ଜଗତସିଂହପୁର ୨୬/୧୦: ଜଗତସିଂହପୁର ଜିଲ୍ଲା ଯୋଗଧାରୀ ଛକ ନିକଟରେ ପାନଦୋକାନୀ ହତ୍ୟା ଘଟଣାର ପର୍ଦ୍ଦାଫାସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ଥାନା ପୁଲିସ।। ଅଭିଯୁକ୍ତମାନେ ହେଲେ ଅବିଧିଆନନ୍ଦପୁର ଗାଁର  କାର୍ତ୍ତିକ ନାୟକ ଓ ଚକୁଳିପଡା ଗାଁର ସବ୍ୟସାଚୀ ରାଉତରାୟ ଓରଫ ଚାଚା । ତାଙ୍କ ନିକଟରୁ ଗୋଟିଏ ଖଣ୍ଡା ସହ ଗୋଟିଏ ବୁଲେଟ୍ ଜବତ ହୋଇଛି । ନିଶାସକ୍ତ ଅବସ୍ଥାରେ ସାମାନ୍ୟ ବଚସା ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ଜଗତସିଂହପୁର ଏସ୍‌ପି ।  

ଏସ୍‌ପି ସୂଚନା ମୁତାବିକ, ଅବିଧିଆନନ୍ଦପୁର ଗାଁର କାର୍ତ୍ତିକ ନାୟକ କିଛି ଦିନ ତଳେ ଏକ ବୁଲେଟ୍ କିଣିଥିଲେ । ଏନେଇ ପାନଦେକାନୀ ଜ୍ଞାନରଞ୍ଜନ ନାୟକ ପାର୍ଟି ମାଗୁଥିଲେ । ହେଲେ କାର୍ତ୍ତିକ ଟଙ୍କା ନାହିଁ କହି ବାରମ୍ବାର ଏଡ଼ାଇ ଆସୁଥିଲେ । ମାତ୍ର ୨୪ ତାରିଖ ରାତିରେ କାର୍ତ୍ତିକ ପାନଦୋକନୀଙ୍କୁ ଫୋନ୍ କରି ଭୋଜି କରିବାକୁ କହିଥିଲେ। ପରେ ଜ୍ଞାନ ତାଙ୍କୁ ଦୋକାନ ପାଖରେ ଭୋଜି କରିବାକୁ ଡାକିଥିଲେ। ଏହା ଶୁଣି କାର୍ତ୍ତିକ ଜଗତସିଂହପୁରର ଏକ କାଉଣ୍ଟରୁ ମଦ କିଣି ମଦ ନେଇ ଭୋଜି ସ୍ଥଳରେ ପହଞ୍ଚିଥିଲେ । କାର୍ତ୍ତିକ ଆସିବା ବେଳେ ସବ୍ୟସାଚୀଙ୍କୁ ସାଙ୍ଗରେ ନେଇ ଆସିଥିଲେ । ତେବେ ତିନି ଜଣ ମିଶି ଭୋଜି କରିବା ସହ ମଦ୍ୟପାନ କରିଥିଲେ। ଏହି ସମୟରେ ପାନଦେକାନକୁ କିଛି ଲୋକ ସିଗାରେଟ୍ କିଣିବାକୁ ଆସିଥିଲେ। ହେଲେ ଜ୍ଞାନ ମଦ୍ୟପାନ କରୁଥିବା ସିଗାରେଟ୍ ଦେବାକୁ ମନା କରିଥିଲେ। ଏହି ଘଟଣାକୁ ସବ୍ୟସଚୀ ବାରଣ କରିଥିଲେ। କାହିଁକି ଗ୍ରାହକଙ୍କୁ ସିଗାରଟ୍ ଦେବାକୁ ମନା କରିଥିଲ ବୋଲି ପ୍ରଶ୍ନ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା  ଯାହା ପରେ ଜ୍ଞାନ ପାନଦୋକନ ଭିତରେ ରଖିବା ଏକ କଟୁରି ଆଣି ବୁଲାଇଥିଲେ। ସବ୍ୟସଚୀ ରାଗି ଯାଇ ଜ୍ଞାନଙ୍କ ଠାରୁ କଟୁରି ଛଡ଼ାଇ ନେଇ ହାଣିଥିଲେ। ଏହି ଘଟଣାରେ ମୁଖ୍ୟଅଭିଯୁକ୍ତ ସବ୍ୟସଚୀ ଓ କାର୍ତ୍ତିକଙ୍କୁ ଗିରଫ କରାଯାଇଛି ।

ପୁଞ୍ଜିଭୁତ ରାଗକୁ ନେଇ ହତ୍ୟାକାରୀ ମୃତକଙ୍କ ଦୋକାନ ପଛ ପଟେ ରକ୍ତର ହୋଲି ଖେଳିଥିଲେ ।  ଅତି  ନୃଶଂସ ଭାବେ ଜ୍ଞାନରଞ୍ଜନଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲେ । ନୂଆ କରି କିଣା ଯାଇଥିବା ଏକ କଟୁରିରେ ଜ୍ଞାନରଞ୍ଜନଙ୍କ ଏକ ଗୋଡ଼ର ଆଣ୍ଠୁକୁ ପ୍ରାୟ ୭୫  ପ୍ରତିଶତ ହାଣି ଦିଆଯାଇ ଶରୀରରୁ ଅଲଗା କରିବାକୁ ଚେଷ୍ଟା  ହୋଇଥିଲା । ଉକ୍ତ ଗୋଡ଼ର ଗୋଚ୍ଛିକୁ ମଧ୍ୟ ହଣା ଯାଇଥିଲା । ଶରୀର ଆଉ କିଛି ଜାଗାକୁ ବି ଚୋଟ  ମରାଯାଇଥିଲା । ଗୋଡ଼  ଗଣ୍ଠି ଓ ଗୋଚ୍ଛିରେ ଚୋଟ ହେତୁ ପ୍ରବଳ ରକ୍ତସ୍ରାବ  ହୋଇ ଜ୍ଞାନରଞ୍ଜନ ସେଇଠାରେ ହିଁ ଟଳି  ପଡ଼ିଥିଲେ । ପ୍ରାୟ ୯-୧୦ ମାସ ତଳେ ଜ୍ଞାନରଞ୍ଜନଙ୍କ ବାପାଙ୍କ ଦେହାନ୍ତ ଘଟିଥିଲା । ପରିବାର କହିଲେ ମାଓ  ଦୁଇ ଶିଶୁ ସନ୍ତାନଙ୍କ ସମେତ ପତ୍ନୀ । ତେବେ ଜ୍ଞାନରଞ୍ଜନଙ୍କ  ମୃତ୍ୟୁ ପରେ ଏହି ପରିବାର ଅସହାୟ ହୋଇ ପଡ଼ିଛନ୍ତି ।  ମୃତଦେହ ବ୍ୟବଚ୍ଛେଦ ପରେ ଶନିବାର ଅପରାହ୍ନରେ ଗ୍ରାମ ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ।