ନୂଆଦିଲ୍ଲୀ ୧୦/୧୦: କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ-ଚର୍ଚ୍ଚିତ ରୋମାଣ୍ଟିକ୍‌ ମ୍ୟୁଜିକାଲ ଫିଲ୍ମକୁ ମିଳିଛି ଟାଇଟଲ । ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଏହି ଫିଲ୍ମର ଟାଇଟଲ ତୁ ମେରୀ ଜିନ୍ଦଗୀ ହୈ। ୧୯୯୦ ମସିହା ଆଶିକିଫିଲ୍ମର ଲୋକପ୍ରିୟ ଗୀତ ଦ୍ୱାରା ଏହା ପ୍ରେରିତ । ଏଥିରେ କାର୍ତ୍ତିକଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଶ୍ରୀଲୀଲା । ପ୍ରଥମେ ଫିଲ୍ମକୁ ଆଶିକିସିରିଜ୍‌ର ୩ୟ ସଂସ୍କରଣ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ପ୍ରଯୋଜକ ମୁକେଶ ଭଟ୍ଟ ଓ ଭୂଷଣ କୁମାର ଅଲଗା ହେବା ପରେ ପ୍ରୋଜେକ୍ଟଟି ଏକଲା ହୋଇଗଲା ।

ଆସନ୍ତା ବର୍ଷ ମେ୧ରେ ଫିଲ୍ମ ରିଲିଜ୍‌ ଯୋଜନା ରହିଛି । ମୁମ୍ବାଇରେ ଏହାର ସୁଟିଂ ଚାଲିଛି ଏବଂ ବର୍ଷତମାମ ସୁଟିଂ ଜାରି ରହିବ । ରିଲିଜ୍‌ ପୂର୍ବରୁ ଫିଲ୍ମରେ ସୃଜନାତ୍ମକ ପରିବର୍ତ୍ତନ ପାଇଁ ଭରପୂର ସମୟ ପାଇବେ ନିର୍ମାତା । ଆଶିକିର ମୂଳ ଫ୍ରାଞ୍ଚାଇଜି ସହିତ ପ୍ରତ୍ୟକ୍ଷ ସମ୍ପର୍କ ଛିନ୍ନ କରିବା ପାଇଁ ଫିଲ୍ମର ଟାଇଟଲକୁ ବେଶ ଧ୍ୟାନର ସହ ଚୟନ କରାଯାଇଛି । ପ୍ରଡକ୍ସନ୍‌ ଟିମ୍‌ ଜାଣିଶୁଣି ଆଶିକିସିରିଜ୍‌ରୁ ପ୍ରୋଜେକ୍ଟକୁ ଦୂରେଇ ଦେଇଛି । ପୂରା ଟିମ୍‌ ଫିଲ୍ମକୁ ଏକ ହାଇପ୍ରୋଫାଇଲ ସମର୍‌ ରିଲିଜ୍‌ ଭାବେ ପ୍ରସ୍ତୁତ କରିବାକୁ ଖୁବ୍‌ ପରିଶ୍ରମ କରୁଛନ୍ତି । ଏହା ଜରିଆରେ ସେ ସମୟରେ ପ୍ରମୁଖ ରୋମାଣ୍ଟିକ୍‌ ଫିଲ୍ମ ରିଲିଜ୍‌ର ପରମ୍ପରାକୁ ସେମାନେ ପାଳନ କରୁଛନ୍ତି ।