ଫିରିଙ୍ଗିଆ, ୩/୯ : କନ୍ଧମାଳ ଜିଲ୍ଲା ତଳ ଦଣ୍ଡିକିଆ ପଞ୍ଚାୟତ ଜୁଜୁରପଡ଼ା ନିକଟରେ ଥିବା ପୋଲ ଲଗାଣ ବର୍ଷାରେ ଭାଙ୍ଗି ଧୋଇ ଯାଇଛି । ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ସହ ବହୁ ଘର ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ଗତ ସୋମବାର ତଳ ଦଣ୍ଡିକିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ତଳ ଦଣ୍ଡିକିଆ ପଞ୍ଚାୟତ ଅନ୍ତର୍ଗତ ଜୁଜୁରପଡ଼ାଠାରୁ ସାରୁ ମାହା ଯାଇଥିବା ରାସ୍ତାର ଜୁଜୁରପଡ଼ା ନିକଟରେ ଥିବା ପୋଲ ବର୍ଷା ଯୋଗୁଁ ଭାଙ୍ଗିଯିବା ସହ ଧୋଇ ହୋଇଯାଇଛି ।

ପୋଲ ଧୋଇ ହୋଇଯିବାରୁ ଦୁଇଟି ୱାର୍ଡର ଅଞ୍ଚଳବାସୀ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ପୋଲ ଦେଇ ଅଙ୍ଗନବାଡି କେନ୍ଦ୍ରଠାରୁ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ  ଦୈନନ୍ଦିନ ଯିବାକୁ ପଡୁଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଗୁଟିଙ୍ଗିଆ ଉପରେ ଅଞ୍ଚଳବାସୀ ନିର୍ଭର କରୁଛନ୍ତି । ପୋଲ ଭାଙ୍ଗିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀ ପୋଲ ଭାଙ୍ଗିଯିବା ପରେ ପୋଲ ଉପର ପଟେ ପାଣି ଉପର ଦେଇ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି । ଅଞ୍ଚଳବାସୀ ସ୍ଥାନୀୟ ତଳ ଦଣ୍ଡିକିଆ ପଞ୍ଚାୟତ ସରପଞ୍ଚ ଶଙ୍କର ପ୍ରଧାନଙ୍କୁ ଜଣାଇବା ପରେ ନିଜେ ସରପଞ୍ଚ ଯାଇ ଦେଖିଛନ୍ତି । ତଳଦଣ୍ଡିକିଆ ପଞ୍ଚାୟତ ସରପଞ୍ଚଙ୍କୁ ଏହି ଘଟଣା ନେଇ ପଚାରିବାରୁ ଭଙ୍ଗାପୋଲକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ମୋତେ ଅବଗତ କରିବା ପରେ ମୁଁ ଘଟଣାସ୍ଥଳକୁ ଯାଇଥିଲି ଓ ପୋଲ ଭାଙ୍ଗିଯିବା ଦ୍ୱାରା ଅଞ୍ଚଳର ଜନସାଧାରଣ ଯାତାୟତ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ମୁଁ ସ୍ଥାନୀୟ ଫିରିଙ୍ଗିଆ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ଭେଟି ପୋଲ ଭାଙ୍ଗିଥିବା ଓ ଯାତାୟତ ସମସ୍ୟା ହେଉଥିବା ଅବଗତ କରିବା ପରେ ତୁରନ୍ତ ଏହି ପୋଲ ନିର୍ମାଣ ସହ ଜନସାଧାରଣ ଙ୍କ ସୁବିଧା କରାଯିବ ବୋଲି କହିଛନ୍ତି ବୋଲି ସୂଚନା ଦେଇଛନ୍ତି । ତେବେ ପୋଲ ଭାଙ୍ଗି ଯାଇଥିବାରୁ ତୁରନ୍ତ ପୋଲ ନିର୍ମାଣ କରି ଅଞ୍ଚଳ ବାସୀଙ୍କ ଯାତାୟତ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।