ଭୁବନେଶ୍ୱର,୦୫/୧୧: ଏକ ଦଶନ୍ଧି ପରେ ଓଡ଼ିଶା ଦେଖିବ ଭାରତୀୟ ସଡ଼କ ମହାକୁମ୍ଭ । ସଡ଼କ ଭିତ୍ତିଭୂମିକୁ ନେଇ ଜ୍ଞାନ ବାଣ୍ଟିବେ ବିଶେଷଜ୍ଞ । ଜ୍ଞାନ ଆଦାନପ୍ରଦାନ କରିବେ ଯନ୍ତ୍ରୀ । ମାର୍ଗଦର୍ଶନ କରିବେ ବୈଜ୍ଞାନିକ । ଭୁବନେଶ୍ୱର ଜନତା ମୈଦାନରେ ହେବାକୁ ଯାଉଥିବା ୮୪ତମ ଇଣ୍ଡିଆନ ରୋଡ୍ କଂଗ୍ରେସରେ ଭାରତର ସଡ଼କ ଭିତ୍ତିଭୂମିକୁ ମଜଭୁତ ଓ ଉନ୍ନତ କରିବାକୁ ଯନ୍ତ୍ରୀଙ୍କ ମଧ୍ୟରେ ହେବ ମାନସମନ୍ଥନ । ଯୋଗଦେବେ ୩,୫୦୦ରୁ ଉର୍ଦ୍ଧ ପ୍ରତିନିଧି । ଏହି ମହାକୁମ୍ଭକୁ ଉଦଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ । ଓଡ଼ିଶାରେ ଷଷ୍ଠ ଥର ପାଇଁ ଅନୁଷ୍ଠିତ ହେବ ଏହି ସଡ଼କ ମହାପର୍ବ ।
ନଭେମ୍ବର ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ସଡ଼କ ଭିତ୍ତିଭୂମି, ଉନ୍ନତୀକରଣ ଓ ନୂଆ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନର ଆଦାନପ୍ରଦାନ ହେବ । ନଭେମ୍ବର ୬ରେ ଏକ ବୈଷୟିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ୭ରେ ଇଣ୍ଡିଆନ ରୋଡ୍ କଂଗ୍ରେସର ୨୩୫ତମ ପରିଷଦ ବୈଠକ ଅନୁଷ୍ଠିତ ହେବ । ୮ରେ ୮୫ତମ ରାଜପଥ ଗବେଷଣା ବୋର୍ଡ ବୈଠକ ହେବ । ୯ରେ ୮୪ତମ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବ । ୧୦ ତାରିଖରେ ୨୩୬ତମ ପରିଷଦ ବୈଠକ କରାଯିବ ଯୋଜନା ରହିଛି । ପ୍ରତିନିଧିମାନେ ବୈଷୟିକ ଅଧିବେଶନରେ ଭାଗ ନେବାର ସୁଯୋଗ ପାଇବେ । ସେଠାରେ ସମଗ୍ର ଦେଶରେ ହୋଇଥିବା ଅତ୍ୟାଧୁନିକ ଗବେଷଣା, ସୃଜନ ପଦ୍ଧତି, ଶିଳ୍ପ କ୍ଷେତ୍ରରେ ହୋଇଥିବା ଉତ୍କର୍ଷକୁ ବିଶେଷଜ୍ଞମାନେ ଉପସ୍ଥାପନ କରିବେ । ସଡ଼କ ସମ୍ବନ୍ଧୀୟ ବିଭିନ୍ନ ଦ୍ୱନ୍ଦ୍ୱ ଓ ସମସ୍ୟା ଦୂର କରିବା ପାଇଁ ନୀତି ନର୍ଦ୍ଧାରକ ଓ ବୃତ୍ତିଧାରୀମାନେ ପରାମର୍ଶ ଦେବେ । ଓଡ଼ିଶାରେ ଶେଷଥର ପାଇଁ ୨୦୧୫ରେ ଇଣ୍ଡିଆନ ରୋଡ୍ କଂଗ୍ରେସର ୭୫ତମ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ।
ପୁଣି ୧୦ ବର୍ଷ ପରେ ଓଡ଼ିଶାକୁ ଏହି ମହାକୁମ୍ଭ ଆୟୋଜନର ସୁଯୋଗ ମିଳିଛି । ଶୃଙ୍ଖଳିତ ଢ଼ଙ୍ଗରେ ଏହି ଜାତୀୟସ୍ତରୀୟ ଇଭେଣ୍ଟକୁ ପରିଚାଳନା ପାଇଁ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଉଛନ୍ତି । କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜନତା ମୈଦାନର ସଭା ସ୍ଥଳ, ବିମାନବନ୍ଦର ଓ ହୋଟେଲଗୁଡିକରେ ମୋଟ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବେ । ଏହାସହ ସହରରେ ଟ୍ରାଫିକ୍ ପରିଚାଳନା ପାଇଁ ମୋଟ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ପୁଲିସ ପକ୍ଷରୁ ଭିଭିଆଇପି ଓ ନେତାମନ୍ତ୍ରୀଙ୍କ ପାଇଁ ୬ଟି ତାରକା ହୋଟେଲ ଚିହ୍ନଟ କରାଯାଇଛି । ସଭାସ୍ଥଳରେ ତନ୍ନତନ୍ନ କରି ଯାଞ୍ଚ ଚାଲିଛି । ସହରରେ ୨ଦିନ ଧରି କନଭଏ ପାଟ୍ରୋଲିଂ ଚାଲିଛି । ଡିସିପି ଜଗମୋହନ ମୀନା ଏହି ସୁରକ୍ଷାର ଦାୟିତ୍ୱ ମୁଣ୍ଡାଇବେ । ତାଙ୍କ ଅଧୀନରେ ୬ଜଣ ଏଡିସିପି, ୬ ଏସିପି, ୨୮ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ଆଇନଶୃଙ୍ଖଳାର ତଦାରଖ କରିବେ ।