କଟକ,୦୮/୧୧: ଦିନ ଥିଲା ବଣିଜ  କରିବାକୁ କଟକରୁ ସାଧବ ପୁଅମାନେ  ଇଣ୍ଡୋନେସିଆ ଯାଉଥିଲେ । ମହାନଦୀ  କୂଳରୁ ବୋଇତରେ ବାହାରି ବାଲି  ସମେତ ବିଭିନ୍ନ ଦେଶକୁ ନୌବାଣିଜ୍ୟ  ପାଇଁ ଯାଉଥିଲେ । ଏଠାକାର ସାମଗ୍ରୀକୁ  ନେଇ ସେଠାରେ ବ୍ୟବସାୟ କରୁଥିଲେ ।  କିନ୍ତୁ ଏହି ନୌବାଣିଜ୍ୟ ପରମ୍ପରାରେ ଏକ  ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ବ୍ୟବସାୟ  କରିବାକୁ ଏଥର ଇଣ୍ଡୋନେସିଆରୁ କିଛି  ବ୍ୟବସାୟୀ କଟକ ବାଲିଯାତ୍ରାକୁ ଆସିଛନ୍ତି ।  ଜିଲ୍ଲା ପ୍ରଶାସନ ଦ୍ୱାରା ଇଣ୍ଡୋନେସିଆ  ପାଭିଲିଅନ୍‌ ହୋଇଥିଲାବେଳେ ସେଥିରେ  ବିକ୍ରି ହେଉଛି ବିଭିନ୍ନ ଇଣ୍ଡୋନେସିଆ  ସାମଗ୍ରୀ । ସବୁଠୁ ବଡ଼ କଥା ହେଉଛି ଯେ,  ବାଲିଯାତ୍ରାରେ ଲୋକେ ଇଣ୍ଡୋନେସିଆ  ଖାଦ୍ୟର ସ୍ୱାଦ ଅନୁଭବ କରୁଛନ୍ତି ।

ଚଳିତ ବର୍ଷ ପ୍ରଶାସନ ଦ୍ୱାରା ଏହି  ନୈବାଣିଜ୍ୟ ସ୍ମୃତିକୁ ପୁନଜୀବିତ କରାଯାଇଛି ।  ପ୍ରଥମ ଥର ପାଇଁ ଇଣ୍ଡୋନେସିଆ  ବାଲିଯାତ୍ରାରେ ସହଭାଗିତା ଦେଶ ଭାବେ  ଅଂଶଗ୍ରହଣ କରିଥିଲା । ପ୍ରଥମ ସନ୍ଧ୍ୟାରେ  ସାଂସ୍କୃତିକ ମଞ୍ଚରେ ଇଣ୍ଡୋନେସିଆର  କଳାକାରମାନେ ସୁନ୍ଦର ସଙ୍ଗୀତ ପରିବେଷଣ  କରିଥିଲେ । ଏହାପରେ ଏବେ ମହାନଦୀ  କୂଳରେ ଚାଲିଥିବା ବାଲିଯାତ୍ରାରେ ସ୍ୱତନ୍ତ୍ର  ଇଣ୍ଡୋନେସିଆ ପାଭିଲିଅନ୍‌ରେ ବିକ୍ରି ହେଉଛି  ଇଣ୍ଡୋନେସିଆ ସାମଗ୍ରୀ । ସେଠାରୁ ଆସିଥିବା  କିଛି ବ୍ୟବସାୟୀ ଆସି ପସରା ମେଲାଇଛନ୍ତି ।  ଏଥିରେ ପଶୁଙ୍କ ପାଇଁ ସ୍ୱତନ୍ତ୍ର ବାଲି ଦେଶର  ସ୍ୱାସ୍ଥ୍ୟକର ଖାଦ୍ୟ ରହିଛି । ତାହାବାଦ୍‌ ୩୦ରୁ  ଅଧିକ ପ୍ରକାରର ଇଣ୍ଡୋନେସିଆ ନୁଡୁଲ୍‌  ଉପଲବ୍ଧ ରହିଛି । ଯାହାକୁ ଲୋକଙ୍କ ଚାହିଦା  ମୁତାବକ ଜଣେ ମହିଳା ଲାଇଭ୍‌ କିଚେନ୍‌  ମାଧ୍ୟମରେ ରୋଷେଇ କରି ଚାଖିବାକୁ  ଦେଉଛନ୍ତି । ଯାହା ସମ୍ପୂର୍ଣ୍ଣ ନିଆରା । ସେହିଭଳି  ଇଣ୍ଡୋନେସିଆର ଚକୋଲେଟ୍‌ ସମେତ ବିସ୍କୁଟ୍‌  ଓ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ବିକ୍ରି କରାଯାଉଛି ।  ଯାହାକୁ ଦେଖିବା ସହିତ କିଣାକିଣି କରି  ଲୋକେ ଖୁସି ବ୍ୟକ୍ତି କରୁଥିବା ଇଣ୍ଡୋନେସିଆ  ଆମ୍ବାସଡର୍‌ ଆଲମ ସୂଚନା ଦେଇଛନ୍ତି ।