ରାଇରଙ୍ଗପୁର, ୮/୧୦ (ଅନଶନ ମହାନ୍ତ) : ଉପାନ୍ତରେ ମୌଳିକ ସୁବିଧାରୁ ବଞ୍ଚିତ ଆଦିମ ଜନଜାତି । ପେଟର ଭୋକ ଦୂର କରୁଛି ଆମ୍ବଡ଼ା ଫଳକୁ ସାରୁ ପତ୍ର ତରକାରୀ ।ରୋଜଗାରର ଏକମାତ୍ର ମାଧ୍ୟମ କାଠ କାଟି ପରିବାର ପ୍ରତିପୋଷଣ କରିବା । ସରକାରଙ୍କ ଜନଜାତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବହୁବିଧ ଯୋଜନା ସହିତ ସ୍ୱତନ୍ତ୍ର ବିଭାଗ କରିବା ସତ୍ତ୍ଵେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁକୁ ପହଞ୍ଚି ପାରିଲାନି ପକ୍କା ସଡ଼କ । ଆଜିବି ଗାଁକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଫଳରେ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ । ବିଦ୍ୟାଳୟ ନଥିବାରୁ କୁନିକୁନି ଛାତ୍ରଛାତ୍ରୀ ହାତରେ ପରିବା ବ୍ୟାଗରେ ବହି ଖାତା ଧରି ତିନି କିଲୋମିଟର ପାଠ ପଢ଼ି ବାକୁ ଯାଆନ୍ତି । କେବେ ପହଞ୍ଚିବ ବିକାଶ ଦିଶୁନି ବାଟ । ସତେ ଯେପରି ବାଟ ହୁଡିଛି ବିକାଶ । ପ୍ରଶାସନ ପାଖରେ ନାହିଁ କେଉଁ ଗ୍ରାମରେ କେତେ ଖଡ଼ିଆ ମାଙ୍କଡିଆ ବସବାସ କରନ୍ତି ।

ଏଭଳି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବଡଝରଣ ପଞ୍ଚାୟତ ଅନ୍ତର୍ଗତ ଜୁଡିଆ ଗ୍ରାମର ଖଡିଆ ସାହିରେ । ଏଠାରେ ବସବାସ କରୁଥିବା ୨୫ ବିଲୁପ୍ତ ପ୍ରାୟ ଆଦିମ ଜନଜାତି ଓ ପାଞ୍ଚ ଆଦିବାସୀ ପରିବାର ପାଖରେ ପହଞ୍ଚି ପାରିନି ବିକାଶର ଗାଡି । ପକ୍କା ରାସ୍ତା ନ ଥିବାରୁ ଆଜିବି ତିନି କିଲୋମିଟର ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ ଏବଂ ବିଦ୍ୟାଳୟ ନଥିବାରୁ ତିନି କିଲୋମିଟର କାଦୁଅ ରାସ୍ତା ଓ ଜଙ୍ଗଲ ଜନ୍ତୁଙ୍କ ଆଗରେ ଜୀବନକୁ ବାଜି ଲଗାଇ ବୁରୁଡ଼ିହି ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଅପରପକ୍ଷରେ ଗ୍ରାମରେ ଅଧାରୁ ଅଧିକ ପରିବାରକୁ ମିଳିନି ଆବାସ ଯୋଜନାରେ ଘର । ଯଦିଓ କିଛି ପରିମାଣ ପରିବାରକୁ ମିଳିଛି ଘର,କିନ୍ତୁ ତାହା ଠିକାଦାର ଅଧାଘର କରି ସମ୍ପୂର୍ଣ୍ଣ ବିଲ୍‌ ଉଠାଇ ଖାଇଯାଇଛନ୍ତି । ତେବେ ଅଧାପନ୍ତରିଆ ଘରେ କେମିତି ବ୍ଲକ ଅଧିକାରୀ କଲେ ସମ୍ପୂର୍ଣ୍ଣ ବିଲ୍‌ ତାହା ତଦନ୍ତ ସାପେକ୍ଷ । ତଦସହିତ ୩୦ ପରିବାର ପାଇଁ ନାହିଁ ଗାଧୋଇବା ପାଇଁ ବନ୍ଧ କି ପୋଖରି ଯଦିଓ ରହିଛି ଗୋଟିଏ ଗାଡ଼ିଆ ତାର ମଧ୍ୟ ହିଡ ଭାଙ୍ଗିବା ସହିତ ଅନାବନା ଲତାରେ ପରିପୂର୍ଣ୍ଣ । ତେବେ ଗୋଟିଏ ପଟେ ସରକାର ଆଦିମ ଜନଜାତି ପାଇଁ ସ୍ୱତନ୍ତ୍ର ପିଭିଟିଜି ଯୋଜନା କରିଥିବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନା ତାଙ୍କ ପାଖରେ ପହଞ୍ଚିନାହିଁ । ଏନେଇ ବ୍ଲକ ପ୍ରଶାସନ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ତାଙ୍କ ପାଇଁ କାର୍ଯ୍ୟ କରୁଛି କି ନାହିଁ ତାହା ଏହି ଦୃଶ୍ୟରୁ ବେଶ୍‌ ବାରି ହୋଇପଡୁଛି । ଏ ନେଇ ପାନ ଦେହୁରୀ, ଗୁଇହା ଦେହୁରୀ, ବାନି ଦେହୁରୀ ବନୁ ଦେହୁରୀ, ଫାତେ ମାଝି, ମଙ୍ଗୁଳି ଦେହୁରୀ ପ୍ରମୁଖ ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି।  

ଅନ୍ୟ ପକ୍ଷରେ କେବଳ ବିଶୋଇ ବ୍ଲକ ଚଟାନୀ ଗ୍ରାମରେ ଥିବା କିଛି ମାଙ୍କଡିଆଙ୍କ ହିସାବ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିଭାଗ ପାଖରେ ଥିବା ବେଳେ ରାଇରଙ୍ଗପୁର ବ୍ଲକର କୁକୁର ଝରନ, ଶୁଣ୍ଢଲ, କଟୁପିଟ,ବାଲି ଖଣି, କୁସୁମ ଘାଟି,ସୁରିଆ ଗାଡ଼ା, ଗଣେଶ ଡାହି, କୁକୁଡ଼ି ମୁଣ୍ଡି, ପାତିଝରି, ନୟାନ ସାହି, ବାଦାମ ପାହାଡ, ହାତୀ ଛାଡ ଭଳି ପ୍ରାୟ ପଚାଶରୁ ଊଦ୍ଧ୍ୱର୍ ଗ୍ରାମରେ ବିଛିନ୍ନ ଭାବେ ବାସବାସ କରୁଥିବା ଉକ୍ତ ଜନ ଜାତିଙ୍କ ନିକଟରେ ଦୀର୍ଘ ତିନି ମାସ ଧରି ବର୍ଷା ଲାଗି ରହି ଥିବା ବେଳେ ସରକାରଙ୍କ ତରଫରୁ ମୁଠେ ଖାଇବାକୁ ରିଲିଫ ମିଳି ପାରି ନାହିଁ । ଜମିହିନ ଚାଷ ବାସ ନ ଥିବା ଜନଜାତିଙ୍କୁ ମାସକୁ ମାତ୍ର ଜଣଙ୍କ ପିଛା ପାଞ୍ଚ କିଲୋ ଚାଉଳ ଦିଆ ଯାଇ ନିଜର କାର୍ଯ୍ୟ ଶେଷ କୂରିଦେଇଛଇ ପ୍ରଶାସନ । ଏନେଇ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ପଚାରିବାରୁ ମୋ ପାଖରେ ସେମିତି କିଛି ଅଭିଯୋଗ ହୋଇନାହିଁ । ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇବ । ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।