କଟକ,୨୩/୧୦ : କଟକ ବାଲିଯାତ୍ରାର ପାର୍ଟନର ନେସନ ହେଲା ଇଣ୍ଡୋନେସିଆ । ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବାଲିଯାତ୍ରା ଆୟୋଜନରେ ଏକ ପାର୍ଟନର ନେସନ ବ୍ୟବସ୍ଥା କରାଯାଇଛି । ଯେହେତୁ ଇଣ୍ଡୋନେସିଆ ସହ ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କ ରହିଥିଲା, ତେଣୁ ପ୍ରଥମ ଦେଶ ଭାବେ ଇଣ୍ଡୋନେସିଆକୁ ପାର୍ଟନର ନେସନ ଭାବେ ରାଜ୍ୟ ସରକାର ବାଛିଛନ୍ତି । ଏ ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବାଲିଯାତ୍ରା ପାର୍ଟନର ନେସନ ଭାବେ ବାଲିଯାତ୍ରା ଆୟୋଜନରେ ଇଣ୍ଡୋନେସିଆର ଏକ ପ୍ରମୁଖ ଭୂମିକା ରହିବ। ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଓଡ଼ିଶା ଓ ଇଣ୍ଡୋନେସିଆର ନୌବାଣିଜ୍ୟିକ ସମ୍ପର୍କକୁ କିଭଳି ପ୍ରଦର୍ଶିତ କରାଯିବ ସେ ନେଇ ଆଲୋଚନା ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଇଣ୍ଡୋନେସିଆ ହସ୍ତକଳା ଜିନିଷର ଏକ ଷ୍ଟଲ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏହାସହ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଥ୍ରୀଡି ଗ୍ୟାଲେରୀ, ଏକ୍ସପେରିୟେନ୍ସ ଜୋନ୍ ଓ ଭିଣ୍ଟେଜ କାର୍ ପ୍ରଦର୍ଶନୀ ଆୟୋଜିତ ହେବ। ଚଳିତ ବର୍ଷ ବଲିଉଡ଼ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର୍ ବାଲିଯାତ୍ରାରେ ସଙ୍ଗୀତ ପରିବେଷଣ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ।