କଟକ,୦୭/୧୦: ‘ଭାଇଚାରା’ର  ସହର କଟକକୁ ଶାନ୍ତି ଫେରୁଛି । ସହରର  ଜୀବନଯାତ୍ରାରେ ସ୍ୱାଭାବିକତା ଫେରାଇ  ଆଣିବାକୁ ସବୁ ସ୍ତରରେ, ସବୁ ମହଲରେ  ଉଦ୍ୟମ ଜାରି ରହିଛି । ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା  ପାଇଁ ସହରରେ କର୍ଫ୍ୟୁ ଜାରି ହେବାର  ୨୪ ଘଣ୍ଟାରୁ ଅଧିକ ସମୟ ବିତିଛି ଇତିମଧ୍ୟରେ ।  ସ୍ଥିତିରେ ବେଶ ସୁଧାର ମଧ୍ୟ ଆସିଛି । ସାରା ସହର ପୁଲିସ ଫୋର୍ସ ବଳୟରେ  ରହିଥିବା ବେଳେ ପୁଲିସ ଡିଜି ୱାଇ. ବି. ଖୁରାନିଆ, ପୁଲିସ କମିସନର ଏସ୍‌.  ଦେବଦତ୍ତ ସିଂଙ୍କ ସମେତ ବହୁ ବରିଷ୍ଠ  ପୁଲିସ ଅଧିକାରୀ କଟକରେ କ୍ୟାମ୍ପ୍‌ କରି  ସ୍ଥିତି ଉପରେ ନଜର ରଖିଛନ୍ତି ।  

ଅନ୍ୟପକ୍ଷରେ, ରବିବାର ସନ୍ଧ୍ୟା  ୭ଟାରୁ କଟକ ସହରରେ ଇଣ୍ଟରନେଟ୍‌  ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ  ଆହୁରି ୨୪ ଘଣ୍ଟା ଅର୍ଥାତ୍‌ ମଙ୍ଗଳବାର  ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କଟକଣାକୁ  ବୃଦ୍ଧି କରାଯାଇଛି । ଜିଲ୍ଲାପାଳଙ୍କ ସୁପାରିସ୍‌  କ୍ରମେ ଗୃହ ବିଭାଗ ପକ୍ଷରୁ ଏ ନେଇ  ପଦକ୍ଷେପ ଗ୍ରହଣ କରାଯାଇଛି ।  ଗତକାଲି ପୁଲିସକୁ ଆକ୍ରମଣ କରିଥିବା ବିଶୃଙ୍ଖଳାକାରୀ ଓ ଉପଦ୍ରବକାରୀଙ୍କୁ  ଚିହ୍ନଟ କରି ଉଠାଇବା ମଧ୍ୟ  ଆରମ୍ଭ କରିଛି ପୁଲିସ ।

ସୋମବାର ସନ୍ଧ୍ୟା ସୁଦ୍ଧା ୮ ଜଣଙ୍କୁ ଗିରଫ କରାଯାଇଥିବା କମିସନର ଶ୍ରୀ ସିଂ ପ୍ରକାଶ କରିଛନ୍ତି । ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିବ ।  ସିସିଟିଭି ଫୁଟେଜ୍‌, ଡ୍ରୋନ୍‌ ଓ କ୍ୟାମେରା ଭିଡିଓ ଆଧାରରେ  ଉପଦ୍ରବକାରୀଙ୍କୁ ଗିରଫ କରିବାକୁ ଜାଲ ବିଛାଇଛି ପୁଲିସ । ସେପଟେ ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ  କର୍ଫ୍ୟୁ ବଳବତ୍ତର ଥିବା ବେଳେ କର୍ଫ୍ୟୁ ଅବଧିକୁ ଆହୁରି ବୃଦ୍ଧି କରିବାକୁ ପୁଲିସ ପ୍ରଶାସନ ଚିନ୍ତା କରୁଛି । ମଙ୍ଗଳବାର ୧୦ଟାରେ ସ୍ଥିତି ଅନୁଧ୍ୟାନ କରାଯିବା ପରେ ଏ ସଂପର୍କରେ  ନିଷ୍ପତ୍ତି ନିଆଯିବ । ତେବେ ଯଦି ସ୍ଥିତି ଶାନ୍ତ ରହେ କର୍ଫ୍ୟୁ ଅବଧି  ବଢାଯିବ ନାହିଁ ବୋଲି ପୁଲିସ କମିସନର୍‌ ଶ୍ରୀ ସିଂ କହିଛନ୍ତି । 

ସୋମବାର ସନ୍ଧ୍ୟାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନମ୍‌ ତାପସ  କୁମାର ଦରଘାବଜାରଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  କର୍ଫ୍ୟୁ ଯୋଗୁଁ ବ୍ୟବସାୟିକ ନଗରୀ କଟକ ପୂରା ଶୂନ୍‌ଶାନ୍‌  ପାଲଟି ଯାଇଛି । ଛକବଜାର ସବୁଠି ନିରବତା । ମୁଖ୍ୟରାସ୍ତା  ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ପୁଲିସ ପଇଁତରା ମାରୁଥିବା  ବେଳେ ଲୋକେ ମଧ୍ୟ ପ୍ରଶାସନିକ କଟକଣାକୁ ମାନି ଘରେ  ବନ୍ଦୀ ରହିଛନ୍ତି । କର୍ଫ୍ୟୁ ଯୋଗୁଁ ସହରରେ ନିଆଁ ଲଗାଇବା,  ବାଣ ଫୁଟାଇବା ଏବଂ ଗୋଟିଏ ସ୍ଥାନରେ ୫ଜଣ ଏକାଠି  ହେବାରେ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ  ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ପୁଲିସ କହିଛି ।  

କର୍ଫ୍ୟୁ ଯୋଗୁଁ କଟକରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା ବ୍ୟବସ୍ଥା  ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏସ୍‌ସିବି ମେଡିକାଲ୍‌ ଠାରୁ  ଆରମ୍ଭ କରି ଶିଶୁଭବନ, ସିଟି ହସ୍‌ପିଟାଲ୍‌ ଏବଂ ସହରରେ  ରହିଥିବା ବିଭିନ୍ନ ଘରୋଇ ହସ୍‌ପିଟାଲ୍‌, ନର୍ସିଂହୋମ୍‌ରେ  ରୋଗୀସେବା ପ୍ରଭାବିତ ହୋଇଛି । ଇଣ୍ଟରନେଟ୍‌ ବ୍ୟବସ୍ଥା  ନଥିବାରୁ ବୀମା କାର୍ଡ କାମ କରୁନାହିଁ । ଯାହା ଫଳରେ ଘରୋଇ  ହସ୍‌ପିଟାଲ ଓ ନର୍ସିଂହୋମ୍‌ ପକ୍ଷରୁ ବୀମା କାର୍ଡରେ ଆଡ୍‌ମିସନ୍‌  କରାଯାଇ ପାରୁନଥିବା ଦେଖିବାକୁ ମିଳିଛି । ନେତାଜୀ ବସ୍‌  ଟର୍ମିନାଲରେ ବସ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।   କଟକକୁ ଅଧିକ ସଂଖ୍ୟାରେ ବସ୍‌ ଗଡୁନଥିଲା । ଗତକାଲି  ଠାରୁ କର୍ଫ୍ୟୁ ଘୋଷଣା ହୋଇଥିବା ବେଳେ କମ୍‌ ସଂଖ୍ୟାରେ  ଯାତ୍ରୀ ବସ୍‌ ଟର୍ମିନାଲକୁ ଆସିଥିଲେ । ସହର ଭିତରେ ବସ୍‌  ଓ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କାଁ ଭାଁ ଅଟୋ  ରୋଗୀଙ୍କୁ ନେଇ ମେଡିକାଲ୍‌ ପର୍ଯ୍ୟନ୍ତ ଯାଉଥିବା ଦେଖା ଯାଇଥିଲା ।  

କର୍ଫ୍ୟୁ ସତ୍ତେ୍ୱ କଟକ ସହରରେ ସରକାରୀ ଅଫିସ୍‌,  ବ୍ୟାଙ୍କ ଆଦି ଖୋଲା ରହିଥିଲେ ମଧ୍ୟ ନିତିଦିନିଆ କାମ  ପ୍ରଭାବିତ ହୋଇଛି । ଇଣ୍ଟରନେଟ୍‌ ସମସ୍ୟା ଥିବାରୁ ସରକାରୀ  କାର୍ଯ୍ୟ ସ୍ୱାଭାବିକ ଢଙ୍ଗରେ ହୋଇପାରିନାହିଁ । ମାଲଗୋଦାମ, ଛତ୍ରବଜାର, ଚୌଧୁରୀବଜାର, ପିଠାପୁର ଆଦି ହୋଲସେଲ୍‌  ମଣ୍ଡି ବନ୍ଦ ରହିଥିବାରୁ ବଡ଼ ଧରଣର ବ୍ୟବସାୟିକ କ୍ଷତି  ହୋଇଛି । ଅନ୍‌ଲାଇନ୍‌ କାରବାର ବନ୍ଦ ରହିଥିବାରୁ ଟଙ୍କା  ପଠାଇବା, ଆଣିବା ଭଳି କାମ ହୋଇ ପାରିନାହିଁ । ଏମିତିକି  ପ୍ରାୟ ଅଧିକାଂଶ ଏଟିଏମ୍‌ କାର୍ଯ୍ୟ କରୁନଥିବାରୁ ଲୋକଙ୍କ  ଆର୍ଥିକ ଦେଣନେଣ ସମସ୍ୟା ବଢ଼ିଯାଇଛି । ସେହିପରି  ଗୁଜବ ଓ କାନକୁହା କଥାକୁ ବିଶ୍ୱାସକୁ ନନେବାକୁ ପୁଲିସ  ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଗୁଜବ  ଖେଳାଉଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ  ନିଆଯିବାକୁ ଚେତାବନୀ ଦିଆଯାଇଛି । ସାଦା ପୋଷାକରେ  ପୁଲିସ ଗଳିକନ୍ଦିରେ ବୁଲୁଥିବା ବେଳେ ଗୁଜବକାରୀଙ୍କୁ  ଉଠାଇବାକୁ ମଧ୍ୟ ଯୋଜନା ରହିଥିବା ସୂଚନା ମିଳିଛି ।