ନୀଳଗିରି,୨୪/୧୧(ବ୍ରଜକିଶୋର ପାଣି): ପ୍ରକୃତିପ୍ରେମୀ ଓ  ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବର୍ଷାଋତୁ ପାଇଁ ପର୍ଯ୍ୟଟକଙ୍କ  ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ରୁ ବନ୍ଦ ରହିଥିଲା କୁଲଡିହା  ଅଭୟାରଣ୍ୟ । ପୁଣି ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ ।  ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୁଲଡିହା ଅଭୟାରଣ୍ୟରେ  ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ନେଚର୍ସ କ୍ୟାମ୍ପ ଜରାଜୀର୍ଣ୍ଣ  ଅବସ୍ଥାରେ ପଡି ରହିଥିବା ଦେଖାଯାଇଛି ।  

ସୂଚନାରୁ ପ୍ରକାଶ, ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫  ବର୍ଗ କିମି ବିଶିଷ୍ଟ କୁଲଡିହା ଅଭୟାରଣ୍ୟ ଚଳିତ ବର୍ଷ  ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ କରିବ ବନ ବିଭାଗ  ପାଇଁ ଚିନ୍ତାର କାରଣ ପାଲଟିଛି । ଅଭୟାରଣ୍ୟରେ ହାତୀ,  ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ଗୟଳ, ନୀଳଗାଈ,  ବଳିଆ କୁକୁର, ବଜ୍ରକାପ୍ତା, ବେଲୋରା ମୂଷା, ମୟୂର ଇତ୍ୟାଦି  ବନ୍ୟପ୍ରାଣୀ ଦେଖାଯାଆନ୍ତି । ସେହିପରି ନନ୍ଦନକାନନରୁ  ଜଡ଼ାଚୁଆ ବିଟ ଅଧୀନ ଅସକଲପଦା ଠାରେ ହରିଣ ଆଣି  ବର୍ଷକ ତଳୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇ ପରେ  ଜଙ୍ଗଲରେ ଛଡ଼ା ଯିବାରୁ ହରିଣ ବଂଶ ଆଶାତୀତ ବୃଦ୍ଧି  ହୋଇଛି । କୁଲଡିହାକୁ ଲାଗି ରହିଥିବା ଡ୍ୟାମ୍‌ ସାତଘାଟି,  ଋଷିଆ, ପୁରୁଣାପାଣି, ଜଡ଼ାଚୁଆ, ମୁଖଚତୁରି, କଇମଚତୁରୀ  ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀ ପକ୍ଷୀ  ଦେଖିବାକୁ ମଧ୍ୟ ମିଳିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି  ଅଭୟାରଣ୍ୟରେ ଝରଣାର ଦୃଶ୍ୟ ମଧ୍ୟ ନିଆରା । ପର୍ଯ୍ୟଟନର  ବିକାଶ ଲାଗି ଗୋହିରାଭୋଳଠାରେ "ଋଷିଆ ପ୍ରକୃତି ନିବାସ’  ମଧ୍ୟ ଖୋଲାଯାଇଛି । ରାତ୍ର ରହଣି ନିମନ୍ତେ ୯ଟି ତମ୍ବୁଘର  ହୋଇଛି । ଏହା ସହ ନେଚର୍ସ କ୍ୟାମ୍ପ କରାଯାଇ ଖାଦ୍ୟ,  ପିଇବା ପାଣି ଏବଂ ଶୌଚାଳୟ ବ୍ୟବସ୍ଥା କରାଯାଇଛି ।  ଅନ୍ୟପକ୍ଷେ ମାଦକଦ୍ରବ୍ୟ ଉପରେ କଟକଣା ରହିଛି ।  ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଚାରି ପାଖରେ ଟ୍ରେଞ୍ଚ ମଧ୍ୟ  ଖୋଳାଯାଇଛି । ଏହି ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ କରି  ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ,  ୫ଟି ୱାଚ ଟାୱାରରୁ କୁଲଡିହା ଅଭୟାରଣ୍ୟର ପଶୁପକ୍ଷୀଙ୍କୁ  ଦେଖିବା ସହ ପ୍ରକୃତିର ମଜା ନେଇପାରିବେ । ନେଚର୍ସ  କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍‌ଲାଇନରେ ବୁକିଂର ବ୍ୟବସ୍ଥା  ରହିଛି । ଏପରିକି ଏହି ବିଷୟରେ ଅଧିକ ଜାଣିବା ପାଇଁ  ୱେବସାଇଟ୍‌ ecotourodisha.com ରହିଛି ।

ପୂର୍ବାହ୍ନ  ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି । ଏଠାରେ ଜଣେ ବ୍ୟକ୍ତି  ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ  ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ  ୩ ହଜାର ୮୫୪ ଟଙ୍କା ବନବିଭାଗ ଧାର୍ଯ୍ୟ କରିଛି । ହେଲେ  ସେହି ନେଚର୍ସ କ୍ୟାମ୍ପର ତମ୍ବୁ ଘର ଜରାଜୀର୍ଣ୍ଣ ଅବସ୍ଥାରେ  ଗତି କରୁଛି । କେଉଁଠି ତମ୍ବୁ ପଚି ଯାଇ ପାଣି ଗଳିବା ମଧ୍ୟ  ଦେଖାଯାଇଛି । ଫଳରେ ଭିତରେ ପଡ଼ିଥିବା ବ୍ୟାଡ୍‌ ମଧ୍ୟ  ଖରାପ ହୋଇଯାଇଥିବା ଜଣାପଡିଛି । ଭିତରେ ଦୁର୍ଗନ୍ଧ  ହେଉଥିବା ବେଳେ ପରିବେଶ ମଧ୍ୟ ଭଲ ନାହିଁ । ବାହାରେ  ଅନାବନା ଘାସ ଓ ଗଛ ଉଠି ଜଙ୍ଗଲ ଭଳି ହୋଇଛି । ଅବଶ୍ୟ  ଆଗକୁ କୁଲଡିହା ଖୋଲାଯିବା ପାଇଁ ସଫେଇ କାର୍ଯ୍ୟ ଚାଲୁ  ରହିଛି । ହେଲେ କ୍ୟାମ୍ପର ଅବସ୍ଥା ଜାଣିଲେ ପର୍ଯ୍ୟଟକମାନେ  ମୁହଁ ମୋଡିବା ନିଶ୍ଚିତ । ଋଷିଆ ଡ୍ୟାମ୍‌କୁ ବାହାରି ଥିବା  ଝରଣା ନିକଟରେ ନଦୀଟି ପୋତି ହୋଇ ଯାଇଥିବା ବେଳେ  ପୂର୍ବରୁ ବୋଟିଂ ଫେସିଲିଟି ଆଉ ଦେଖିବା ପାଇଁ ମିଳିବ  ନାହିଁ । ନେଚର୍ସ କ୍ୟାମ୍ପ ବନାଇବା ବେଳେ କୋଟିଏ ଟଙ୍କାରୁ ଊଦ୍ଧ୍ୱର୍ ଏବେ ପାଣିରେ ପଡିଥିବା ବେଳେ ଏହାର ମୁଖ୍ୟ  କାରଣ ହେଉଛନ୍ତି ତତ୍‌କାଳୀନ ଡିଏଫଓ ଖୁଶୱନ୍ତ ସିଂ ।  ତାଙ୍କ କାର୍ଯ୍ୟକାଳ ସମୟରେ କୁଲଡିହା ପ୍ରତି ଅଣଦେଖା  ପାଇଁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ  ଉଠିଛି । ତେବେ ଏଭଳି ସମସ୍ୟା ନେଇ ନୂତନ ଡିଏଫଓ  ପ୍ରଫୁଲ୍ଲ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ ପରେ ସେ ସମସ୍ୟା  ନେଇ ସ୍ୱୀକାର କରିଛନ୍ତି । ତେବେ ଏନେଇ ସେ ସରକାରଙ୍କ  ଦୃଷ୍ଟି ଆକର୍ଷଣ କରିବା ସହ ଅନୁଦାନ ରାଶି ଆସିଲେ  ନେଚର୍ସ କ୍ୟାମ୍ପ ନବକଳେବର ହେବ ବୋଲି କହିଛନ୍ତି ।