ଆନ୍ତର୍ଜାତିକ ସୌର ସଂଗଠନର ନୂଆଦିଲ୍ଲୀ ଅଧିବେଶନ ଭାରତ ପାଇଁ କେବଳ ନିଜର ସାମର୍ଥ୍ୟ ଓ ସଫଳତା ପ୍ରଦର୍ଶନର ଏକ ମଞ୍ଚ ନୁହେଁ, ବିଶ୍ୱକୁ ଆଗାମୀ ଦିନ ପାଇଁ ମାର୍ଗ ପ୍ରଦର୍ଶନ କରିବା ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବାର ଏକ ସୁବର୍ଣ୍ଣ ଅବସର ବୋଲି ବିବେଚନା କରାଯାଇପାରେ।

ନୂଆଦିଲ୍ଲୀରେ ଆୟୋଜିତ ଚାରିଦିନିଆ ଆନ୍ତର୍ଜାତିକ ସୌର ସଂଗଠନର ଅଷ୍ଟମ ଅଧିବେଶନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ଏକ ମହାଶକ୍ତି ଭାବରେ ନିଜର ସାମର୍ଥ୍ୟ ବିଶ୍ୱ ସମ୍ମୁଖରେ ନିଜକୁ ଉପସ୍ଥାପନ କରିଛି । ଏହା କେବଳ ଭାରତର ସଫଳତା ନୁହେଁ, ବରଂ ଭବିଷ୍ୟତରେ ସମଗ୍ର ବିଶ୍ୱକୁ ପଥ ପ୍ରଦର୍ଶନର ଚାବିକାଠି ବୋଲି ବିଶ୍ୱାସ କରାଯାଇପାରେ । ଏହି ସମାବେଶରେ ବିଶ୍ୱର ୧୨୪ଟି ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଛନ୍ତି । ସେମାନେ ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ଏବଂ ବିଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ଘଟିଥିବା ଅବିଶ୍ୱସନୀୟ ପ୍ରଗତିକୁ ସଭିଏଁ ଭୂରି ଭୂରି ପ୍ରଶଂସା କରିଛନ୍ତି । ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଂକଟ ଏବଂ ଭବିଷ୍ୟତର ଚାହିଦା ଏବଂ ଅଭାବକୁ ଲକ୍ଷ୍ୟ କରି ଭାରତକୁ ମଡେଲ ଭାବରେ ଗ୍ରହଣ କରିବା ନିମନ୍ତେ ଅଧିକତର ରାଷ୍ଟ୍ରଙ୍କ ସକାରାତ୍ମକ ଆଗ୍ରହ ବାସ୍ତବିକ ପ୍ରଶଂସନୀୟ । ଦେଶରେ ବର୍ତ୍ତମାନ ଯେତିକି ପରିମାଣର ବିଜୁଳି ଶକ୍ତି ଉତ୍ପାଦିତ ହେଉଛି ତାହାର ୫୦ ପ୍ରତିଶତ ବିଜୁଳି ଅଣ ଜୀବାଷ୍ମ ଇନ୍ଧନ ଉତ୍ସରୁ ଉତ୍ପାଦିତ ହେବା ଏବଂ ଏହି ଲକ୍ଷ୍ୟ ଧାର୍ଯ୍ୟ ସମୟସୀମାର ପାଞ୍ଚ ବର୍ଷ ଆଗରୁ ହାସିତ ହେବା ଆମର ପ୍ରତିବଦ୍ଧତାର ପ୍ରମାଣ ଦିଏ । ଏହି ଲକ୍ଷ୍ୟ ହାସଲ ସହିତ ଭାରତ ବର୍ତ୍ତମାନ ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ରର ଗୌରବ ହାସଲ କରିଛି ।

ବର୍ତ୍ତମାନ ଭାରତ ପ୍ରାୟ ୧୯୭ ଗିଗାୱାଟ ବିଜୁଳି ଶକ୍ତି କେବଳ ସୌର ଉତ୍ସରୁ ଉତ୍ପାଦନ କରୁଛି ଯାହାକି ୨୦୩୦ ମସିହା ସୁଦ୍ଧା ବୃଦ୍ଧି ପାଇ ୫୦୦ ଗିଗାୱାଟ କରିବା ନିମନ୍ତେ ଦେଶ ଏକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଯଦି ଭାରତର ଏହି ସଫଳତାର ଯାତ୍ରାକୁ ବିଶ୍ଳେଷଣ କରାଯାଏ, ତେବେ ବୁଝାପଡ଼େ ଯେ ୨୦୧୪ ମସିହାରେ ଦେଶରେ ମାତ୍ର ୩୫ ମେଗାୱାଟ ସୌରଶକ୍ତି ଉତ୍ପାଦନ ହେଉଥିବାବେଳେ ଏହା ବର୍ତ୍ତମାନ ୧୯୭ ଗିଗାୱାଟ ଛୁଇଁଛି, ଯାହାକି ପାଞ୍ଚଗୁଣରୁ ଅଧିକ ବୋଲି ଜଣାପଡ଼େ । ଏଭଳି ସଫଳତା ପଛରେ କେବଳ ସରକାରୀ ଯୋଜନା ନୁହେଁ, ଏହାର ସଫଳ ରୂପାୟନ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ଯୋଜନା ମାଧ୍ୟମରେ ଦେଶର ୨୦ ଲକ୍ଷରୁ ଅଧିକ ପରିବାରଙ୍କ ନିକଟରେ ସୌରଶକ୍ତି ପହଞ୍ଚାଯିବା କିଛି ଛୋଟ ସଫଳତା ନୁହେଁ । ଏହିସବୁ ହିତାଧିକାରୀ ପରିବାରଙ୍କ ଘର ଛାତ ଉପରେ ଯେଉଁ ସୌର ପାନେଲ ଖଞ୍ଜା ଯାଇଛି ସେଥିରେ ସମସ୍ତଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରେ । ଏହା ବ୍ୟତୀତ ଲୋକମାନଙ୍କ ମନରେ ଅକ୍ଷୟ ଶକ୍ତି ପ୍ରତି ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଥିବା ମଧ୍ୟ ଏଥିରୁ ସୂଚୀତ ହୁଏ । ୨୦୧୫ ମସିହାରେ ଆନ୍ତର୍ଜାତିକ ସୌର ସଂଗଠନ ଆରମ୍ଭ ହେବାବେଳେ ଭାରତ ଏବଂ ଫ୍ରାନ୍ସ ଏହାର ନେତୃତ୍ୱ ନେଇଥିଲେ ଏବଂ ସେହି ଦିନଠାରୁ ଅଦ୍ୟାବଧି ଭାରତ ଏହାକୁ ଏକ ବଳିଷ୍ଠ ସଂଗଠନ କରିବା ସହିତ ଏଥିରେ ୧୨୪ଟି ରାଷ୍ଟ୍ରଙ୍କୁ ସଦସ୍ୟ ରାଷ୍ଟ୍ର ଅଥବା ଏହାକୁ ସମର୍ଥନ କରୁଥିବା ସ୍ୱାକ୍ଷରକାରୀ ରାଷ୍ଟ୍ର ରୂପେ ଗ୍ରହଣ କରାଯାଇ ସାରିଛି । ପାରମ୍ପରିକ ଇନ୍ଧନ ପାଇଁ ଭବିଷ୍ୟତରେ ଯେଉଁ ସଂକଟ ଦେଖା ଦେବାକୁ ବସିଛି ଏବଂ ବର୍ତ୍ତମାନ ବିଶ୍ୱରେ ଏଥି ନିମନ୍ତେ ଯେଉଁ ଯୁଦ୍ଧ ଲାଗିଛି, ତାହାର ପ୍ରଥମ ଶିକାର ହେବାକୁ ଯାଉଛନ୍ତି ବିକାଶଶୀଳ ରାଷ୍ଟ୍ରଗଣ । ତେଣୁ ସେମାନଙ୍କ ପାଇଁ ଅଣ ପାରମ୍ପରିକ ଉତ୍ସ ହିଁ ଏକମାତ୍ର ସାଧନ ଯାହାର ପୂର୍ଣ୍ଣ ଉପଯୋଗ କରାଯିବା ଉପରେ ସୌର ସଂଗଠନ ଗୁରୁତ୍ୱାରୋପ କରିଆସୁଛି ।

ଭାରତ ନିଜେ ସମସ୍ତଙ୍କ ପାଇଁ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବା ସହିତ ନିଜର ଶକ୍ତି ଚାହିଦାକୁ ପୂରଣ କରିପାରିଛି । ଏଥି ସହିତ ଶକ୍ତି ନିରାପତ୍ତା ମଧ୍ୟ ସୁନିଶ୍ଚିତ ହେବାକୁ ଯାଉଛି । ପୂର୍ବରୁ ବିଦେଶରୁ ଆମଦାନୀ କରାଯାଉଥିବା ସୌର ପାନେଲ ଏବଂ ଯନ୍ତ୍ରାଂଶ ବର୍ତ୍ତମାନ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ହିଁ ଉତ୍ପାଦନ କରାଯାଉଛି । ତେଣୁ ହଜାର ହଜାର କୋଟି ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ସଞ୍ଚୟ କରାଯାଇ ପାରିଛି । ବିଦେଶକୁ ସେହିସବୁ ପାନେଲ ଓ ଯନ୍ତ୍ରାଂଶ ରପ୍ତାନୀ କରି ଭାରତ ବିପୁଳ ବିଦେଶୀ ମୁଦ୍ରା ସଂଗ୍ରହ କରିପାରିଛି । ବିକାଶ ପାଇଁ ଶକ୍ତି ଏବଂ ସ୍ୱକୀୟ ତଥା ଅଣ ଫସିଲ ଇନ୍ଧନରୁ ଏହାର ଉତ୍ପାଦନ ଏକବିଂଶ ଶତାବ୍ଦୀରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି,ସେଥିରେ ଭାରତ ଯେ ଆଗାମୀ ଦିନରେ ବିଶ୍ୱର ପ୍ରମୁଖ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି ଏହା ନିଃସନ୍ଦେହ । ତେଣୁ ଆନ୍ତର୍ଜାତିକ ସୌର ସଂଗଠନର ଏହି ଅଧିବେଶନ ଭାରତ ପାଇଁ କେବଳ ନିଜର ସାମର୍ଥ୍ୟ ଓ ସଫଳତା ପ୍ରଦର୍ଶନର ଏକ ମଞ୍ଚ ନୁହେଁ, ବିଶ୍ୱକୁ ଆଗାମୀ ଦିନ ପାଇଁ ମାର୍ଗ ପ୍ରଦର୍ଶନ କରିବା ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବାର ଏକ ସୁବର୍ଣ୍ଣ ଅବସର ବୋଲି ବିବେଚନା କରାଯାଇପାରେ ।