ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ବରିଷ୍ଠ ନ୍ୟାୟାଧିଶ ଜଷ୍ଚିସ ସୂର୍ଯ୍ୟକାନ୍ତ ବହୁ ଜଲଦି ଭାରତର ୫୩ ତମ ମୁଖ୍ୟ ବିଚାରପତି ଭାବେ ନିଜ ଆସନ ସମ୍ଭାଳିବାକୁ ଯାଉଛନ୍ତି। ସେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ପରେ ଆସନ୍ତା ନଭେମ୍ୱର ୨୪ ତାରିଖରେ ଏହି ଭାର ଗ୍ରହଣ କରିବେ। ସେ ଆସନ୍ତା ୨୦୨୭ ମସିହା ଫେବ୍ରୁଆରି ୯ ତାରିଖ ଯାଏ ଏହି ପଦରେ ରହିବେ।
ମୁଖ୍ୟ ବିଚାରପତି ବି.ଆର. ଗଭାଇ ସୋମବାର ନ୍ୟାୟାପାଳିକାର ନେତୃତ୍ତ୍ୱ ନେବା ପାଇଁ ସୁପ୍ରିମ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ସୁପାରିଶ କରିଥିଲେ।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱଲ ଆନୁଷ୍ଠାନିକ ଭାବେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ଘୋଷଣା କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, “ଭାରତର ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି ଶ୍ରୀ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଚଲିତ ବର୍ଷ ଆସନ୍ତା ନଭେମ୍ୱର ୨୪ ତାରିଖରୁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ସିଜେଆଇଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଉଛି।
ସୂଚନା ମୁତାବକ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଘର ହରିୟାଣା ହୋଇଥିବା ବେଳେ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାମ କରିସାରିଛନ୍ତି। ଏହାପୂର୍ବରୁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମଧ୍ୟ ବିଚାପତି ଭାବେ ନିଯୁକ୍ତି ପାଇଥିଲେ। ସେ ଗତ ୨୦୧୯ ମସିହା ମେ ମାସରେ ସୁପ୍ରିମ କୋର୍ଟରେ ଯୋଗଦେଇଥିଲେ। ନିଜର ତୀକ୍ଷ୍ଣ ନ୍ୟାୟିକ ଯୁକ୍ତି ଏବଂ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ପାଇଁ ସେ ବେଶ୍ ଜଣାଶୁଣା। ସେ ପୂର୍ବରୁ ଅନେକ ସମ୍ବିଧାନିକ ମାମଲା ଏବଂ ଶାସନ ସମ୍ବନ୍ଧୀୟ ପ୍ରମୁଖ ନିଷ୍ପତ୍ତି ସାଙ୍ଗକୁ ପରିବେଶ ପ୍ରସଙ୍ଗ ଏବଂ ସାମ୍ବିଧାନିକ ବ୍ୟାଖ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି ସାରିଛନ୍ତି।
ଭାରତର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ୧୪ ମାସ ପାଇଁ ଦାୟିତ୍ତ୍ୱ ଦିଆଯାଇଛି। ବର୍ତ୍ତମାନର ନ୍ୟାୟପାଳିକାର ମୁଖ୍ୟ ପ୍ରଧାନ ବିଚାରପତି ବି.ଆର. ଗଭାଇ ୨୩ ନଭେମ୍ବର, ୨୦୨୫ରେ ନିଜ ପଦବୀରୁ ବିଦାୟ ନେବାକୁ ଯାଉଛନ୍ତି।