ଲାଞ୍ଜିଗଡ଼,୧୫/୯(ଆପ୍ର)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ମାଳିଯୁବାଙ୍ଗ ପଞ୍ଚାୟତ ସେରକଝଲା ଗ୍ରାମର ରାଜିଙ୍ଗା ମାଝୀ (୩୫) ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ନିଖୋଜ ହୋଇଯାଇଛନ୍ତି ।ଏ ବାବଦରେ ତାଙ୍କ ସ୍ତ୍ରୀ ସୀତା ମାଝୀଙ୍କୁ ତାଙ୍କ ସ୍ବାମୀ ସହ ଯାଇଥିବା ଗାଁ ଲୋକେ ଜଣାଇଛନ୍ତି।
ରାଜିଙ୍ଗା ଗତ ୧୦ ତାରିଖ ଦିନ ତାଙ୍କ ଗ୍ରାମର ୯ ଜଣ ମିଶ୍ର ମାଝୀ, ଲସୁ ମାଝୀ, ଲାଖି ମାଝୀ, କିଶୋର ମାଝୀ, କାର୍ତ୍ତିକ ମାଝୀ ଓ ଅନ୍ୟ ମାନଙ୍କ ସହିତ ଆନ୍ଧ୍ରପ୍ରଦେଶ ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ବାହାରିଥିଲେ।ସମସ୍ତେ ଠିକ ଭାବେ ହାଇଦ୍ରାବାଦରେ ପହଞ୍ଚି ଥିଲେ।ଏହାପରେ ହାଇଦ୍ରାବାଦ ଠାରୁ ୧୦ କିମି ଦୂରରେ ଥିବା ଏକ କମ୍ପାନୀରେ କାମ କରିବା ପାଇଁ ୧୨ ତାରିଖରେ ଯୋଗଦେଇଥିଲେ।ସେହି କମ୍ପାନୀରେ ସିଫ୍ଟ ଡିୟୁଟି ରହିଥିବା ବେଳେ ଗାଁ କିଛି ଲୋକ ନାଇଟ ସିଫ୍ଟ ଓ ଅନ୍ୟ ମାନଙ୍କୁ ଡେ ସିଫ୍ଟ ପଡିଥିଲା।ରାଜିଙ୍ଗା ଡେ ସିଫ୍ଟରେ କାମ କରିବା ପାଇଁ ଯାଇଥିବା ବେଳେ ସିଫ୍ଟ ଡିୟୁଟି ନସରୁଣୁ ଅପରାହ୍ନ ସମୟରେ ପାଚେରୀ ଚଡି କୁଆଡେ ଚାଲି ଯାଇଥିଲା।ଗାଁ ଲୋକ ଖବର ପାଇ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ରାଜିଙ୍ଗାଙ୍କୁ ପାଇନଥିଲେ। ଗାଁ ଲୋକେ ଏ ନେଇ ରାଜିଙ୍ଗାଙ୍କ ସ୍ତ୍ରୀ ସୀତାଙ୍କୁ ଜଣାଇଥିଲେ।
ରାଜିଙ୍ଗା ପାଠ ପଢ଼ିନଥିବା ଯୋଗୁଁ ଭଲଭାବରେ ଓଡ଼ିଆ ଭାଷା ମଧ୍ୟ ଜାଣିନାହିଁ।କେବଳ ଆଦିବାସୀଙ୍କ ପୁଇ ଭାଷା ଜାଣନ୍ତି।ସ୍ବାମୀଙ୍କ ନିଖୋଜ ଖବର ଶୁଣିବା ପରେ ସ୍ତ୍ରୀ ଚାରି ସନ୍ତାନକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ବିଜେପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି।