ନୂଆଦିଲ୍ଲୀ,୨୬/୦୯: ଗୋଟିଏ ଯୁଗର ଅବସାନ ହୋଇଛି । ବାୟୁସେନାରୁ ବିଦାୟ ନେଇଛି ଲଢୁଆ ଯୁଦ୍ଧ ବିମାନ ମିଗ୍‌ -୨୧ । ୬୩ ବର୍ଷର ଗୌରବମୟ ସେବା ପରେ ଚଣ୍ଡିଗଡ ଆକାଶରେ ଉଡାଣ ଭରି ଅବସର ନେଇଛି ମିଗ୍‌-୨୧ । ବିଦାୟକୁ ଐତିହାସିକ କରିବାକୁ ଚଣ୍ଡିଗଡ଼ରେ ବାୟୁସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ୧୯୬୩ ମସିହାରେ ଭାରତୀୟ ବାୟୁସେନାରେ ମିଗ୍-୨୧ ବିମାନ ସାମିଲ କରାଯାଇଥିଲା ଏବଂ ୬୩ ବର୍ଷର ସେବା ପରେ ଅଲବିଦା କହିଛି । ଶେଷଥର ପାଇଁ ଏହାକୁ ଉଡାଇଛନ୍ତି ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ । ଭାରତୀୟ ବାୟୁସେନାର ସବୁଠୁ ଦୀର୍ଘ ସମୟ ସେବା ପ୍ରଦାନ କରିଥିବା ମିଗ୍‌-୨୧ର ବିଦାୟୀକାଳୀନ ସମାରୋହରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ଅନୀଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଦିନେଶ  ତ୍ରିପାଠୀ ଏବଂ ୬ ଜଣ ପୂର୍ବତନ ବାୟୁସେନା ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଅଲବିଦା ମିଗ୍‌-୨୧... ବିଗତ ଛଅ ଦଶନ୍ଧି ଧରି ଆକାଶରେ ଭାରତର ଶୌର୍ଯ୍ୟ ବଢ଼ାଇଥିବା ମିଗ୍‌-୨୧ ସୁପରସୋନିକ୍‌ ଯୁଦ୍ଧ ବିମାନ ନିଜର ଅନ୍ତିମ ଉଡ଼ାଣ ଭରିଛି । ଏହି ଐତିହାସିକ ମୁହୂର୍ତ୍ତରେ ମିଗ୍‌-୨୧କୁ ଅଲ୍‌ବିଦା  ସହ ଭାରତୀୟ ବାୟୁସେନାରେ ନାରୀ ଶକ୍ତିର ଝଲକ ବି ଦେଖିବାକୁ ମିଳିଛି । ଏହି ଅବସରରେ ସ୍କ୍ୱାଡ୍ରନ୍‌ ଲିଡର  ପ୍ରିୟା ଶର୍ମା (ବାୟୁସେନାର ସପ୍ତମ ମହିଳା ପାଇଲଟ୍‌)  ମିଗ୍‌-୨୧କୁ ଶେଷଥର ପାଇଁ ଅନନ୍ତ ଆକାଶକୁ ନେଇ  ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କୁ ସାଥ୍‌ ଦେଇଛନ୍ତି ଏୟାର ଚିଫ୍‌ ମାର୍ଶଲ ଏ ପି ସିଂହ । ୧୯୬୩ ଏପ୍ରିଲରେ ୬ଟି ମିଗ୍‌-୨୧ ବିମାନର ପ୍ରଥମ ଦଫା ମୁମ୍ବାଇରୁ ଚଣ୍ଡିଗଡ଼ରେ ପହଞ୍ଚିଥିଲା । ସେତେବେଳେ ୱିଙ୍ଗ୍‌ କମାଣ୍ଡର ଦିଲ୍‌ବାଗ ସିଂହ ଏହି ମିଶନର ନେତୃତ୍ୱ ନେଇଥିଲେ । ଏହିଠାରୁ ବାୟୁସେନାର ପ୍ରଥମ ମିଗ୍‌-୨୧ ସ୍କ୍ୱାଡ୍ରନ୍‌ ନମ୍ବର ୨୮ର  ମୂଳଦୁଆ ପଡ଼ିଥିଲା । ଏହି ସୁପରସୋନିକ୍‌ ଯୁଦ୍ଧ ବିମାନ ତମାମ ଯୁଦ୍ଧରେ କେବଳ ନିଜ ଶକ୍ତି ପ୍ରଦର୍ଶନ କରିନାହିଁ,  ବରଂ ଭାରତୀୟ ବାୟୁସେନାର ପାଇଲଟ୍‌ଙ୍କୁ ତାଲିମ  ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।  ଭାରତର ପ୍ରଥମ ସୁପରସୋନିକ୍‌ ଯୁଦ୍ଧ ବିମାନ ମିଗ୍‌-୨୧ ୧୯୬୫, ୧୯୭୧ ଏବଂ  ୧୯୯୯ର କାର୍‌ଗିଲ୍‌ ଯୁଦ୍ଧରେ ଭାରତର ଶକ୍ତି ଦୁନିଆ ସାମ୍ନାରେ ରଖିଥିଲା ।

'ଭାରତ-ରୁଷ ସମ୍ପର୍କର ପ୍ରମାଣ ମିଗ୍ -୨୧'- MiG 21 କେବଳ ଏକ ମେସିନ୍ ନୁହେଁ ଏହା ଭାରତ ଓ ରୁଷ ମଧ୍ୟରେ ଥିବା ସମ୍ପର୍କର ପ୍ରମାଣ । ଭାରତର ଗାଁ ଗାଁରେ ସମସ୍ତ ମିଗ୍ -୨୧ ବିଷୟରେ ଜାଣିଛନ୍ତି । ତାର ଶୌର୍ଯ୍ୟ ଓ ପରାକ୍ରମ ବିଷୟରେ ଜାଣନ୍ତି । ୧୯୬୩ରୁ ୬୦ରୁ ଅଧିକ ବର୍ଷ ହେବ ଭାରତର ସ୍ମୃତି ଓ ଭବନା ସହିତ ଯୋଡି ହୋଇ ରହିଛି । ଏହା କେବଳ ଫାଇଟର ଜେଟ୍ ନୁହେଁ ପରିବାର ସଦସ୍ୟ ପରି । ମିଗ୍‌ ୨୧ ସହିତ ଆମର ଗଭୀର ସମ୍ପର୍କ ରହିଛି । ମିଗ୍-୨୧ ଆମର ଆତ୍ମବିଶ୍ୱାସକୁ ଆକାର ଦେଇଛି, ଆମର ରଣନୀତିକୁ ମଜବୁତ କରିଛି ଏବଂ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରିଛି । ଲମ୍ବା ଯାତ୍ରାରେ, ଏହି ଲଢ଼ୁଆ ବିମାନ  ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଏବଂ ସବୁଥିରେ ଏହାର କ୍ଷମତାର ପ୍ରମାଣ କରିଛି। "

''ମିଗ୍-୨୧ର ଏକ ଲମ୍ବା କାହାଣୀ ଅଛି''... ଭାରତୀୟ ବାୟୁସେନାର ପରମ୍ପରା ଅନୁଯାୟୀ ବିମାନକୁ ୱାଟର କ୍ୟାନନ୍‌  ସାଲ୍ୟୁଟ୍‌ ଦିଆଯାଇଛି । ମିଗ୍ -୨୧ର ଅବସର ନେଇ ପୂର୍ବତନ ୱିଙ୍ଗ୍‌ କମାଣ୍ଡର ରାଜୀବ ବାତ୍ତିସ୍‌ କହିଛନ୍ତି, "ମିଗ୍-୨୧ର ଏକ ଲମ୍ବା କାହାଣୀ ଅଛି । ଏଠାରେ ଏତେ ଲୋକ ଏକତ୍ରୀତ ହେବା ପ୍ରମାଣ ଦେଉଛି ଯେ ଆମେ ସମସ୍ତେ ଏହି ବିମାନ ସହିତ ଜଡିତ । ସର୍ବାଧିକ ସଂଖ୍ୟକ ବିମାନ ହେଉଛି ମିଗ୍-୨୧ । ବହୁତ ଶକ୍ତିଶାଳୀ ବିମାନ । ମିଗ୍-୨୧ ଏକ ସୁନ୍ଦର ମେସିନ୍ ଥିଲା, ଏହାର ପ୍ରମାଣ ହେଉଛି ଯେ ଶେଷ ଝଲକ ଦେଖିବାକୁ ବିଦାୟ ଦେବା ପାଇଁ ଦେଶ ବିଦେଶରୁ ଏତେ ଲୋକ ଆସି ଏଠାରେ ପହଞ୍ଚିଛନ୍ତି।"