ନୂଆଦିଲ୍ଲୀ,୧୪/୦୯: ଆଉ କିଛି ଘଣ୍ଟାର ଅପେକ୍ଷା । ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଦୁବାଇ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । ପହଲଗାମ ହମଲା ପରେ ଦୁଇ ଦେଶ ପ୍ରଥମ ଥର ପାଇଁ ମ୍ୟାଚ ଖେଳିବେ । ଭାରତ-ପାକିସ୍ତାନ ମ୍ୟାଚକୁ ବୟକଟ ନେଇ ଦାବି ହୋଇଛି । ବିରୋଧର ସ୍ୱର ଉଠିଛି । ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି । ସେ କହିଛନ୍ତି କ’ଣ ୨୬ ଜୀବନ ଅପେକ୍ଷା ଟଙ୍କା ମୂଲ୍ୟବାନ ? 

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭାରତୀୟ ଜନତା ପାର୍ଟିକୁ କଟାକ୍ଷ କରିଛନ୍ତି । ମ୍ୟାଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।  ମଣିଷ ଜୀବନଠୁ ଏ ଟଙ୍କା ଖେଳ ବଡ ବୋଲି ପ୍ରଶ୍ନ କରି ସରକାରଙ୍କଠୁ ଜବାବ ମାଗିଛନ୍ତି । ସେ କହିଛନ୍ତି, ''ମୋର ପ୍ରଶ୍ନ ଆସାମ ମୁଖ୍ୟମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତଙ୍କୁ ପଚାରୁଛି କଣ ତୁମ ପାଖରେ ପାକିସ୍ତାନ ବିପକ୍ଷରେ ମ୍ୟାଚ  ଖେଳିବାକୁ ମନାକରିବାକୁ କ୍ଷମତା ନାହିଁ କି ? ଯେଉଁମାନେ ଆମ ଲୋକଙ୍କୁ ଧର୍ମ ପଚାରି ମୁଣ୍ଡକୁ ଗୁଳି କରିଥିଲେ । ଏଥିରେ ୨୬ ଜଣଙ୍କ ଜୀବନ ଯାଇଥିଲା । କଣ ପହଲଗାମ ଆକ୍ରମଣରେ ମୃତ ୨୬ ଜଣଙ୍କ ଜୀବନ ଅପେକ୍ଷା ମ୍ୟାଚରେ ରୋଜଗାର ହେଉଥିବା ଟଙ୍କା ମୂଲ୍ୟବାନ କି ? ''

ଅସଦୁଦ୍ଦିନ୍ ଓୱେସି ଆହୁରି କହିଛନ୍ତି, ତୁମେ କହୁଛ ରକ୍ତ-ପାଣି ଏକାଠି ବହିପାରିବ ନାହିଁ । ହେଲେ କ୍ରିକେଟ ମ୍ୟାଚରୁ ବିସିସିଆଇ କେତେ ଟଙ୍କା ପାଉଛି । ୨୦୦୦ କୋଟି ନା ୩୦୦୦ କୋଟି ? କ’ଣ ୨୬ ଜୀବନ ଅପେକ୍ଷା ଟଙ୍କା ମୂଲ୍ୟବାନ କି ? ଆମେ ସେ ୨୬ ପୀଡିତଙ୍କ ପରିବାର ସହିତ ଅଛୁ ରହିବୁ । ଦେଶଭକ୍ତିର କଥା କହୁଥିବା ଲୋକ ଟିକେ ଭାବ । ଯଦି ତୁମ ପରିବାର ଲୋକଙ୍କ କହ କିଛି ଏମିତି ହୋଇଥାନ୍ତା କଣ ତୁମେ ପାକିସ୍ତାନ ସହ କ୍ରିକେଟ ଖେଳିଥାନ୍ତ କି ?

ପୂର୍ବରୁ କଂଗ୍ରେସ ନେତା ଅଭିଷେକ ଦତ୍ତ କହିଛନ୍ତି ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେବା ଦରକାର । ଆତଙ୍କୀଙ୍କ ସହ କିଛି କଥାବାର୍ତ୍ତା ହେବା ଦରକାର ନାହିଁ । ଗୋଟିଏ ପଟେ ତୁମେ ଅପରେସନ ସିନ୍ଦୂର କଥା କହୁଛ । ଆତଙ୍କୀ ସହ କୌଣସି ବ୍ୟବସାୟ ହେବନାହିଁ ବୋଲି କହୁଛ । ହେଲେ ପାକିସ୍ତାନ ସହ ଆଜି ମ୍ୟାଚ ଖେଳି କେଉଁ ବର୍ତ୍ତା ଦେବାକୁ ଚାହୁଁଛ ?