ପୁରୀ,୨୧/୦୯: କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ । ଏନେଇ ଶନିବାର ବସିଥିବା ଛତିଶା ନିଯୋଗ ଓ ନୀତି ସବ୍କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିମାନ ହେବ । ତେଣୁ ବିଭିନ୍ନ ନିଯୋଗ ଓ ସବ୍କମିଟି ସଦସ୍ୟଙ୍କ ପରାମର୍ଶ ମୁତାବକ କାର୍ତ୍ତିକ ମାସ ପରେ ପରୀକ୍ଷାମୂଳକ ଭାବେ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାର୍ଗଦର୍ଶିକା ହୋଇଛି । ଖୁବ୍ଶୀଘ୍ର ଏହା ଚୂଡ଼ାନ୍ତ ହେବ ।
ସେହିପରି ଦିବ୍ୟାଙ୍ଗ ଭକ୍ତମାନଙ୍କ ଶ୍ରୀଜୀଉ ଦର୍ଶନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ପରମ୍ପରା ଅକ୍ଷୁର୍ଣ୍ଣ ରଖିବା ସହ ଖୁବ୍ଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ବ୍ୟବସ୍ଥା ପାଇଁ ମାର୍ଗଦର୍ଶିକା କରାଯିବ ।
ଶ୍ରୀମନ୍ଦିର ଭିତରେ ଭକ୍ତ ସମେତ ପ୍ରାଶାସନିକ କର୍ମଚାରୀମାନଙ୍କ ମୋବାଇଲ ଫୋନ୍ ବ୍ୟବହାରରେ କଟକଣା ନେଇ ଆଲୋଚନା ହୋଇଥିଲା । ଖୁବଶୀଘ୍ର ଗୋଟିଏ ଗାଇଡଲାଇନ୍ ଆସିବ । ପ୍ରାଥମିକ ପର୍ଯ୍ୟାୟରେ ଜେଟିପି ଓ ପ୍ରାଶାସନିକ ଅଧିକାରୀମାନେ ସର୍ବସାଧାରଣରେ ମୋବାଇଲ୍ ବ୍ୟବହାର ଉପରେ ବାରଣ କରାଯାଇଛି । ଅତି ଜରୁରୀ ବାର୍ତ୍ତା ଦେବାକୁ ଥିଲେ ନିର୍ଦ୍ଦିଷ୍ଟ ସ୍ଥାନରେ ମୋବାଇଲ ବ୍ୟବହାର କରିବେ । ପରେ ସେବକଙ୍କ ପାଇଁ ମୋବାଇଲ ବ୍ୟବହାର ଲାଗୁ ହେବ ।
ଶ୍ରୀଜିଉଙ୍କ ନୀତି ସୁପରିଚାଳନା ଓ ଶୃଙ୍ଖଳା ନିମନ୍ତେ ପ୍ରତ୍ୟେକ ବୁଧବାର ଏକ ସମନ୍ୱୟ କମିଟି ବୈଠକ ହେବ । ଏନେଇ ନୀତି ଶୃଙ୍ଖଳା କମିଟି ଗଠନ ହେବ । ଏମାର ମଠ ରୁପା ଇଟା ପୁଲିସ ବାରାକ୍ରେ ପଡ଼ି ରହିଥିବା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ମାମଲା ହାଇକୋର୍ଟଙ୍କ ପାଖରେ ବିଚାରାଧୀନ ରହିଛି । ମଠ ସମ୍ପତ୍ତି ମହାପ୍ରଭୁଙ୍କର ବୋଲି କୋର୍ଟ ନିର୍ଦ୍ଦେଶ ଅଛି । ତେଣୁ ଏହି ରୁପାଇଟା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ।
ବୈଠକରେ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର, ସେବାୟତ କଲ୍ୟାଣ, ହବିଷ୍ୟାଳି ବ୍ରତଧାରୀଙ୍କ ସୁବିଧା ବ୍ୟବସ୍ଥା, ହୁଣ୍ଡି ସ୍ଥାନାନ୍ତର, ମହାପ୍ରଭୁଙ୍କ ନିମନ୍ତେ ଅଳଙ୍କାର ସେଟ୍ ଓ ଅନ୍ୟାନ୍ୟ ଉନ୍ନତୀକରଣ ପାଇଁ ଆଲୋଚନା ହୋଇଛି ।