ଭୁବନେଶ୍ଵର, ୨୩/୧୦ : ଭୁବନେଶ୍ୱର ଜନତା ମଇଦାନ୍‌ରେ ହେବ ୮୪ତମ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଅଧିବେଶନ। ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। IRC ଅଧିବେଶନରେ ଦେବେ ଯୋଗ। ଓଡ଼ିଶା ଷଷ୍ଠ ଥର ପାଇଁ ଏହି ଅଧିବେଶନ ଆୟୋଜନ କରୁଛି। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ଦେଶବ୍ୟାପୀ ପ୍ରାୟ ୨ ହଜାର IRC ପ୍ରତିନିଧି ଯୋଗ ଦେବେ। ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରିଚାଳନା ପାଇଁ ୧୮ଟି କମିଟି ଗଠନ ହୋଇଛି। ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । 

ସୂଚନାନୁଯାୟୀ, ଓଡ଼ିଶା ୧୯୫୪, ୧୯୮୨, ୧୯୯୪, ୨୦୦୫ ଏବଂ ୨୦୧୫ରେ ସଫଳତାର ସହିତ ୫ଟି IRC ଅଧିବେଶନ ଆୟୋଜନ କରି ଷଷ୍ଠ ଥର ପାଇଁ IRCର ବାର୍ଷିକ ଅଧିବେଶନ ଆୟୋଜନ କରିବ। ଅଧିବେଶନ ପରିଚାଳନା ପାଇଁ ୧୮ଟି କମିଟି ଗଠନ କରାଯାଇଛି। ରାଜ୍ୟ ବାହାର ପ୍ରତିନିଧିମାନଙ୍କ ରହଣି ପାଇଁ OTDC ଦ୍ୱାରା ଭୁବନେଶ୍ୱରର ୯୦୦ ହୋଟେଲ ରୁମ୍ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ, VVIP,ମାନ୍ୟଗଣ୍ୟ ବ୍ୟକ୍ତି ଏବଂ IRCର ଅଧିକାରୀଙ୍କ ରହଣି ହୋଟେଲରେ ୧୫୦ଟି ରୁମ୍ ସଂରକ୍ଷିତ କରାଯାଇଛି। IIT ଭୁବନେଶ୍ୱର, NIT ରାଉରକେଲା ଭଳି ପ୍ରମୁଖ ବୈଷୟିକ ପ୍ରତିଷ୍ଠାନର ପ୍ରମୁଖ ଶିକ୍ଷାବିତ୍/ ପ୍ରଫେସର/ ବିଦ୍ୱାନମାନଙ୍କୁ ସଡ଼କ କ୍ଷେତ୍ରରେ ବର୍ତ୍ତମାନର ପଦକ୍ଷେପ, ସଡ଼କ ପ୍ରକଳ୍ପର ସଫଳତାର କାହାଣୀ, ବ୍ୟବହାରକାରୀଙ୍କ ଲାଭ ପାଇଁ ଗ୍ରହଣ କରାଯାଇଥିବା ଅଭିନବ ଧାରଣା, ସଡ଼କ ସୁରକ୍ଷାରେ ଉନ୍ନତି, IRC କୋଡ୍ ବ୍ୟବହାରର ଅଭିଜ୍ଞତା ସ୍ମାରକୀ ପାଇଁ ଲେଖା ଦାଖଲ କରିବାକୁ ଅନୁରୋଧ କରାଯାଇଛି।