳ ଉପରେ ସାର୍ବଭୌମତ୍ୱ ପ୍ରୟୋଗ କରୁଥିବାରୁ ପାକିସ୍ତାନ ବିରକ୍ତ ହୋଇଛି ।
ଦଶନ୍ଧିର ସବୁଠୁ ପ୍ରାଣଘାତୀ ସ୍ଥିତିରେ ପାକିସ୍ତାନ । ଏକାଧିକ ପଟୁ ସଂଘର୍ଷର ସାମ୍ନା କରୁଛି । ଆତଙ୍କୀ ଦେଶ ଏବେ ଆତଙ୍କବାଦର ଶିକାର ହୋଇଛି । ଆଫଗାନିସ୍ତାନ ସହ ସଦ୍ୟ ବିବାଦ ପାକକୁ ଥରାଇ ଦେଇଛି । ସେପଟେ ଭାରତ କଡ଼ା ଚେତାବନୀ ପରେ ଆତଙ୍କୀସ୍ଥାନ ଛାତି ଧଡ଼ଧଡ ହୋଇଛି ।