ଅମେଠୀ: ଭାରତୀୟ ସେନାକୁ ଉତ୍ତର ପ୍ରଦେଶର ଅମେଠୀ ସ୍ଥିତ ଇଣ୍ଡୋ-ରସିଆନ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ (IRRPL) କାରଖାନାରୁ ଆଉ ୫,୦୦୦ AK-203 ଆସଲ୍ଟ ରାଇଫଲ ମିଳିଛି। ଏହା ସହିତ ଏପର୍ଯ୍ୟନ୍ତ ମୋଟ ୫୩,୦୦୦ ରାଇଫଲ ସେନାକୁ ଯୋଗାଇ ଦିଆଯାଇଛି।
ଏହି ରାଇଫଲଗୁଡ଼ିକ ଭାରତ-ରୁଷ ମିଳିତ ଉଦ୍ୟୋଗରେ ଅମେଠୀର କୋରୱା କାରଖାନାରେ ନିର୍ମିତ ହେଉଛି। ଯାହା ୨୦୨୧ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ୫,୨୦୦ କୋଟି ଟଙ୍କା ଚୁକ୍ତିର ଏକ ଅଂଶ। ଏହି ଚୁକ୍ତି ଅନୁଯାୟୀ, ଅମେଠୀ କାରଖାନା ସେନାକୁ ୬,୦୧,୪୨୭ ରାଇଫଲ ଡିସେମ୍ବର ୨୦୩୦ ସୁଦ୍ଧା ଯୋଗାଇ ଦେବ। ଯାହା ନିର୍ଦ୍ଧାରିତ ସମୟ (ଡିସେମ୍ବର ୨୦୩୨) ତୁଳନାରେ ୨୨ ମାସ ଆଗରୁ ହାସଲ ହେବ।
IRRPL ମୁଖ୍ୟ କାର୍ଯ୍ୟନିର୍ବାହୀ ମେଜର ଜେନେରାଲ ଏସ.କେ. ଶର୍ମାଙ୍କ ଅନୁଯାୟୀ, ଏହି ରାଇଫଲଗୁଡ଼ିକର ୫୦% ସ୍ୱଦେଶୀକରଣ ହୋଇସାରିଛି ଏବଂ ୨୦୨୫ ଡିସେମ୍ବର ସୁଦ୍ଧା ୧୦୦% ସ୍ୱଦେଶୀକରଣ ହେବ। ଅକ୍ଟୋବର ୨୦୨୫ ସୁଦ୍ଧା ୭୦% ସ୍ୱଦେଶୀକରଣ ଲକ୍ଷ୍ୟ ରହିଛି। ଏହା ପରେ ପ୍ରତି ମାସରେ ୧୨,୦୦୦ ରାଇଫଲ ଉତ୍ପାଦନ ହେବ, ଅର୍ଥାତ୍ ପ୍ରତି ୧୦୦ ସେକେଣ୍ଡରେ ଗୋଟିଏ ରାଇଫଲ ପ୍ରସ୍ତୁତ ହେବ। ଏବଂ ବାର୍ଷିକ ୧.୫ ଲକ୍ଷ ରାଇଫଲ ଉତ୍ପାଦନର ଲକ୍ଷ୍ୟ ରହିଛି।
‘ଶେର’ ନାମରେ ପରିଚିତ ଏହି AK-203 ରାଇଫଲ ହେଉଛି କାଲାଶନିକୋଭ ଶ୍ରେଣୀର ଏକ ଆଧୁନିକ ସଂସ୍କରଣ। ଏହା ପ୍ରତି ମିନିଟରେ ୭୦୦ ରାଉଣ୍ଡ ଫାୟାର କରିପାରେ ଏବଂ ଏହାର ୮୦୦ ମିଟର ପର୍ଯ୍ୟନ୍ତ ରେଞ୍ଜ ରହିଛି। ଏହାର ଓଜନ ୩.୮ କିଲୋଗ୍ରାମ ରହିଛି, ଯାହା ପୁରୁଣା INSAS ରାଇଫଲ (୪.୧୫ କିଲୋଗ୍ରାମ) ତୁଳନାରେ ହାଲୁକା। ଏହା ଆତଙ୍କବାଦ ବିରୋଧୀ ଅପରେସନ ଏବଂ ଉଚ୍ଚ ଉଚ୍ଚତା ଯୁଦ୍ଧ ପାଇଁ ଅତ୍ୟନ୍ତ ଉପଯୁକ୍ତ।
ଏହି ପ୍ରକଳ୍ପ ‘ମେକ୍ ଇନ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଉଦ୍ୟୋଗର ଏକ ଅଂଶ। ରୁଷରୁ ୧୦୦% ଟେକ୍ନୋଲୋଜି ଟ୍ରାନ୍ସଫର ହୋଇସାରିଛି। IRRPLରେ ଭାରତୀୟ ଅଂଶୀଦାରୀ ୫୦.୫% ଏବଂ ରୁଷୀୟ ଅଂଶୀଦାରୀ ୪୯.୫% ରହିଛି। ଏହି କାରଖାନାରେ ୨୬୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି, ଯେଉଁଥିରୁ ୯୦% ହେଉଛନ୍ତି ସ୍ଥାନୀୟ ଅଧିବାସି।
ଏହି ରାଇଫଲଗୁଡ଼ିକ ଭାରତୀୟ ସେନାର ପୁରୁଣା INSAS ରାଇଫଲକୁ ବଦଳାଇବ। ଯାହା ଲାଇନ ଅଫ କଣ୍ଟ୍ରୋଲ (LoC) ଏବଂ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (LAC) ରେ ମୁତୟନ ଥିବା ସୈନିକମାନଙ୍କ ପାଇଁ ମୁଖ୍ୟ ଅସ୍ତ୍ର ହେବ।